ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ପାଳିଛନ୍ତି ଉତ୍କଳ ଦିବସ। ନାଚ, ଗୀତରେ ମସଗୁଲ୍‌ ହୋଇ ଓଡ଼ିଶାର କଳା-ସଂସ୍କୃତିକୁ ମନେ ପକାଇଛନ୍ତି ପ୍ରବାସୀ ଓଡ଼ିଆ।

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ପାଳିଲେ ୮୪ ତମ  ଉତ୍କଳ ଦିବସ। ବିଶାଖାପାଟଣାର ଦଶପଲ୍ଲା ହିଲ୍‌ସ ନିକଟ ଜଗନ୍ନାଥ ମନ୍ଦିର ପରିସରରେ ତମ  ଉତ୍କଳ ଦିବସ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଆୟକର ବିଭାଗର ମୁଖ୍ୟ ଇନଫର୍ମେଶନ କମିଶନର ଚିତ୍ତରଞ୍ଜନ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲା ପ୍ରବାସୀ ଓଡ଼ିଆ ଫୁଡ଼ ଫେଷ୍ଟିଭାଲ। ଏହି ଫେଷ୍ଟିଭାଲରେ ଓଡ଼ିଶାର ଖାଦ୍ୟକୁ ପ୍ରବାସୀ ଓଡ଼ିଆମାନେ ନିଜେ ପ୍ରସ୍ତୁତ କରିଥିଲେ। ଏଥିରେ ୧୦ଟି ଷ୍ଟଲ ଲାଗିଥିଲା ଯେଉଁଥିରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ମଣ୍ଡା, କାକରା, ପୋଡ଼ପିଠା, ଘୁଗୁନି, ଦହିବରା ଆଳୁଦମ, ଛେନା ଝିଲ୍ଲୀ, ବାଲେଶ୍ୱରର ମୁଡ଼ି ଘୁଗୁନି ଇତ୍ୟାଦି ପ୍ରସ୍ତୁତ କରାଯାଇଥିଲା।

ଉତ୍କଳ ଦିବସ ଅବସରରେ ଉତ୍କଳ ସାଂସ୍କୃତିକ ସମାଜର ସଭାପତି ଜିତେନ୍ଦ୍ର କୁମାର ନାୟକ ଓଡ଼ିଆ ଫୁଡ଼ ଫେଷ୍ଟିଭାଲର ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦୦ ରୁ ଅଧିକ ଓଡ଼ିଆମାନେ ଯୋଗ ଦେଇଥିଲେ। ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନ ପ୍ରଦାନ କରିବା ପାଇଁ ନାଚ ଗୀତର ବି ଆୟୋଜନ କରାଯାଇଥିଲା।

୮୪ ତମ ଉତ୍କଳ ଦିବସ କେବଳ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହରରେ ସୀମିତ ନ ରହି ଚଳିତ ବର୍ଷ ଶ୍ରୀକାକୁଲମ ଜିଲ୍ଲାର ଶ୍ରୀକାକୁଲମ, ମଞ୍ଜୁଷା, ସୋମପେଟା, ଇଚ୍ଛାପୂରମ, ଟେକାଲି ସହ ଓଡ଼ିଆ ମାନେ ବସବାସ କରୁଥିବା ସମସ୍ତ ଗ୍ରାମରେ ଓ ସହରରେ ପାଳନ ହୋଇଥିଲା। ଏଥିରୁ ଜଣାପଡ଼ୁଛିଯେ ବର୍ତମାନ ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ନିଜର ଓଡ଼ିଆ ଭାଷା, କଳା, ଐତିହ୍ୟ  ଓ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରିବା ସହ ଆଗାମୀ ପିଢ଼ିକୁ ଓଡ଼ିଶାର ଭାଷା,କଳା,ଐତିହ୍ୟ ଓ ସଂସ୍କୃତି ଓ ମହାନ ମହାପୁରୁଷଙ୍କ ସମ୍ପର୍କରେ ସଚେତନ କରାଇବା ପାଇଁ ବର୍ତମାନ ଉଦ୍ୟମ ଆରମ୍ଭ କରିଛନ୍ତି।

Comment