ନୀଳାମ୍ବର ରଥ

ପ୍ରତିଥର ଭୋଟ୍ ଆସିଲେ ବଦଳନ୍ତି ନେତା; ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏକଥା ପ୍ରମାଣିତ ହୋଇ ଆସୁଛି ଖଣ୍ଡପଡ଼ା ବିଧାନସଭା ଆସନରେ।

ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର। ୨୦୧୯ ନିର୍ବାଚନରେ ଏହି ବିଧାନସଭା ଆସନରୁ ବିଜୁ ଜନତା ଦଳ ସମ୍ବାଦର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ୨୦୧୪ ନିର୍ବାଚନରେ ବିଜେଡ଼ି ଟିକେଟ୍ ଜିତିଥିବା ଅନୁଭବ ପଟ୍ଟନାୟକଙ୍କ ଟିକେଟ୍ କଟିଛି।

ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଖଣ୍ଡପଡ଼ାର ହିସାବ ତୁଟିନଥିଲା। ଅନୁଭବଙ୍କୁ ଟିକେଟ୍ ଦିଆଯିବ କି ନାହିଁ ସେ ଗଣିତ ବେଶ୍ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା। କିଛି ମାସ ତଳେ ବିଜେଡିରେ ଯୋଗ ଦେଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ଆସନରୁ ପ୍ରାର୍ଥୀ ହେବାକୁ ଅଡ଼ି ବସିଥିଲେ। ଅନୁଭବଙ୍କୁ ନା କହି ସୌମ୍ୟଙ୍କୁ ହଁ କହିବାକୁ ନବୀନଙ୍କ ରାଜନୈତିକ ମ୍ୟାନେଜରମାନଙ୍କୁ ବେଶ୍ କିଛି ସମୟ ଲାଗିଗଲା।

କେମିତି କଟିଲା ଅନୁଭବଙ୍କ ଟିକେଟ୍?

ବିଜେଡ଼ି ଟିକେଟ୍‌ରେ ପ୍ରଥମ ନିର୍ବାଚନରେ ବିଧାୟକ ହୋଇଥିବା ଅନୁଭବ ପଟ୍ଟନାୟକ ଖଣ୍ଡପଡ଼ାର ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ କୁମାର ପଟ୍ଟନାୟକ ଏବଂ ଦୁଇଥର ବିଧାୟିକା ହୋଇଥିବା ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ପୁଅ। ୨୦୧୪ରେ ତାଙ୍କ ଉପରେ ଭରସା କରିଥିଲା ବିଜେଡି। ହେଲେ ୨୦୧୯ରେ ତାଙ୍କ ମୁଣ୍ଡରୁ ହାତ ଉଠାଇନେଲେ ନବୀନ।

ଏଥର ନିର୍ବାଚନ ଲାଗି ଅନୁଭବ ଟିକେଟ୍ ପାଇବା ଏକ ପ୍ରକାର ସ୍ଥିର ହୋଇସାରିଥିଲା। ହେଲେ ଶେଷ ମୁହୂର୍ତ୍ତରେ ଖଣ୍ଡପଡ଼ା ଆସନରେ ଟିକେଟ୍ ପାଇଁ ଜିଦ୍ ଧରିଥିଲେ ସୌମ୍ୟ। ତେବେ ସୌମ୍ୟରଞ୍ଜନ ରାଜ୍ୟସଭା ପଦବୀରେ ସନ୍ତୁଷ୍ଟ ରହିବାକୁ ଦଳ ପକ୍ଷରୁ ପ୍ରଥମେ ପରାମର୍ଶ ଦିଆଯାଇଥିଲା। କିନ୍ତୁ ଏହି ପରାମର୍ଶ ସୌମ୍ୟଙ୍କୁ କାଟୁ କରିନଥିଲା। ଖଣ୍ଡପଡ଼ାରୁ ଟିକେଟ୍ ନ ମିଳିଲେ ସେ ଦଳ ଛାଡ଼ିଦେବେ ବୋଲି ପରୋକ୍ଷରେ ଧମକ ଦେଇଥିବା ବିଜେଡିର ଗୋଟିଏ ମହଲରେ ଚର୍ଚ୍ଚା ହୁଏ।

