ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶା ରାଜନୀତିରେ ଚିତ୍ର ତାରକାମାନେ ଆଗ ଭଳି ଆଉ ପ୍ରଭାବଶାଳୀ ହୋଇ ପାରୁ ନାହାନ୍ତି। ଅନ୍ୟ ରାଜ୍ୟରେ ଫିଲ୍ମ ଅଭିନେତା ରାଜନୀତିରେ ସେମାନଙ୍କ ଦବଦବା ବଜାୟ ରଖିଥାଇ ପାରନ୍ତି କିନ୍ତୁ ଓଡ଼ିଶାରେ ତାହା କାମ ଦେଉନାହିଁ। ଏହାର ପ୍ରମାଣ ଏଥର ନିର୍ବାଚନରେ ବିଭିନ୍ନ ଦଳର ଖୁବ୍ କମ ପ୍ରାର୍ଥୀ ଟିକେଟ ପାଇଛନ୍ତି।

ଗତ କିଛି ମାସ ମଧ୍ୟରେ ବିଭିନ୍ନ ଦଳରେ ଡଜନେ ପ୍ରାୟ ଫିଲ୍ମ ଷ୍ଟାର ଯୋଗ ଦେଇଥିଲେ ହେଁ ମାତ୍ର ୩/୪ ଜଣକୁ ହିଁ ୨୦୧୯ ପାଇଁ ଟିକେଟ ମିଳିଛି। ଏମାନଙ୍କ ଭିତରେ ଅଛନ୍ତି ବିଜେଡିର ଅନୁଭବ ମହାନ୍ତି(କେନ୍ଦ୍ରାପଡ଼ା ଲୋକସଭା), ବିଜେପିର ପିଙ୍କି ପ୍ରଧାନ(ଦିଗପହଣ୍ଡି) ଓ ଅପରାଜିତା ମହାନ୍ତି (ଭୁବନେଶ୍ୱର-ଉତ୍ତର)।

ଗୁଡ଼ାଏ ଗଲେ

ଶାସକ ବିଜେଡି ପକ୍ଷରୁ ଏହି ନିର୍ବାଚନରେ ଅନେକ ସିନେ ତାରକାଙ୍କୁ  ପ୍ରାର୍ଥୀ ତାଲିକାରୁ ବାଦ ଦିଆଯାଇଛି। ବ୍ରହ୍ମପୁରରୁ ଲୋକସଭା ଆସନରୁ ଗତ ଥର ଜିତିଥିବା ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାନସଭା ଆସନରୁ ଆକାଶ ଦାସ ନାୟକ ଓ ଚମ୍ପୁଆରୁ ପ୍ରାର୍ଥୀ ହୋଇଥିବା ପପୁ ପମପମଙ୍କୁ ଏଥର ଟିକେଟ ମିଳିନାହିଁ। ସେହିଭଳି କଂଗ୍ରେସ ପକ୍ଷରୁ ମଧ୍ୟ ଜଣେ ବି ଷ୍ଟାର ଟିକେଟ ପାଇନାହାନ୍ତି।

ଦକ୍ଷିଣ ଭାରତ ଓ ପଶ୍ଚିମ ବଙ୍ଗ ଭଳି ରାଜ୍ୟରେ ଚିତ୍ର ତାରକାମାନେ ଯେଉଁଭଳି ପ୍ରଭାବ ସୃଷ୍ଟି କରିପାରୁଛନ୍ତି ଓଡ଼ିଶାରେ ତାହା ସମ୍ଭବ ହେଉନାହିଁ ବୋଲି କହିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟ ରାଜନୀତି ବିଜ୍ଞାନର ଅବସରପ୍ରାପ୍ତ ପ୍ରଫେସର ସନ୍ତୋଷ ଷଡ଼ଙ୍ଗୀ। ଫିଲ୍ମ ଷ୍ଟାରମାନେ ଭଲ ରାଜନେତା ହୋଇପାରିବେ ନାହିଁ ଓ ନିଜ ଅଞ୍ଚଳ ପାଇଁ କିଛି କରି ପାରିବେ ନାହିଁ ବୋଲି ଓଡ଼ିଶାର ଲୋକଙ୍କ ଭିତରେ ଏକ ବଦ୍ଧମୂଳ ଧାରଣା ରହିଛି ବୋଲି ସେ ମତ ଦେଇଛନ୍ତି।

ଷ୍ଟାର ତ ଜଣେ

ଓଡ଼ିଶାର ମତଦାତା ଜାଣନ୍ତି ନବୀନ ହିଁ ଏକମାତ୍ର ଷ୍ଟାର। ଉତ୍ତମ ଶାସନ ଓ ଜନସ୍ୱାର୍ଥ ନୀତି ଆପଣେଇବା ଫଳରେ ଲୋକେ ବାରମ୍ବାର ଭୋଟ ଦେଉଛନ୍ତି ବୋଲି ଷଡ଼ଙ୍ଗୀ କହିଛନ୍ତି। ସମୟ ଥିଲା  ସିନେ ତାରକାଙ୍କୁ ସାମିଲ କରିବା କ୍ଷେତ୍ରରେ ଦଳମାନେ ଆଦୌ ଢିଲା ଦେଉନଥିଲେ। ନିଜ ଦକର ଗ୍ଲାମର ବଢ଼ାଇବା ପାଇଁ ଓ ପ୍ରାର୍ଥୀମାନଙ୍କ ପ୍ରଚାର ସକାଶେ ବିଗତ ଦୁଇ ବର୍ଷ ମଧ୍ୟରେ ବହୁ ଷ୍ଟାର ରାଜନୀତିକ ଦଳରେ ଯୋଗ ଦେଇଥିଲେ।

