ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ନବୀନଙ୍କ ମନ୍ତ୍ରିମଣ୍ଡଳରେ୧୦ ନୂଆ ମୁହଁଙ୍କୁ ମନ୍ତ୍ରୀ ପଦ

ନବୀନଙ୍କ ପଞ୍ଚମ ପାଳିରେ କିଏ ହେବେ ମନ୍ତ୍ରୀ? ଏହାକୁ ନେଇ ଗତ କିଛିଦିନ ହେଲା ଲାଗି ରହିଥିଲା ଚର୍ଚ୍ଚା। ତେବେ ସବୁ ଚର୍ଚ୍ଚାର ଅବସାନ ଘଟିଛି। ୨୦ ଜଣ ମନ୍ତ୍ରୀ ବୁଧବାର ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ 11ଜଣ କ୍ୟାବିନେଟ ପାହ୍ୟାର ମନ୍ତୀ ହୋଇଥିବା ବେଳେ 9ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ଏହି ୨୦ ଜଣଙ୍କ ଭିତରେ ୧୦ ନୂଆ ମୁହଁ ଅଛନ୍ତି। ଏମାନଙ୍କୁ ପ୍ରଥମ ଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।

ଟୁକୁନି ସାହୁ : ଟିଟିଲାଗଡ଼ ବିଧାନସଭା ଆସନରୁ ଲଗାତର ଦୁଇ ଥର ବିଜେଡି ଟିକେଟରେ ନିର୍ବାଚିତ ହୋଇଥିବା ଟୁକୁନି ସାହୁଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ଦେଖିବାକୁ ମିଳିବ। ଟୁକୁନି ହେଉଛନ୍ତି ଟିଟିଲାଗଡ଼ ବିଜେଡିର ତୁଙ୍ଗ ନେତା ଅଭିମନ୍ୟୁ ସାହୁଙ୍କ ସ୍ତ୍ରୀ।

୨୦୧୪ ନିର୍ବାଚନ ପୂର୍ବରୁ ଅଭିମନ୍ୟୁ ମର୍ଣ୍ଣିଂ ଓ୍ୱାକରେ ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିଲେ। ଶେଷରେ ଅଭିମନ୍ୟୁଙ୍କ ସ୍ତ୍ରୀ ଟୁକୁନିଙ୍କୁ ଟିକେଟ ମିଳିଥିଲା।

ସମୀର ରଞ୍ଜନ ଦାଶ : ନିମାପଡ଼ା ବିଧାନସଭା ଆସନରୁ ଲଗାତର ତିନି ଥର ବିଧାୟକ ଭାବେ ନିର୍ବାଚନ ଜିତିଥିବା ସମୀର ରଞ୍ଜନ ଦାଶଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ନବୀନ। ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ ପଦ ପାଇବେ। ପୂର୍ବରୁ ସେ ବିଜେଡିର ମୁଖପାତ୍ର ରହିଥିଲେ। ପୁରୀ ଜିଲ୍ଲାରେ ଏଥର ଟାଣୁଆ ନେତା ନଥିବାରୁ ଏବଂ ପ୍ରଦୀପ ମହାରଥୀ ବିବାଦୀୟ ହୋଇପଡ଼ିଥିବାରୁ ସମୀରଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବା କୁହାଯାଉଛି।

ଜ୍ୟୋତି ପ୍ରକାଶ ପାଣିଗ୍ରାହୀ : ୨୦୧୪ ଏବଂ ୨୦୧୯ରେ ବିଜେଡି ଟିକେଟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଧାନସଭା ଆସନରୁ ଜିତି ଆସୁଛନ୍ତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ସେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ପର୍ଶୁରାମ ପାଣିଗ୍ରାହୀଙ୍କ ପୁଅ। ଜଣେ ଯୁବ ନେତା ଭାବେ ତାଙ୍କର ଭଲ ପରିଚୟ ରହିଛି।

ନବକିଶୋର ଦାସ : କଂଗ୍ରେସ ଛାଡ଼ି ବିଜେଡି ଟିକେଟରୁ ନିର୍ବାଚନ ଜିତିଥିବା ନବକିଶୋର ଦାସଙ୍କୁ ଏଥର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ପଦ ଦେଇଛନ୍ତି ନବୀନ। ଝାରସୁଗୁଡ଼ା ବିଧାନସଭା ଆସନରୁ ସେ ନିର୍ବାଚିତ ହୋଇଛନ୍ତି। ନବ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଟାଣୁଆ ଯୁବ ନେତା। ପଶ୍ଚିମ ଓଡ଼ିଶାରେ ସଙ୍ଗଠନ ସୁଦୃଢ଼ କରିବା ପାଇଁ ଏବଂ ସେ କଂଗ୍ରେସ ଛାଡ଼ି ଆସିଥିବାରୁ ମନ୍ତ୍ରୀ ପଦ ଦିଆଯାଇଥିବା କୁହାଯାଉଛି।