ଏଥର ଖଣ୍ଡପଡ଼ା ଆସନ ପାଇଁ ଅନୁଭବଙ୍କ ସହ ଆଉ ଜଣେ ଆଶାୟୀ ଥିଲେ ଭାପୁର ବ୍ଲକ୍‌ର ଉପାଧ୍ୟକ୍ଷ ଗୟାଧର। ଯଦିଓ ଗୟାଧରଙ୍କର ପ୍ରଭାବ କେବଳ ଭାପୁର ବ୍ଲକ୍‌ରେ ସୀମିତ ରହିଛି ତଥାପି ସେ ଅନୁଭବଙ୍କ ପାଇଁ କଣ୍ଟା ହୋଇଥିଲେ। ଅନୁଭବ ଓ ଗୟାଧରଙ୍କ କଳି ଭିତରେ ବାଜି ମାରିନେଲେ ସୌମ୍ୟରଞ୍ଜନ।

 ସୌମ୍ୟଙ୍କ ପାଇଁ ଶେଷ ସୁଯୋଗ!

ସୌମ୍ୟଙ୍କ ପାଇଁ ଏଥର ଶେଷ ସୁଯୋଗ ବୋଲି କୁହାଯାଉଛି। ଟିକେଟ୍ ପାଇବା ପରେ ସୌମ୍ୟରଞ୍ଜନ ମଧ୍ୟ ଏକଥାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି।

‘‘ଖଣ୍ଡପଡ଼ା ସହ ମୋର ସମ୍ପର୍କ ବେଶ୍ ନିବିଡ଼। ତେଣୁ ସେଠାରୁ ଥରୁଟିଏ ନିର୍ବାଚିତ ହୋଇ ମୁଁ ପଠାଣି ସାମନ୍ତଙ୍କ ମାଟିର ସେବା କରିବାକୁ ଚାହେଁ। ମତେ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଁ ନିର୍ବାଚନରେ ଜିତିଲେ ମୋର ସେହି ଅଭିଳାଷ ଚରିତାର୍ଥ ହେବ”, ଗଣମାଧ୍ୟମ ଆଗରେ ଖୋଲାଖୋଲି ଭାବେ କହିଥିଲେ ସୌମ୍ୟ।

ସୌମ୍ୟ ବାବୁଙ୍କ ରାଜନୀତିକ ଜୀବନରେ ଖଣ୍ଡପଡ଼ା ସହ ସମ୍ପର୍କ ଆରମ୍ଭ ହୋଇଥିଲା ଯେତେବେଳେ ସେ ଭୁବନେଶ୍ୱର ଲୋକସଭା ଆସନରୁ  କଂଗ୍ରେସ୍ ଟିକେଟରେ ନିର୍ବାଚିତ ହୋଇଥିଲେ। ତେବେ ଏହି ଅଞ୍ଚଳରୁ ବିଧାନସଭାରେ ପ୍ରତିନିଧିତ୍ୱ କରିବା ସୌମ୍ୟଙ୍କର ଦୀର୍ଘଦିନର ଅଭିଳାଷ ରହି ଆସିଥିଲା। ତେବେ ୨୦୦୯ ଏବଂ ୨୦୧୪ରେ ଦୁଇ ଦୁଇଟି ନିର୍ବାଚନରେ ହାରିଯାଇ ତାଙ୍କର ରାଜନୈତିକ ମନୋବଳ ଏକପ୍ରକାର ଦୁର୍ବଳ ହୋଇଯାଇଥିଲା।

