ଓଡ଼ିଶାଲାଇଭ୍‌ ବ୍ୟୁରୋ

modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାରଣାସୀରେ ନାମାଙ୍କନ ଦାଖଲ କରିଛନ୍ତି। ଲଗାତାର ଦ୍ୱିତୀୟ ଥର ପାଇଁ ବାରଣାସୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି ମୋଦି। ପ୍ରାର୍ଥିପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀ ସତ୍ୟପାଠ ଦାଖଲ କରିଛନ୍ତି ଯେଉଁଥିରେ ଶିକ୍ଷା ଏବଂ ସମ୍ପତ୍ତି ତାଲିକା ଉଲ୍ଲେଖ ରହିଛି। ଗତ ପାଞ୍ଚ ବର୍ଷରେ ପ୍ରଧାନମନ୍ତ୍ରୀ ଆୟ ଦୁଇ ଗୁଣା ବଢ଼ିଛି। ୨୦୧୩-୧୪ ବର୍ଷରେ ମୋଦିଙ୍କ ଆୟ ୯ ଲକ୍ଷ ୬୯ ହଜାର ୭୧୧ ଟଙ୍କା ଥିଲାବେଳେ ଗତ ଆର୍ଥିକ ବର୍ଷ ୨୦୧୭-୧୮ରେ ୧୯ ଲକ୍ଷ ୯୨ ହଜାର ୫୨୦ ଟଙ୍କା ରହିଛି। ସେହିପରି ମୋଦିଙ୍କ ଆୟ ୫ ବର୍ଷରେ ୧୦ ଲକ୍ଷ ୨୨ ହଜାର ୮୦୯ ଟଙ୍କା ବଢ଼ିଛି। ଏହାଛଡ଼ା ପାଖରେ ନଗଦ ୩୮ ହଜାର ୭୫୦ ଟଙ୍କା ଥିବା ଦର୍ଶାଇଛନ୍ତି।

ଅଢ଼େଇ କୋଟି ଟଙ୍କାର ସମ୍ପତ୍ତିର ମାଲିକ

ପ୍ରଧାନମନ୍ତ୍ରୀ ୨ କୋଟି ୫୧ ଲକ୍ଷ ୩୬ ହଜାର ୧୧୯ଟଙ୍କାର ମାଲିକ ଅଟନ୍ତି। ବ୍ୟାଙ୍କ ଖାତାରେ ୪ ହଜାର ୧୪୩ ଟଙ୍କା ରହିଛି। ଏହାଛଡ଼ା ଏସବିଆଇରେ ଏକ ଫିକ୍ସ ଡିପୋଜିଟ୍ ରହିଛି ଯାହାର ପରିମାଣ ବଢ଼ି ଏବେ ୧ କୋଟି ୨୭ ଲକ୍ଷ ଟଙ୍କାରେ ପହଞ୍ଚିଛି। ୨୦ ହଜାର ଟଙ୍କାର ସରକାରୀ ବଣ୍ଡ ଏବଂ ୭ ଲକ୍ଷ ୬୧ ହଜାର ଟଙ୍କା ଏନ୍‌ଏସ୍‌ସିରେ ନିବେଶ କରିଛନ୍ତି। ୧ କୋଟି ୧୪ ଲକ୍ଷ ଟଙ୍କାର ସଚଳ ଏବଂ ୧ କୋଟି ୧ ଲକ୍ଷ ଟଙ୍କାର ଅଚଳ ସମ୍ପତ୍ତି ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ଗାଡି ନାହିଁ କିନ୍ତୁ ୧.୧୩ ଲକ୍ଷ ଟଙ୍କାର ସୁନା

ପ୍ରଧାନମନ୍ତ୍ରୀ ଦୁଇଟି ଜୀବନ ବୀମା କରିଥିଲାବେଳେ ତାଙ୍କ ପାଖରେ ୧ ଲକ୍ଷ ୧୩ ହଜାର ଟଙ୍କାର ଚାରିଟି ସୁନାମୁଦି ରହିଛି। ସେହିପରି କୌଣସି ଋଣ କରିନଥିଲାବେଳେ କୌଣସି କାର ନଥିବା ମଧ୍ୟ ଦର୍ଶାଇଛନ୍ତି। ଏହାଛଡ଼ା ଗାନ୍ଧିନଗରରେ ୩ ହଜାର ୫୩୧ ବର୍ଗଫୁଟର ଏକ ଫ୍ଲାଟ ରହିଛି ଯାହା ମୂଲ୍ୟ ୧ କୋଟି ୧ ଲକ୍ଷ।

ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା

୧୯୬୭ ମସିହାରେ ଗୁଜରାଟ ବୋର୍ଡରୁ ମୋଦି ମାଟ୍ରିକ ପାସ୍‌ କରିଥିବାବେଳେ ୧୯୭୮ରେ ଦିଲ୍ଲୀ ୟୁନିଭର୍ସିଟିରୁ ବି.ଏ ରେ ଡିଗ୍ରୀ ହାସଲ କରିଛନ୍ତି। ୧୯୮୩ରେ ଅହମ୍ମଦାବାଦରେ ଗୁଜରାଟ ଯୁନିଭର୍ସିଟିରୁ ଏମ.ଏରେ ଡିଗ୍ରୀ ହାସଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ପତ୍ନୀଙ୍କ ବିଷୟରେ କ’ଣ ଲେଖିଛନ୍ତି?

ସତ୍ୟପାଠରେ ପ୍ରଧାନମନ୍ତ୍ରୀ ଯଶୋଦାବେନଙ୍କୁ ପତ୍ନୀ ବୋଲି ଉଲ୍ଲେଖ କରିଛନ୍ତି। ଏହାଛଡ଼ା ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବା ଦର୍ଶାଇଛନ୍ତି।

Comment