ବିଜେଡି ଷ୍ଟାର ତାଲିକା

ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ଓ ଆକାଶ ଦାସ ନାୟକଙ୍କ ବ୍ୟତୀତ ବିଜେଡିରେ ଅଛନ୍ତି ପ୍ରଶାନ୍ତ ନନ୍ଦ, ସତ୍ୟବ୍ରତ ଓରଫ କୁନା ତ୍ରିପାଠୀ, ଅରିନ୍ଦମ ରାୟ ଓ ଶ୍ରୀମୟୀ ମିଶ୍ର। ତାରକାଙ୍କ ବ୍ୟତୀତ ଗାୟକ/ ଗାୟିକା ଓ ଟିଭି ଆକଟ୍ରେସ ବି ବିଜେଡିରେ ଭର୍ତ୍ତି ହୋଇଛନ୍ତି ଯଥା ତୃପ୍ତି ଦାସ, ଏଲିନା ଦାସ ଓ ଆଗ ଜମାନାର ମୁନା ଖାଁ।

ବିଜେପି ଓ କଂଗ୍ରେସ

ବିଜେଡି ଭଳି ବିଜେପିରେ ମଧ୍ୟ ବେଶ୍ କିଛି ଷ୍ଟାର ଅଛନ୍ତି। ପିଙ୍କି ଓ ଅପରାଜିତାଙ୍କ ବ୍ୟତୀତ ଏଠି ଅଛନ୍ତି ମହାଶ୍ୱେତା ରାୟ, ମିହିର ଦାସ, ଅଶ୍ରୁ ମୋଚନ ମହାନ୍ତି, ଶ୍ରୀତମ ଦାସ, ଅନୁ ଚୌଧୁରୀ ଓ କମେଡିଅନ ହରିହର ମହାପାତ୍ର। କଂଗ୍ରେସରେ ବେଶୀ ଫିଲ୍ମ  ଷ୍ଟାର ନାହାନ୍ତି। ଅପରାଜିତା ବିଜେପିକୁ ଆସିବା ପରେ ବିଜୟ ମହାନ୍ତି ଦଳ ସହିତ ସମ୍ପର୍କ ଛିନ୍ନ କରିଛନ୍ତି।

କେବେଠୁ ଆରମ୍ଭ ?

ଓଡ଼ିଶାରେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଆସି ରାଜନୀତିରେ ଯୋଗ ଦେବା ଟ୍ରେଣ୍ଡ ଆରମ୍ଭ ହୁଏ ୧୯୭୨ରେ ଶରତ ପୂଜାରୀଙ୍କଠାରୁ। ଉତ୍କଳ କଂଗ୍ରେସ ଟିକେଟରେ ସେ ଲଢ଼ିଥିଲେ କିନ୍ତୁ ହାରି ଯିବା ପରେ ଆଉ ରାଜନୀତି କରିନଥିଲେ। ସେହିଭଳି ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର ଓ ଧୀର ବିଶ୍ୱାଳ ବି ଏକଦା ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ, କିନ୍ତୁ ସଫଳ ହୋଇନଥିଲେ।

ନେତା ଓ ଅଭିନେତା

ଅବଶ୍ୟ ସିନେମା ଷ୍ଟାରମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରଯାଇ ପାରିବ ନାହିଁ କାରଣ ଅଭିନୟ ଓ ରାଜନୀତି ଭିତରେ ଏତେଟା ଫରକ ନାହିଁ। ଉଭୟ ବୃତ୍ତିରେ ଅନେକଟା ସାମଞ୍ଜସ୍ୟ ରହିଛି, ଏବଂ ଉଭୟଥିରେ ଚେହେରା ହିଁ କାମ କରିଥାଏ। ଓଡ଼ିଶାର ଗାଁ ଗହଳିରେ ଓଡ଼ିଆ ଫିଲ୍ମ ଷ୍ଟାରମାନଙ୍କ ପ୍ରବଳ ଲୋକପ୍ରିୟତା ରହିଛି, ଖାଲି ତା’ର ଫାଇଦା ଉଠାଇ ପାରିଲେ ହେଲା। ଅନୁଭବ ହେଉଛନ୍ତି ତାର ଏକ ବଡ଼ ଉଦାହରଣ।
mamtaଦିଦିଙ୍କ କମାଲ

ଓଡ଼ିଶାରେ ହୁଏତ ଏଥର ଫିଲ୍ମ ଷ୍ଟାରମାନଙ୍କୁ ଅଣଦେଖା କରଯାଇଛି। ପଡ଼ୋଶୀ ବଙ୍ଗଳାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ କଥାଟିକୁ ଠିକ୍ ଧରିଛନ୍ତି। ୪୨ଲୋକସଭା ଆସନ ମଧ୍ୟରୁ ସେ ୬ ଜଣ ଫିଲ୍ମ ଷ୍ଟାରଙ୍କୁ ଏମପି ଟିକେଟ ଦେଇଛନ୍ତି।

Comment