ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ଗଣତାନ୍ତ୍ରିକ ରାଷ୍ଟ୍ରର ସବୁଠାରୁ ବଡ଼ ପର୍ବ। ଯେତେବେଳେ ନିର୍ବାଚନ ପାଖେଇ ଆସେ ସେତେବେଳେ ସମସ୍ତଙ୍କ ନିକଟରେ ନିର୍ବାଚନକୁ ନେଇ ଉତ୍କଣ୍ଠା ଦେଖାଯାଇଥାଏ। ଅନେକ ନିଜର ମତଦାନକୁ ନେଇ ମଧ୍ୟ ବେଶ୍‌ ଉତ୍ସାହୀ ଥାଆନ୍ତି। ନାଗରିକ ଭାବେ ମତାଧିକାର ସାବ୍ୟସ୍ତ କରିବାକୁ ସମସ୍ତେ ଅପେକ୍ଷାରେ ରହିଥାନ୍ତି।

ହେଲେ ଆମ ଦେଶ ସ୍ୱାଧୀନ ହେବା ପରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନରେ କିଏ ଭୋଟ ଦେଇଥିବେ? ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିଥିବା। ତେବେ ସେ ହେଉଛନ୍ତି  ଶ୍ୟାମ ଶରଣ ନେଗୀ, ଯିଏକି ଆମ ଦେଶର ପ୍ରଥମ ଭୋଟର ଭାବେ ପରିଚିତ।

ହିମାଚଳ ପ୍ରଦେଶ ଉତ୍ତର ଅଞ୍ଚଳରେ ରହୁଥିବା ବ୍ୟକ୍ତି ଜଣକ ଦେଶ ସ୍ୱାଧିନ ହେବା ପରେ ପ୍ରଥମ ସାଧାରଣ ନିର୍ବାଚନରେ ଭୋଟ ଦେଇଥିଲେ।

ରିପୋର୍ଟ ଅନୁସାରେ ଭାରତ ସ୍ୱାଧୀନ ହେବା ପରେ ୧୯୫୨ରେ ପ୍ରଥମେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେଉଥିବାରୁ ଏହା ପୂର୍ବରୁ ଅର୍ଥାତ ୧୯୫୧ ଅକ୍ଟୋବର ୨୩ରେ ସେଠାରେ ସ୍ୱତନ୍ତ୍ର ଭାବେ ମତଦାନ ଅନୁଷ୍ଠିତ ହୋଇଥିଲା।

ସେଠାରେ ଏହି ବ୍ୟକ୍ତି ଜଣକ ପ୍ରଥମ ଭୋଟର ଭାବେ ମତଦାନ କରିଥିଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ ଦେଶରେ ଯେତେଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି ସେ ନିଜର ମତଦାନ କରିଛନ୍ତି।

ଶ୍ୟାମ ଶରଣ ନେଗୀ ଜୁଲାଇ ୧, ୧୯୧୭ ମସିହାରେ ହିମାଚଳ ପଦେଶର କଳ୍ପରେ ଜନ୍ମ ଗ୍ରହଣ କରିଥିଲେ। ଏବେ ସେ ୧୦୧ ବର୍ଷରେ ପହଞ୍ଚିଲେଣି। ଆଖିକୁ ଆଉ ଭଲ ଭାବରେ ଦେଖାଯାଉନି। ତଥାପି ଏଥର ବି ସେ ମତଦାନ କରିବେ ବୋଲି ଆଶା ରଖିଛନ୍ତି। କଳ୍ପ ଅଞ୍ଚଳରେ ମେ ୧୯ରେ ମତଦାନ ହେବ।

Comment