ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପୁରୀରେ ମହେଶ୍ୱର ମହାନ୍ତି ଏବଂ ସଞ୍ଜୟ ଦାସବର୍ମାଙ୍କ ପରାଜୟ ବିଜେଡିକୁ ବଡ଼ ଧକ୍କା!

(ଭୁବନେଶ୍ୱରରୁ ସରୋଜ ମହାପାତ୍ର) : ବିଜୁ ଜନତା ଦଳକୁ ପୁରୀ ଏବଂ ବ୍ରହ୍ମଗିରିରେ ଜୋରଦାର ଝଟ୍‌କା ଲାଗିଛି। ପୁରୀ ବିଧାନସଭା ଆସନରେ ବିଜେଡିର ୨୫ ବର୍ଷର ଦୁର୍ଗ ଭାଙ୍ଗିଥିବା ବେଳେ ବ୍ରହ୍ମଗିରିରେ ୧୦ ବର୍ଷର ଦୁର୍ଗ ଭାଙ୍ଗିଛି। ଏହି ଦୁଇଟି ଆସନରେ ଏଥର ପଦ୍ମ ଫୁଟିଛି।

ପୁରୀ ଲୋକସଭା ଆସନରେ ଆସୁଥିବା ନୟାଗଡ଼, ରଣପୁର, ପିପିଲି, ଚିଲିକା, ସତ୍ୟବାଦୀରେ ନବୀନଙ୍କ ହାୱା କାମ କରିଥିବା ବେଳେ ପୁରୀ ଏବଂ ବ୍ରହ୍ମଗିରିରେ କାହିଁକି ପଦ୍ମ ଫୁଟିଲା ତାକୁ ନେଇ ବିଜେଡି କାରଣ ଖୋଜୁଛି।

ପୁରୀ ଥିଲା ମହେଶ୍ୱରଙ୍କ ଗଡ଼

ବିଜୁ ଜନତା ଦଳର ବରିଷ୍ଠ ନେତା ମହେଶ୍ୱର ମହାନ୍ତି ଲଗାତାର ପାଞ୍ଚ ଥର ପୁରୀ ବିଧାନସଭା ଆସନରୁ ନିର୍ବାଚିତ ହୋଇ ଆସୁଥିଲେ। ୧୯୯୫ରେ ଜନତା ଦଳ ଟିକେଟରୁ ଜିତିବା ପରେ ପରବର୍ତ୍ତୀ ସମୟରେ ବିଜେଡି ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ଆସିଥିଲେ।

ନବୀନ ପଟ୍ଟନାୟକଙ୍କ ସରକାରରେ ମହେଶ୍ୱର ବାଚସ୍ପତି ରହିବା ସହ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ହେବାର ସୁଯୋଗ ପାଇଥିଲେ। କିନ୍ତୁ ନବୀନଙ୍କ ଦ୍ୱିତୀୟ ପାଳି ସରକାର ଏବଂ ଚତୁର୍ଥ ପାଳିରେ ମହେଶ୍ୱର ବିବାଦୀୟ ହୋଇ ଯାଇଥିଲେ।

୨୦୦୪ ନିର୍ବାଚନରେ ଜିତି ମହେଶ୍ୱର ବିଧାନସଭାର ବାଚସ୍ପତି ରହିଥିଲେ। ହେଲେ ୨୦୦୮ରେ ମହିଳା ମାର୍ଶାଲ ଗାୟତ୍ରୀ ପଣ୍ଡା ଯୌନ ନିର୍ଯାତନା ମାମଲାରେ ସେ ବାଚସ୍ପତି ପଦ ହରାଇଥିଲେ। ୨୦୦୯ରେ ମହେଶ୍ୱର ପୁଣି ପୁରୀରୁ ବିଧାନସଭାକୁ ଆସିଥିଲେ। ନବୀନ ତାଙ୍କୁ ଆରମ୍ଭରୁ ମନ୍ତ୍ରିମଣ୍ଡଳରେ ସାମିଲ କରି ନଥିଲେ। ୨୦୧୧ରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ମହେଶ୍ୱରଙ୍କୁ ନବୀନ ମନ୍ତ୍ରୀ କରିଥିଲେ।