୨୦୦୯ରେ ସୌମ୍ୟବାବୁ କଂଗ୍ରେସ ଟିକେଟ୍‌ରେ ଖଣ୍ଡପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ହେଲେ ନବାଗତ ସିଦ୍ଧାର୍ଥ ଶେଖର ସିଂହ ତାଙ୍କୁ ପରାସ୍ତ କରିଥିଲେ। ଏହି ଭୋଟରେ ସିଦ୍ଧାର୍ଥଙ୍କୁ ୬୧ ହଜାର ୬୫୪ ଭୋଟ ମିଳିଥିଲା ବେଳେ ସୌମ୍ୟ ପାଇଥିଲେ ୪୪ ହଜାର ୮୪୦। ଦୀର୍ଘଦିନ ଧରି କଂଗ୍ରେସରେ ଜଡ଼ିତ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପୁଅ ସିଦ୍ଧାର୍ଥ ଶେଖର ବିଜେଡି ଟିକେଟ୍‌ରେ ବାଜିମାତ୍ କରିଥିଲେ। ବିଭୂତି ଭୂଷଣ ଓ ସିଦ୍ଧାର୍ଥ ଏହି ନିର୍ବାଚନର କିଛି ଦିନ ପୂର୍ବରୁ ହିଁ ନବୀନ ବାବୁଙ୍କ ହାତ ଧରିଥିଲେ।

୨୦୧୪ରେ ସୌମ୍ୟ ବାବୁଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବିଜେଡିର ଅନୁଭବ ପଟ୍ଟନାୟକ। ସୌମ୍ୟରଞ୍ଜନ ପଟ୍ଟନାୟକ ସେତେବେଳେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ଓ ଭାଷା ଅନୁଷ୍ଠାନ ‘ଆମ ଓଡ଼ିଶା’ କୁ ଏକ ରାଜନୈତିକ ଦଳର ରୂପ ଦେଇ ମାଠିଆ ଚିହ୍ନରେ ଖଣ୍ଡପଡ଼ାର ଭୋଟରଙ୍କୁ ଭୋଟ୍ ମାଗିଥିଲେ। ଅଳ୍ପ ଭୋଟ୍ ବ୍ୟବଧାନରେ ହାରି ଯାଇଥିଲେ ସୌମ୍ୟ।

ଏହି ନିର୍ବାଚନରେ ଅନୁଭବ ୬୨ ହଜାର ୨୫୭ ଖଣ୍ଡ ଭୋଟ ପାଇଥିଲାବେଳେ ସୌମ୍ୟ ତାଙ୍କୁ କଡ଼ା ଟକ୍କର ଦେଇ ୬୧ ହଜାର ୬୫୬ ଭୋଟ ହାସଲ କରିଥିଲେ। ସେଥର ବିଜେପିର ଶିବ ପ୍ରସାଦ ଭଞ୍ଜ ମାତ୍ର ୩ ହଜାର ୮୯୫ ଏବଂ କଂଗ୍ରେସର ବିନୋଦିନୀ ମହାନ୍ତି ୧୮୭୭ ଭୋଟ ପାଇଥିଲେ।

ଦିଲ୍ଲୀ ନୁହେଁ ଓଡ଼ିଶା ହିଁ ହେଉଛି ସୌମ୍ୟଙ୍କ ଅଭିଳାଷ, ଏକଥା ଆଜି ପ୍ରମାଣିତ ହୋଇଛି। ତେଣୁ ରାଜ୍ୟସଭା ଛାଡ଼ି ବିଧାନସଭାରେ ପଶିବାକୁ ଚାହୁଁଛନ୍ତି ସୌମ୍ୟବାବୁ। ଏହାକୁ ସେ ନିଜର ତଥା ତାଙ୍କ ସମର୍ଥକମାନଙ୍କର ଶେଷ ଅଭିଳାଷ ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି। ସୌମ୍ୟବାବୁଙ୍କ ଚାପ ଆଗରେ ଶେଷରେ ମୁଣ୍ଡ ନୁଆଁଇବାକୁ ବିଜେଡିର ଟିକେଟ୍ ବାଣ୍ଟୁଥିବା ନେତା ଓ ମ୍ୟାନେଜରମାନେ ବାଧ୍ୟ ହୋଇଛନ୍ତି!

