ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 7PM

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ଭୋଟଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି।

ପିପିଲିରେ ଷଡ଼ଯନ୍ତ୍ର ରଚିଛି ବିଜେପି, ଲୋକେ ଜବାବ ଦେବେ – ପିନାକୀ ମିଶ୍ର

‘‘ପିପିଲି ନିର୍ବାଚନମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ବିପୁଳ ଭୋଟରେ ଜିତିଥାନ୍ତେ। ପ୍ରାୟ ୮୦ ହଜାରରୁ ଅଧିକ ଭୋଟ ପାଇଥାନ୍ତେ। କିନ୍ତୁ ମତଦାନ ପୂର୍ବରୁ ପିପିଲିରେ ବିଜେପି ଷଡ଼ଯନ୍ତ୍ର ରଚିଲା।  ମହାରଥୀଙ୍କ ବିରୋଧରେ ଏତଲା ରୁଜୁ କରି ତାଙ୍କୁ ଗିରଫ କରାଗଲା। ଏହାଦ୍ୱାରା ବିଜେପିର ଭୋଟ ହାର ବଢ଼ିବନି। ମହାରଥୀ ବିପୁଳ ଭୋଟରେ ଜିତିବେ’’, ଓଡ଼ିଶାଲାଇଭକୁ କହିଛନ୍ତି ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର।

୨୫ରେ ୯ଟି ବୁଥରେ ହେବ ସାନି ମତଦାନ

ଏପ୍ରିଲ ୨୫ ତାରିଖରେ ୯ଟି ବୁଥରେ ହେବ ସାନି ମତଦାନ। ଏନେଇ ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ କିଛି ବୁଥରେ ମତଦାନକୁ ସ୍ଥଗିତ ରଖାଯାଇଥିଲା। ବିଭିନ୍ନ କାରଣ ନେଇ ସ୍ଥଗିତ ହୋଇଥିବା ୯ଟି ବୁଥରେ ସାନି ମତଦାନ ହେବ। ସୁନ୍ଦରଗଡ଼ର ୨ଟି ବୁଥ, କନ୍ଧମାଳର ୨ଟି, ବରଗଡ଼ର ୪ଟି, ଆସିକାର ଗୋଟିଏ ବୁଥରେ ସାନି ମତଦାନ ହେବ।

ବାଲେଶ୍ୱରରେ ମୋଦି କଲେ ପ୍ରଚାର – ‘‘ଆମକୁ ୫ ବର୍ଷ ସୁଯୋଗ ଦିଅ, ୫ ଗୁଣା ଅଧିକ କାମ କରି ଦେଖାଇବୁ’’

‘‘ଖଣି, ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇ ରହିଛନ୍ତି ବିଜେଡି ନେତା। ଦୁର୍ନୀତି ଯୋଗୁଁ ଓଡ଼ିଶାର ବିକାଶ ହୋଇପାରୁ ନାହିଁ। ଓଡ଼ିଶାକୁ ଦୁର୍ନୀତିମୁକ୍ତ କରିବା ପାଇଁ ଡବଲ ଇଞ୍ଜିନ ସରକାର ଦରକାର। ଓଡ଼ିଶାରେ ବିଜେପିକୁ ୫ ବର୍ଷ ସୁଯୋଗ ଦିଅ, ଆମେ ୫ ଗୁଣା ଅଧିକ କାମ କରି ଦେଖାଇବୁ’’, ବାଲେଶ୍ୱର ସଭାରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନିର୍ବାଚନ କମିଶନଙ୍କୁ ସିଧା ପ୍ରଶ୍ନ କଲା ବିଜେଡି – ଯଦି ମହାରଥୀଙ୍କ ପାଇଁ ‘ହଁ’, ଧର୍ମେନ୍ଦ୍ରଙ୍କ ପାଇଁ ‘ନା’ କାହିଁକି?

