ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବାତ୍ୟା ପରିଚାଳନାରେ ନବୀନଙ୍କୁ ପ୍ରଶଂସା କରିଥିଲେ ମୋଦି। ଏବେ ନବୀନ ମୋଦିଙ୍କୁ ଦେଲେ ଧନ୍ୟବାଦ।

ବାତ୍ୟା ‘ଫନି’ ପରେ ଏବେ ଓଡ଼ିଶାରେ ଚାଲିଛି ପ୍ରଶଂସା ରାଜନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ସୁପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିବା ବେଳେ ନବୀନ ଆଜି ଏହାର ରିଟର୍ଣ୍ଣ ଗିଫ୍ଟ ଦେଇଛନ୍ତି। ମୋଦିଙ୍କ ‘ପ୍ରଶଂସା’କୁ ନବୀନ ‘ଧନ୍ୟବାଦ’ରେ ଫେରାଇ ଦେଇଛନ୍ତି।

ଗତ ୩ ତାରିଖରେ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ‘ଫନି’। ବିଶେଷକରି ପୁରୀ ଏବଂ ରାଜଧାନୀ ଭୁବନେଶ୍ୱରକୁ ଛାରଖାର କରିଦେଇଥିଲା ଫନି। ମାତ୍ର ୬ ଘଣ୍ଟାର ତାଣ୍ଡବରେ ସବୁକିଛି ଛଡ଼ାଇ ନେଇଥିଲା ବାତ୍ୟା।

ବାତ୍ୟାର ଠିକ୍ ତିନି ଦିନ ପରେ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏୟାରପୋର୍ଟରେ ହିଁ ମୋଦି ବାତ୍ୟା ସୁପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଯାହା କରିବା କଥା ତାହା କରିଥିବା ମୋଦି ନବୀନଙ୍କ ଉପସ୍ଥିତିରେ ହିଁ କହିଥିଲେ।

ଏହାପରେ ମୋଦି ବାତ୍ୟା ପ୍ରଭାବିତ ଜିଲ୍ଲା ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ଆକାଶମର୍ଗରୁ ଅନୁଧ୍ୟାନ କରି ଭୁବନେଶ୍ୱରରେ ସମୀକ୍ଷା କରିଥିଲେ। ଏହି ଅବସରରେ ମୋଦି ଓଡ଼ିଶା ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ।

ମୋଦି ଏହି ପ୍ୟାକେଜ ଘୋଷଣା କରି ଦିଲ୍ଲୀ ଫେରିଯିବା ପରେ ନବୀନ ୧୭୦୦ କୋଟି ଟଙ୍କା ଦାବି କରିଥିଲେ।

ମୋଦି ଓଡ଼ିଶା ଆସିବା ଏବଂ ନବୀନ ୧୭୦୦ କୋଟି ଟଙ୍କା ଦାବି କରିବା ଘଟଣାକୁ ଇତିମଧ୍ୟରେ ୭ ଦିନ ବିତିଗଲାଣି। ୭ ଦିନ ପରେ ନବୀନ ଆଜି ଆଉ ଏକ ଚିଠି ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି। ଏହି ଚିଠିରେ ନବୀନ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ବାତ୍ୟା ସମୟରେ ମୋଦି ଓଡ଼ିଶା ପାଖରେ ଛିଡ଼ା ହୋଇଥିବାରୁ ନବୀନ ଧନ୍ୟବାଦ ଦେଇଥିବା କୁହାଯାଉଛି।

ମୋଦିଙ୍କୁ ଧନ୍ୟବାଦ ଦେବା ସହ ୫ ଲକ୍ଷ ପକ୍କା ଘର ମାଗିଛନ୍ତି ନବୀନ। ମୋଦିଙ୍କ ‘ପ୍ରଶଂସା’ ଏବଂ ନବୀନଙ୍କ ‘ଧନ୍ୟବାଦ’କୁ ନେଇ ଏବେ ଓଡ଼ିଶା ରାଜନୀତି ଉଠୁଛି ପଡୁଛି।

ବାତ୍ୟା ପୂର୍ବରୁ ଓଡ଼ିଶାରେ ଶେଷ ହୋଇଥିଲା ଲୋକସଭା ଏବଂ ବିଧାନସଭା ନିର୍ବାଚନ। ନିର୍ବାଚନ ପ୍ରଚାର ବେଳେ ନବୀନ ମୋଦିଙ୍କୁ ଟାର୍ଗେଟ କରୁଥିଲେ। ଫାଇଲିନ୍, ହୁଡହୁଡ, ତିତଲି ବେଳେ ମୋଦି କିମ୍ବା କୌଣସି କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଆସି ନଥିବା ବେଳେ ଏବେ ଭୋଟ ପାଇଁ ସେମାନେ ବାରମ୍ବାର ଓଡ଼ିଶା ଆସୁଥିବା ନବୀନ କହିଥିଲେ।

ଯେଉଁଠି ନିର୍ବାଚନ ସଭା କଲେ ସେଠି ଏହି ପ୍ରସଙ୍ଗକୁ ନବୀନ ପ୍ରମୁଖ ଅସ୍ତ୍ର କରି କେନ୍ଦ୍ରର ବିଜେପିକୁ ତୀର ମାରିଲେ। ନିର୍ବାଚନ ଶେଷ ହେଉ ହେଉ ଅଧା ଓଡ଼ିଶାକୁ ଛାରଖାର କରିଦେଲା ବାତ୍ୟା ଫନି। ଫନି ତାଣ୍ଡବର ମାତ୍ର ତିନି ଦିନ ପରେ ମୋଦି ଓଡ଼ିଶା ଆସିବା ସହ ସହାୟତା ରାଶି ଘୋଷଣା କଲେ। ଏହାସହ ନବୀନଙ୍କୁ ପ୍ରଶଂସା ମଧ୍ୟ କଲେ। ଏଣୁ ନବୀନ ମୋଦିଙ୍କୁ ରିଟର୍ଣ୍ଣ ଗିଫ୍ଟ ‘ଧନ୍ୟବାଦ’ ଦେଇଥିବା ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ ଏଇଠି କ୍ଲିକ୍ କରନ୍ତୁ।

Comment