ଖଣ୍ଡପଡ଼ା ଭୋଟ୍ ଗଣିତ

ଖଣ୍ଡପଡ଼ା ବିଧାନସଭା ଆସନର ଭୋଟ୍ ଗଣିତ ବେଶ୍ ରୋଚକ। ଏଠି ପ୍ରତି ନିର୍ବାଚନରେ ବଦଳନ୍ତି ପ୍ରାର୍ଥୀ। ଏଥର ଯେଉଁ ପ୍ରାର୍ଥୀ ଶାସକ ଦଳର ଭରସା ହାସଲ କରିଥାଏ ଆରଥରକୁ ସେ ଆଉ ବିଶ୍ୱାସରେ ନଥାଏ। ଗତ ପ୍ରାୟ ୨୦ ବର୍ଷ ଧରି ଏହି ଛାଇ ଆଲୁଅ ଖେଳ ଖଣ୍ଡପଡ଼ାରେ ଚାଲିଛି।

ବିଜୁବାବୁଙ୍କ ସରକାର ଅମଳରେ ୧୯୯୦ରୁ ୯୫ ଥାକରେ ଏଠାରୁ ଜନତା ଦଳରୁ ନିର୍ବାଚିତ ହୋଇଥିଲେ ଅରୁଣ ପଟ୍ଟନାୟକ। ଅରୁଣ ବାବୁଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଖଣ୍ଡପଡ଼ା ରାଜ ପରିବାର ସଦସ୍ୟ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ। ବିଭୂତି ଭୂଷଣଙ୍କଠାରୁ ଏକାଧିକ ବାର ହାରିଥିବା ଅରୁଣ ବାବୁ ୧୯୯୦ ନିର୍ବାଚନରେ ବିଭୂତିଙ୍କୁ ପରାସ୍ତ କରିଥିଲେ। ତେବେ ୧୯୯୫ ନିର୍ବାଚନରେ ପୁଣି ଅରୁଣଙ୍କୁ ପରାସ୍ତ କରିଥିଲେ ବିଭୂତି।

ଅରୁଣ ପଟ୍ଟନାୟକଙ୍କ ଦେହାନ୍ତ ପରେ, ୨୦୦୦ ମସିହା ନିର୍ବାଚନରେ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ ବିଜେଡିର ପ୍ରାର୍ଥୀ ଭାବେ ଏହି ଆସନରୁ ଠିଆ ହୋଇଥିଲେ। ମୁଖ୍ୟତଃ ଅନୁକମ୍ପା ଭୋଟ୍ ଆଧାରରେ ସେ ଜିତିଥିଲେ ଏବଂ ହାରିଥିଲେ ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ। ପରବର୍ତ୍ତୀ ନିର୍ବାଚନ ୨୦୦୪ରେ ବିଜୟଲକ୍ଷ୍ମୀଙ୍କୁ ବିଜେଡି ଭରସାକୁ ନେଇ ନଥିଲା। ତାଙ୍କ ବଦଳରେ ଖଣ୍ଡପଡ଼ାର ବନମାଳି ଦାସଙ୍କୁ ଦଳ ପ୍ରାର୍ଥୀ କରିଥିଲା। ନବୀନଙ୍କ ନିଷ୍ପତ୍ତିକୁ ଖାତିର ନକରି ବିଜୟଲକ୍ଷ୍ମୀ ସ୍ୱାଧୀନରେ ଲଢ଼ି ଜିତିଥିଲେ। ସ୍ୱାଧୀନରେ ବିଜୟୀ ବିଜୟଲକ୍ଷ୍ମୀଙ୍କୁ ପୁଣି ଶଙ୍ଖ ଦଳ ସ୍ୱାଗତ କରି ନେଇଥିଲା।

୨୦୦୯ ବେଳକୁ ପୁଣି ବଦଳିଲା ବିଜେଡିର ଗଣିତ। ବିଜୟଲକ୍ଷ୍ମୀଙ୍କୁ ମିଳିଲାନି ଟିକେଟ୍। ଦଳରୁ ଟିକେଟ୍ ନେଲେ ବିଭୂତି ଭୂଷଣଙ୍କ ପୁଅ ସିଦ୍ଧାର୍ଥ ଶେଖର ସିଂହ। ଏହି ଭୋଟ୍‌ରେ ବିଜୟଲକ୍ଷ୍ମୀ ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ି ଶେଷରେ ପରାଜିତ ହୋଇଥିଲେ।