ସୋମବାର ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ପୋଲିସ ଗିରଫ କରିଥିଲା। ଏହାପରେ ବିଜେଡିର ଏକ ପ୍ରିତିନିଧି ଟିମ୍ ନିର୍ବାଚନ ଅଧିକାରୀଙ୍କୁ ଯାଇ ଭେଟିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିକଟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡି ଫେରାଦ ହୋଇଛି। ଦଳ କହିଛି ନବୀନ ପଟ୍ଟନାୟକ ଆଇନକୁ ଗୁରୁତ୍ୱ ଦେଇଆସିଛନ୍ତି। ୨୪ଘଣ୍ଟା ମଧ୍ୟରେ ଜଣେ ବିଧାୟକ ଗିରଫ ହେଲେ ମାତ୍ର ସାମାନ ମାମଲାରେ କାହିଁକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ଦଳ ପ୍ରଶ୍ନ କରିଛି।

ପିପିଲିରେ ସୁରୁଖୁରୁରେ ଚାଲିଛି ମତଦାନ

ପିପିଲିରେ ସୁରକ୍ଷିତ ଭାବେ ଚାଲିଛି ଭୋଟ ଗ୍ରହଣ। ମୋଟ ୨୭୩ଟି ବୁଥ୍‌ରେ ସୁରକ୍ଷିତ ଭାବେ ମତଦାନ ଗ୍ରହଣ କରାଯାଉଛି। ସେଥିମଧ୍ୟରୁ ୩୫ଟି ମଡେଲ ବୁତ୍‌ ରହିଛି। ଯେଉଁଠି ଭୋଟରମାନଙ୍କ ପାଇଁ ବିଶେଷ ସୁବିଧାର ବ୍ୟବସ୍ଥା ରହିଛି। ଏପର୍ଯ୍ୟନ୍ତ ପିପିଲି ନିର୍ବାଚନ ମଣ୍ଡଳୀର କୌଣସି ସ୍ଥାନରେ ଇଭିଏମ୍‌ ସମସ୍ୟା ଦେଖା ଦେଇନଥିବାର ସୂଚନା ମିଳିଛି।

କଥାରେ ଦେଶ ଚାଲେ ନାହିଁ –  ନବୀନ

ସାରାଦେଶରେ ୧୧୬ ଲୋକସଭା ଆସନ ଲାଗି ମତଦାନ ହେଉଛି। ରାଜ୍ୟରେ ୬ଲୋକସଭା ଓ ୪୨ ବିଧାନସଭା ଆସନ ଲାଗି ମତଦାନ ହେଉଛି। ବିଜେଡି ସଭାପତି ନିଜର ମତଦାନ ସାବ୍ୟସ୍ତ କରିବା ପରେ ଶେଷ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର କରିଛନ୍ତି।ଯାଜପୁର ଓ ଭଦ୍ରକରେ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି ନବୀନ। ଭଦ୍ରକ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ସିଧାସଳଖ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ।

କେନ୍ଦ୍ରାପଡ଼ାରେ ମୋଦି ସିଧା କହିଲେ – ‘‘ଭଲରେ ଭଲରେ ନବୀନ ରାଜନୀତିରୁ ବିଦାୟ ନିଅନ୍ତୁ’’

ଚତୁର୍ଥ ପର୍ଯ୍ୟାୟ ମତଦାନ ଲାଗି ପ୍ରଚାର କରିବାକୁ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିା କେନ୍ଦ୍ରାପଡ଼ା ବାରୁଅ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ମୋଦିା ଜୟ ଜଗନ୍ନାଥ, ଜୟ ବଳଦେବ ମହାପ୍ରଭୁ କହି ଆଜି ଉଦବୋଧନ ଆରମ୍ଭ କରିଥିଲେ ମୋଦିା ‘‘ମୁଁ ଭୋଟ ଦେଇ ଆସିଛିା ଭୋଟ ଦେବା ଏକ କର୍ତ୍ତବ୍ୟ ଓ ସୌଭାଗ୍ୟ’’, ମୋଦି ଜନତାଙ୍କୁ କହିଛନ୍ତିା

