ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ


ଓଡିଶାରୁ ଖାଲି ପଡ଼ିଥିବା ଚାରୋଟି ରାଜ୍ୟସଭା ପଦ ପାଇଁ ଖୁବ୍ ଶୀଘ୍ର ନିର୍ବାଚନ ହୋଇପାରେ। ଯଦିଓ ଛଅ ମାସ ଭିତରେ ଖାଲି ପଡ଼ିଥିବା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାର ଏକ ଅଲିଖିତ ପରମ୍ପରା ରହିଛି, ତେବେ ନରେନ୍ଦ୍ର ମୋଦି ସରକାର ରାଜ୍ୟସଭାରେ ନିଜର ଆସନ  ସଂଖ୍ୟାକୁ ବୃଦ୍ଧି କରାଇବା ପାଇଁ ଶୀଘ୍ର ନିର୍ବାଚନ କରାଇବା ସକାଶେ ଇଛା ପ୍ରକାଶ କରି ପାରନ୍ତି। ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସରକାରର ଅନେକ ଗୁରୁତ୍ୱପୂର୍ଣ୍ଣ ବିଲକୁ ରାଜ୍ୟସଭାରେ ଗୃହୀତ କରାଇ ନେବାକୁ  ଚାହିଁବେ ଯାହାକି ଆବଶ୍ୟକ ସଂଖ୍ୟା ନଥିବା ଦୃଷ୍ଟିରୁ ଆଗରୁ ସମ୍ଭବ ହୋଇ ନଥିଲା।

ନିର୍ବାଚନ ପରେ ଓଡ଼ିଶାର ୪ଟି ରାଜ୍ୟସଭା ପଦ ଖାଲି ପଡ଼ିଛି। ଶାସକ ବିଜେଡି ପକ୍ଷରୁ ଯଦିଓ ୬ ଜଣ ରାଜ୍ୟସଭା ସଦସ୍ୟ ଲୋକସଭା/ବିଧାନସଭା ନିର୍ବାଚନ ଲଢ଼ିଥିଲେ,ଏଥିରେ ଚାରି ଜଣ ହିଁ ନିର୍ବାଚନ ଜିତି ପାରିଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ବ୍ରମ ହାରି ଯାଇଥିବା ବେଳେ ଅନୁଭବ ମହାନ୍ତି, ଅଚ୍ୟୁତ ସାମନ୍ତ, ପ୍ରତାପ କେଶରୀ ଦେବ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯଥାକ୍ରମେ ଲୋକସଭା ଓ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ କାହାକୁ ପ୍ରାର୍ଥୀ କରାଯିବ ସେନେଇ  ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସତ, ହେଲେ ଯଦି ପୂର୍ବ ଅଭିଜ୍ଞତା ଯଦି କିଛି ଶିକ୍ଷା ଦିଏ, ଆଶାୟୀ ମାନଙ୍କୁ ଅଧିକ ସମୟ ଧରି ଝୁଲାଇ ରଖିବାକୁ ସେ ଚାହିଁବେ ନାହିଁ। ଇତି ମଧ୍ୟରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ରାଜ୍ୟସଭାରୁ ଇସ୍ତଫା ଦେବା ସୁନିଶ୍ଚିତ। କାରଣ ଏ ଦିହେଁ ଖଣ୍ଡପଡା ଓ ଆଳିରେ ନିର୍ବାଚନ ଜିତିଛନ୍ତି।
ଓଡିଶାରୁ ଯେଉଁ ୪ଟି ରାଜ୍ୟସଭା ପଦ ଖାଲି ପଡ଼ିବ ସେଥି ଭିତରୁ ସୌମ୍ୟ ରଞ୍ଜନ ଆହୁରି ୫ ବର୍ଷ, ପ୍ରତାପ ଦେବ ତିନି ବର୍ଷ ଓ ଅଚ୍ୟୁତ ସାମନ୍ତ ୫ ବର୍ଷ ସାଂସଦ ରହିପାରିଥାନ୍ତେ। କେବଳ ଅନୁଭବଙ୍କ କାର୍ଯ୍ୟକାଳ ଆଉ ଦଶ ମାସ ପରେ ଶେଷ ହୋଇଥାନ୍ତା। ତେବେ ରାଜ୍ୟସଭା ନିର୍ବାଚନ ଯେବେ ବି ହେଉନା କାହିଁକି ବିଜେଡି ହାତକୁ ଅନ୍ତତଃ  ତିନୋଟି  ଆସନ ସହଜରେ ଆସିବା ସ୍ପଷ୍ଟ। ଏହି ତିନୋଟି ଆସନ ଜିତିବାକୁ ହେଲେ ବିଧାନସଭାରେ ୧୧୪ ବିଧାୟକ ଥିବା ଦରକାର। କିନ୍ତୁ ବିଜେଡି ପାଖରେ ଏବେ ୧୧୨ ସଦସ୍ୟ ଅଛନ୍ତି ଏବଂ ଦୁଇଟି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଚତୁର୍ଥ ଆସନଟି ପାଇଁ ବିଜେଡି ୧୨୦ ବିଧାୟକ ଆବଶ୍ୟକ କରୁଛି। ଏଣେ ବିଜେପିର ମାତ୍ର ୨୩ ଓ କଂଗ୍ରେସର କେବଳ ୯ ବିଧାୟକ ନିର୍ବାଚିତ ହୋଇଥିବାରୁ ଏ ଦୁଇ ଦଳରୁ କେହି ବି ରାଜ୍ୟସଭାକୁ ଯାଇପାରିବେ ନାହିଁ। ତେବେ ଚତୁର୍ଥ ଆସନ ପାଇଁ ଅନିଶ୍ଚିତତା ଲାଗି ରହିବା ଜଳଜଳ ଦେଖାଯାଉଛି।


ଇତି ମଧ୍ୟରେ ଅଚ୍ୟୁତ ସାମନ୍ତ ଓ ଅନୁଭବ ମହାନ୍ତି ରାଜ୍ୟସଭା ପଦରୁ ଇସ୍ତଫା ଦେଇସାରିଛନ୍ତି। ସୌମ୍ୟରଞ୍ଜନ ଓ ପ୍ରତାପ ଦେବ ନିଜ ନିଜର ଇସ୍ତଫା ଦେବା ପରେ ଯାଇ  ଓଡ଼ିଶାର ୪ ଆସନ ଖାଲି ପଡ଼ିବ। ମେ’ ୨୩ ତାରିଖରେ ଫଳ ପ୍ରକାଶ ପାଇବା ପରେ ସ୍ମୃତି ଇରାନୀ, ରବିଶଙ୍କର ପ୍ରସାଦ, ଅମିତ ଶହ ପ୍ରମୁଖ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।
ରାଜ୍ୟସଭାର ପୂର୍ବ ନିର୍ଦ୍ଧାରିତ  ନିର୍ବାଚନ ସୂଚୀ ଅନୁଯାୟୀ ୭ ଜୁନରେ ଆସାମର ଦୁଇଟି ପଦ ଓ ୧୭ ଜୁଲାଇରେ ତାମିଲନାଡୁର ୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସୁତରାଂ ଆଶା କରାଯାଉଛି ଜୁଲାଇ ମାସରେ ହିଁ ଓଡ଼ିଶାର ୪ଟି ଖାଲି ପଡୁଥିବା ଆସନ ପାଇଁ ଭୋଟ ଗ୍ରହଣ କରାଯିବ।

Comment