୫ ବର୍ଷ ଭିତରେ ପୁଣି ବଦଳିଗଲା ଖଣ୍ଡପଡ଼ାର ନେତୃତ୍ୱ। ୨୦୧୪ରେ ସିଦ୍ଧାର୍ଥଙ୍କ ଉପରୁ ଭରସା ଉଠାଇ ଦେଇଥିଲା ବିଜେଡି। ମୁଖ୍ୟତଃ ସାଙ୍ଗଠନିକ ଦୁର୍ବଳତା ଓ ଦଳୀୟ କର୍ମୀମାନଙ୍କୁ ସନ୍ତୁଷ୍ଟ କରିପାରିନଥିବା କାରଣରୁ ସିଦ୍ଧାର୍ଥଙ୍କ ଟିକେଟ୍ କଟିଥିଲା। ସେଥର ଟିକେଟ୍ ପାଇଲେ ବିଜୟଲକ୍ଷ୍ମୀଙ୍କ ପୁଅ ଅନୁଭବ ପଟ୍ଟନାୟକ ଏବଂ ନିର୍ବାଚନ ଜିତିଲେ ମଧ୍ୟ।

୨୦୧୯ରେ ପୁଣି ଥରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ରାଜନୈତିକ ପରମ୍ପରା ପୁନରାବୃତ୍ତି ଘଟିଥିଲା। ଅନୁଭବ ପଟ୍ଟନାୟକଙ୍କୁ ସାନି ଟିକେଟ୍ ନଦେଇ ଶେଷ ମୁହୂର୍ତ୍ତରେ ବିଜେଡି ସୌମ୍ୟ ପଟ୍ଟନାୟକଙ୍କ ମୁଣ୍ଡରେ ପାଗ ଭିଡ଼ିଲା। ଅନୁଭବ ଆଉଟ୍, ସୌମ୍ୟ ଇନ୍।

ସୌମ୍ୟରଞ୍ଜନଙ୍କୁ ଟିକେଟ୍ ନ ଦେବାକୁ ଚେଷ୍ଟା କରିଥିଲେ ଅନୁଭବ ପଟ୍ଟନାୟକ। ଅନୁଭବଙ୍କୁ ଟିକେଟ୍ ନ ମିଳିଲେ ସେ ଦଳ ଛାଡ଼ି ସ୍ୱାଧୀନ ଭାବେ ଛିଡ଼ା ହେବେ ବୋଲି ସଙ୍କେତ ଦେଇଥିଲେ। ସୋସିଆଲ୍ ମିଡିଆରେ ମଧ୍ୟ ‘ପୁଣିଥରେ ଅନୁଭବ’ ଶୀର୍ଷକରେ ବୁଲୁଥିବା ଡିଜିଟାଲ୍ ପୋଷ୍ଟରରେ ଲେଖାଥିଲା ‘ଦଳ ନାହିଁ କି ବଳ ନାହିଁ, ଏ ଲଢ଼େଇ ଖଣ୍ଡପଡ଼ା ସ୍ୱାଭିମାନ ପାଇଁ’। ହେଲେ ଅନୁଭବଙ୍କୁ ବୁଝାଇ ଦେଲା ବିଜେଡି। ଏହି ସମୟରେ ଦଳ ଛାଡ଼ି ବିଶେଷ କିଛି ଲାଭବାନ୍ ହେବେ ନାହିଁ ବୋଲି ଅନୁଭବ, ଅନୁଭବ କରିନେଇଥିଲେ। ରୋଚକ କଥା ହେଉଛି ଯେ ଯେଉଁ ସୌମ୍ୟ ବାବୁଙ୍କୁ ଗତ ନିର୍ବାଚନରେ ଅନୁଭବ ପରାସ୍ତ କରିଥିଲେ ଏଥର ସେଇ ସୌମ୍ୟ ବାବୁଙ୍କ ପ୍ରାର୍ଥିପତ୍ରରେ ତାଙ୍କୁ (ଅନୁଭବ) ପ୍ରସ୍ତାବକ ସାଜିବାକୁ ପଡ଼ିଲା।