ମତ ସାବ୍ୟସ୍ତ କଲେ ନବୀନ ପଟ୍ଟନାୟକ

ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଭୁବନେଶ୍ୱରସ୍ଥିତ ଏରୋଡ୍ରମ କଲୋନୀରେ ଥିବା ୟୁପି ସ୍କୁଲରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଆଜି ନବୀନ ପାଖାପାଖି ୯.୪୦ରେ ବୁଥ ନମ୍ବର ୧୧୨ରେ ପହଞ୍ଚି ନିଜ ମତ ଦେଇଛନ୍ତି। ଭୋଟ୍ ଦେବା ପରେ ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ।

ପୂର୍ବ ଦିଲ୍ଲୀ ପାଇଁ ବିଜେପି ପ୍ରାର୍ଥୀ ହେଲେ ଗୌତମ ଗମ୍ଭୀର

ନିକଟରେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏଥର ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତିା ପୂର୍ବ ଦିଲ୍ଲୀ ଲୋକସଭା ଆସନ ପାଇଁ ବିଜେପି ତାଙ୍କୁ ପ୍ରାର୍ଥୀ କରିଛିା ଦିଲ୍ଲୀର ସମୁଦାୟ ୭ଟି ଆସନରୁ ବିଜେପି ରବିବାର ୪ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।

ଗଣତନ୍ତ୍ର ମହାକୁମ୍ଭରେ ସାମିଲ ହୋଇ ଭୋଟଦେଲେ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ସମୟ ପୂର୍ବରୁ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ତାଲଚେରରେ ଭୋଟ ଦେଇଛନ୍ତି। ୬୦ ନମ୍ବର ବୁଥରେ ଧର୍ମେନ୍ଦ୍ର ପ୍ରଧାନ ଭୋଟ ଦେଇଛନ୍ତି। ସେ ପୋଲିଂ ବୁଥର ଧାଡ଼ିରେ ଛିଡ଼ା ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଭୋଟ୍ ଦେଲେ ଅପରାଜିତା

ଭୋଟ୍ ଦେଲେ ଭୁବନେଶ୍ୱର ଲୋକସଭା ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ। ସେ ଭୁବନେଶ୍ୱରସ୍ଥିତ ଆଇଆରସି ଭିଲେଜ୍ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା ବୁଥ କେନ୍ଦ୍ରକୁ ଯାଇ ନିଜ ମତ ସାବ୍ୟସ୍ତ କରିଛନ୍ତି। ଅପରାଜିତା ଲମ୍ବା ଧାଡ଼ିରେ ଠିଆ ହୋଇ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି।

ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୋଇ ଭୋଟ ଦେଲେ ମୋଦି

ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛିା ଏହି ପର୍ଯ୍ୟାୟରେ ଗୁଜୁରାଟର ସମସ୍ତ ଆସନ ଓ କେରଳର ସମସ୍ତ ଆସନରେ ମତଦାନ ହେବା ମୋଦି ଆଜି ଗୁଜୁରାଟର ଅହମ୍ମଦାବାଦରେ ନିଜର ମତ ସାବ୍ୟସ୍ତ କରିଛନ୍ତି।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ତୃତୀୟ ପର୍ଯ୍ୟାୟ ମତଦାନ : ଆଜି ‘ବାବୁ-ବାବୁଆଣୀ’ଙ୍କ ପାଳି

କାହାର ହେବ ଭୁବନେଶ୍ୱର ଉତ୍ତର ଆସନ?

ମୁଁ ବୋଧେ କାଲି ମରିଯାଇଥାନ୍ତି – ଫ୍ଲାଇଙ୍ଗ୍ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍

ପିପିଲିରେ କ’ଣ ହେବ ମହାରଥୀଙ୍କ ଭାଗ୍ୟ?

ମତଦାନର ମାତ୍ର ଦିନକ ଆଗରୁ କାହିଁକି ଗିରଫ ହେଲେ ପ୍ରଦୀପ ମହାରଥୀ?

Comment