୨୦୧୪ ନିର୍ବାଚନ ପୂର୍ବରୁ ପୁରୀ ଗୁନ ସିଂହାରୀ ହତ୍ୟାକାଣ୍ଡ ମାମଲାରେ ସେ ବିବଦୀୟ ହୋଇପଡ଼ିଥିଲେ। ଏପରିକି ମହେଶ୍ୱର ମୁଳିମାଡ଼ରୁ ମଧ୍ୟ ବର୍ତ୍ତି ନଥିଲେ। ଏସବୁ ବିବାଦ ଭିତରେ ମହେଶ୍ୱର ୨୦୧୪ ନିର୍ବାଚନ ଜିତିଥିଲେ ହେଁ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିଲେ।

ଶେଷରେ ୨୦୧୫ ନବକଳେବର ବେଳେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ମହେଶ୍ୱରଙ୍କୁ ନବକଳେବର ଭିତ୍ତିଭୂମି ଉନ୍ନୟନ କମିଟିର ଅଧ୍ୟକ୍ଷ କରାଯାଇଥିଲା। ନବକଳେବର ବେଳେ ଭିତ୍ତିଭୂମି ଏବଂ ବ୍ରହ୍ମ ବିଭ୍ରାଟକୁ ନେଇ ଯେଉଁ ବିବାଦ ଦେଖାଦେଲା ସେଥିରେ ଅଡୁଆରେ ପଡ଼ିଥିଲେ ମହେଶ୍ୱର।

ଏସବୁ ଘଟଣାକୁ ନେଇ ୨୦୧୯ରେ ପୁରୀରେ ପରିବର୍ତ୍ତନର ହାୱା ବହିଥିଲା। ବିଜେଡି ଛାଡ଼ି ବିଜେପି ଯୋଗ ଦେଇଥିବା ଜୟନ୍ତ ଷଡ଼ଙ୍ଗୀ ମହେଶ୍ୱରଙ୍କୁ ଚେକ୍ ଦେଇଥିଲେ। ଫଳରେ ମହେଶ୍ୱର ନିର୍ବାଚନ ହାରିଥିଲେ।

ମହେଶ୍ୱର ୭୨ ହଜାର ୭୩୯ ଭୋଟ ପାଇଥିବା ବେଳେ ଜୟନ୍ତ ଷଡ଼ଙ୍ଗୀ ୭୬ ହଜାର ୭୪୭ ଭୋଟ ପାଇଥିଲେ। ଜୟନ୍ତ ମହେଶ୍ୱରଙ୍କୁ କଡ଼ା ଟକ୍କର ଦେଇ ମାତ୍ର ୪ ହଜାର ୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି।

ପିନାକୀ-ସମ୍ବିତ କଡ଼ା ଟକ୍କର

ପୁରୀ ଲୋକସଭା ଆସନରେ ଏଥର କଡ଼ା ଟକ୍କର ହୋଇଥିଲା। ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଏବଂ ସମ୍ବିତ ପାତ୍ରଙ୍କ ମଧ୍ୟ କଡ଼ା ମୁକାବିଲା ହୋଇଥିଲା। ଭୋଟ ଗଣତି ଚାଲିଥିବା ବେଳେ ଇଭିଏମ୍‌ରେ କେତେବେଳେ ପିନାକୀ ଉଠୁଥିଲେ ତ କେତେବେଳେ ସମ୍ବିତ ଉଠୁଥିଲେ। ଶେଷରେ ପିନାକୀ ହିଁ ବାଜି ମାରି ନେଇଥିଲେ। ପିନାକୀଙ୍କ ଠାରୁ ମାତ୍ର ୧୧ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ସମ୍ବିତ।

୨୦୧୪ରେ ଯେଉଁ ବିଜେପି ପୁରୀରେ ତୃତୀୟ ସ୍ଥାନରେ ଥିଲା ୨୦୧୯ରେ ସେହି ବିଜେପି କଂଗ୍ରେସକୁ ପଛକୁ ଠେଲି ଦୁଇ ନମ୍ବର ସ୍ଥାନରେ ରହିଥିଲା। ପୁରୀ ଲୋକସଭା କ୍ଷେତ୍ରରେ ଯେଉଁ ଟକ୍କର ହୋଇଥିଲା ତାହା ବିଧାନସଭା କ୍ଷେତ୍ରରେ ପଡ଼ିଥିବା କୁହାଯାଉଛି।