ବିଧାନସଭାକୁ ସଟ୍‌କଟ୍‌

ଗୋଟେ ସମୟରେ ନବୀନ ପଟ୍ଟନାୟକଙ୍କ ସବୁଠାରୁ ବଡ଼ ସମାଲୋଚକ ଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ତାଙ୍କ ଗାଡ଼ି ଯେଉଁଦିନ ନବୀନ ନିବାସ ଗେଟ୍ ପାଖରେ ପହଞ୍ଚିଥିଲା ସାରା ଓଡ଼ିଶାରେ ସେ ଖବର ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଶେଷରେ ସୌମ୍ୟ ତାଙ୍କର ରାଜନୈତିକ ଆଦର୍ଶ ଓ ସ୍ୱାଭିମାନ ଆନ୍ଦୋଳନକୁ ଏକପ୍ରକାର ଜଳାଞ୍ଜଳି ଦେଇ ବିଜେଡିରେ ଯୋଗ ଦେଇଥିଲେ।

ବିଜୁ ଜନତା ଦଳ ତାଙ୍କୁ ପୁରସ୍କାର ସ୍ୱରୂପ ଦେଲା ରାଜ୍ୟସଭା ଆସନ। ହେଲେ ରାଜ୍ୟ ରାଜନୀତିରେ ସକ୍ରିୟ ଏବଂ ପ୍ରଭାବଶାଳୀ ରହିବାକୁ ଚାହୁଁଥିବା ସୌମ୍ୟ ରଞ୍ଜନଙ୍କୁ ରାଜ୍ୟସଭା ବାନ୍ଧି ପାରିଲା ନାହିଁ। ଏହି ରାଜ୍ୟସଭା ସିଟ୍ ଏବେ ସୌମ୍ୟଙ୍କୁ ବିଧାନସଭାକୁ ନେବା ପାଇଁ ଏକ ସଟକଟ ରାସ୍ତା ହୋଇପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।

ଯେଉଁ ଅନୁଭବ ପଟ୍ଟନାୟକଙ୍କଠାରୁ ସୌମ୍ୟ ଗତ ନିର୍ବାଚନରେ ହାରିଥିଲେ ଚଳିତ ନିର୍ବାଚନରେ ତାଙ୍କୁ (ଅନୁଭବ) ରାସ୍ତାରୁ ହଟାଇବାରେ ସକ୍ଷମ ହୋଇଛନ୍ତି। ଏଥର ବିଜେପିର ପ୍ରାର୍ଥୀ ହୋଇଛନ୍ତି ସିଦ୍ଧାର୍ଥ ଶେଖର ସିଂହ, ଯେ କି ୨୦୦୯ରେ ସୌମ୍ୟ ବାବୁଙ୍କୁ ଖଣ୍ଡପଡ଼ାରୁ ହରାଇଥିଲେ। ଏଥର ସୌମ୍ୟ ବାବୁଙ୍କର ନିର୍ବାଚନରେ ଯଦି ଜିତ୍ ହୁଏ ତାହେଲେ ସେ ସିଦ୍ଧାର୍ଥଙ୍କ ପ୍ରତି ମଧ୍ୟ ରାଜନୈତିକ ରାଗ ଶୁଝାଇବାରେ ସକ୍ଷମ ହେବେ।

ଖଣ୍ଡପଡ଼ା ଭୋଟ୍ ଗଣିତ କହୁଛି ଏଥର ନିର୍ବାଚନ ବେଶ୍ ରୋଚକ ହେବ ଆଉ ଆଗକୁ ଜମିବ ବିଧାନସଭା ରାଜନୀତି!

(ଲେଖକ ଜଣେ ବରିଷ୍ଠ ସମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Comment