ଦିବ୍ୟଶଙ୍କର ମିଶ୍ର : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ରୁ ଲଗାତର ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। କଳାହାଣ୍ଡି ଜିଲ୍ଲାରୁ ପୁଷ୍ପେନ୍ଦ୍ର ସିଂହଦେଓ ମନ୍ତ୍ରୀ ହେଉଥିଲେ। କିନ୍ତୁ ପୁଷ୍ପେନ୍ଦ୍ରଙ୍କୁ ଏଥର କଳାହାଣ୍ଡି ଲୋକସଭା ଆସନରୁ ଟିକେଟ ଦେଇଥିଲା ଦଳ। ପୁଷ୍ପେନ୍ଦ୍ର ଏଥର ପରାଜିତ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାକୁ ଦୃଷ୍ଟିରେ ରଖି ପୁଷ୍ପେନ୍ଦ୍ରଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇଛି।

ପ୍ରେମାନନ୍ଦ ନାଏକ : କେନ୍ଦୁଝର ଜିଲ୍ଲା ତେଲକୋଇ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରେମାନନ୍ଦ ନାଏକ। ପୂର୍ବରୁ କେନ୍ଦୁଝର ଜିଲ୍ଲାରୁ ବଦ୍ରୀନାରାୟଣ ପାତ୍ର ମନ୍ତ୍ରୀ ହେଉଥିଲେ। ହେଲେ ଏଥର ମନ୍ତ୍ରିମଣ୍ଡଳରୁ ବଦ୍ରୀ ବାଦ୍ ପଡ଼ିଛନ୍ତି। ନୂଆ ମୁହଁ ଭାବେ ପ୍ରେମାନନ୍ଦଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି।

ରଘୁନନ୍ଦନ ଦାସ : ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନମଣ୍ତଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ରଘୁନନ୍ଦନ ଦାସଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ନବୀନ। ସବୁଠୁ ବଡ଼ କଥା ହେଉଛି ରଘୁନନ୍ଦନ ବିଜେପି ପ୍ରାର୍ଥୀ ଡାକ୍ତର ଦାମୋଦର ରାଉତଙ୍କୁ ପରାଜିତ କରିଥିବାରୁ ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବା କୁହାଯାଉଛି।

ପଦ୍ମିନୀ ଦିଆନ୍ : କୋଟପାଡ଼ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ପଦ୍ମିନୀ ଦିଆନ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କୋରାପୁଟ ଜିଲ୍ଲାକୁ ପ୍ରତିନିଧିତ୍ୱ କରିବା ପାଇଁ ଏବଂ ସେ ଜଣେ ମହିଳା ହୋଇଥିବାରୁ ପଦ୍ମିନୀଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇଛି।

ତୁଷାରକାନ୍ତି ବେହେରା : କାକଟପୁର ବିଧାନସଭା ଆସନରୁ ତୁଷାରକାନ୍ତି ବେହେରା ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ମନ୍ତ୍ରିମଣ୍ଡଳରେ ନିଆଯାଇଛି। ୨୦୧୪ରେ ସୁରେନ୍ଦ୍ର ସେଠୀ ଏହି ଆସନରୁ ବିଧାୟକ ଥିଲେ। ହେଲେ ତାଙ୍କୁ ବାଦ୍ ଦେଇ ନବୀନ ତୁଷାରକାନ୍ତିଙ୍କୁ ଟିକେଟ ଦେଇଥିଲେ।

ଜଗନ୍ନାଥ ସାରକା : ରାୟଗଡ଼ା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଗନ୍ନାଥ ସାରକାଙ୍କୁ ମନ୍ତ୍ରିମଣ୍ଡଳରେ ନେଇଛନ୍ତି ନବୀନ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରାୟଗଡ଼ାକୁ ମନ୍ତ୍ରୀ ଭାବେ ପ୍ରତିନିଧିତ୍ୱ କରିବେ ଜଗନ୍ନାଥ।

କିଏ ବାଦ୍ ପଡ଼ିଲେ?

ନବୀନଙ୍କ ପଞ୍ଚମ ପାଳିରେ କେଉଁମାନେ ମନ୍ତ୍ରୀ ହେବେ ତାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଥିଲା। ଖଣ୍ଡପଡ଼ାରୁ ନିର୍ବାଚନ ଜିତିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ, ଯାଜପୁରରୁ ନିର୍ବାଚିତ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ମହାକାଳପଡ଼ାରୁ ନିର୍ବାଚିତ ଅତନୁସବ୍ୟସାଚୀ ନାୟକ, ଆଳିରୁ ଜିତିଥିବା ପ୍ରତାପ କେଶରୀ ଦେବ, ବିଜେପି ଛାଡ଼ି ମୋରଡ଼ା ନିର୍ବାଚନମଣ୍ଡଳୀରୁ ଜିତୁଥିବା ରାଜକିଶୋର ଦାସଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏମାନେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଛନ୍ତି। ୧୦ ଜଣ ନୂଆ ମୁହଁକୁ ସ୍ଥାନେ ଦେଇ ନବୀନ ଏମାନଙ୍କୁ ମନ୍ତ୍ରିମଣ୍ଡଳରୁ ଦୂରେଇ ରଖିଥିବା କୁହାଯାଉଛି।

Comment