ବ୍ରହ୍ମଗିରିରେ ଫୁଟିଲା ପଦ୍ମ

୨୦୦୪ରୁ ବ୍ରହ୍ମଗିରିକୁ ନିଜ କବ୍‌ଜାରେ ରଖିଥିବା ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କୁ ଏଥର ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି। ଏଠି ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ସଞ୍ଜୟ ଦାସବର୍ମାଙ୍କୁ ୨୧୩୦ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି।

୨୦୦୯ ଏବଂ ୨୦୧୪ରେ ଲୁଲୁ ଏବଂ ସଞ୍ଜୟଙ୍କ ଭିତରେ ନେକ୍ ଟୁ ନେକ୍ ଫାଇଟ୍ ହେଉଥିଲା। ସଞ୍ଜୟ ଦୁଇ ଥର ଯାକ ଲୁଲୁଙ୍କୁ ଖୁମ୍ କମ୍ ଭୋଟ ବ୍ୟବଧାନରେ ପରାଜିତ କରୁଥିଲେ। ଲଲୁ କଂଗ୍ରେସରେ ଥିବାରୁ ଏଠି ବିଜେଡି ଓ କଂଗ୍ରେସ ଭିତରେ କଡ଼ା ଟକ୍କର ହେଉଥିଲା। କିନ୍ତୁ ୨୦୧୭ରେ ଲୁଲୁଙ୍କ ଦେହାନ୍ତ ହେବା ପରେ ଲୁଲୁଙ୍କ ପରିବାର ବିଜେପିରେ ଯୋଗ ଦେଇଥିଲେ।

ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଜେପି ପ୍ରାର୍ଥୀ ହୋଇଥିଲେ। ଲୁଲୁଙ୍କ ଦେହାନ୍ତ ପରେ ଏଠି କଂଗ୍ରେସ ଛାରଖାର ହୋଇଯାଇଥିଲା। ବ୍ରହ୍ମଗିରିର କଂଗ୍ରେସ କର୍ମୀ ଓ ନେତା ସମସ୍ତେ ଲୁଲୁଙ୍କ ପରିବାର ସହ ରହିଲେ। ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ଏଥର ପ୍ରଚାର ମଙ୍ଗ ଧରିଥିଲେ। ଉପାସନାଙ୍କ ପ୍ରଚାର ଏଥର ବ୍ରହ୍ମଗିରିରେ ବଡ଼ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା।

ଏହାସହ ଲୁଲୁଙ୍କ ଭାଇଙ୍କୁ ଅନୁକମ୍ପାମୂଳକ ଭୋଟ ମିଳିଥିବା କୁହାଯାଉଛି। ଫଳରେ ବିଜେଡି ପ୍ରାର୍ଥୀ ସଞ୍ଜୟଙ୍କୁ ପରାଜିତ ହେବାକୁ ପଡ଼ିଛି।

ମହେଶ୍ୱର ଏବଂ ସଞ୍ଜୟ ବିଜେଡିର ଆଗଧାଡ଼ିର ନେତା। ପାଞ୍ଚ ଥର ନିର୍ବାଚନ ଜିତି ମହେଶ୍ୱର ନିଜର ଦବଦବା ଜାହିର କରିଥିବା ବେଳେ ସଞ୍ଜୟ ଛାତ୍ର ଓ ଯୁବ ବିଜେଡି ସଙ୍ଗଠନର ଦାୟିତ୍ୱରେ ଥିଲେ। ଏହାସହ ସେ ଦଳର ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି। ପୁରୀ ଜିଲ୍ଲାର ଏହି ଦୁଇ ହେଭିଓ୍ୱେଟଙ୍କ ପରାଜୟ ବିଜେଡି ପାଇଁ ବଡ଼ ଧକ୍କା ହୋଇଛି। ଏହି ଦୁଇ ନେତାଙ୍କୁ ଦଳ କେଉଁଠି ଥଇଥାନ କରିବ ତା’ ଉପରେ ରହିଛି ନଜର।

Comment