ଓଡ଼ିଶାଲାଇଭ୍ ବ୍ୟୁରୋ

  • କଲେଜ ଅଧ୍ୟକ୍ଷ ସମ୍ମିଳନୀରେ ଉଚ୍ଚଶିକ୍ଷା ବିଭାଗର କଟକଣା
  • ଅଧ୍ୟାପକ ରହିବେ ୭ ଘଣ୍ଟା
  • ଅଧ ଘଣ୍ଟା ଲଞ୍ଚ ବ୍ରେକ୍
  • କଲେଜରେ ଲାଗିବ ବାୟୋମେଟ୍ରିକ ମେସିନ

ସରକାରୀ କଲେଜ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଟାଇଟ୍ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ। ଏବେ କଲେଜରେ ୫ ଘଣ୍ଟା ବଦଳରେ ୭ ଘଣ୍ଟିଆ ଡ୍ୟୁଟି କରିବେ ଅଧ୍ୟାପକ। ଏହାସହ ଅଧ୍ୟାପକମାନେ ୭ ଘଣ୍ଟା କଲେଜରେ ରହୁଛନ୍ତି କି ନାହିଁ ସେଥିପାଇଁ  ବାୟୋମେଟ୍ରିକ ମେସିନ ଲଗାଯିବ।

ବାୟୋମେଟ୍ରିକ ମେସିନରେ ଅଧ୍ୟାପକମାନଙ୍କ ଉପସ୍ଥାନ ରେକର୍ଡ ହେବ। ଏହାକୁ କଲେଜ ଅଧ୍ୟକ୍ଷମାନେ ଯାଞ୍ଚ କରିବେ।

ଭୁବନେଶ୍ୱରରେ ଆଜି କଲେଜ ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ହୋଇଥିଲା। ଏହି ସମ୍ମିଳନୀରେ ଅଧ୍ୟାପକମାନଙ୍କ ଡ୍ୟୁଟି ଆୱାର ଉପରେ ଆଲୋଚନା ହୋଇଥିଲା। ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହୁଛନ୍ତି ନା ନାହିଁ ସେନେଇ ତଦାରଖ କରିବେ କଲେଜ ଅଧ୍ୟକ୍ଷ।

ଅଧ୍ୟାପନା ବାଦ୍ ଅଧ୍ୟାପକମାନେ ଗବେଷଣା ଏବଂ ଛାତ୍ରଛାତ୍ରୀମାନେ କିପରି ସରକାରୀ ଯୋଜନାର ସୁଫଳ ପାଇପାରିବେ ସେ ଦିଗରେ କାମ କରିବେ।

ସବୁ ଡିଗ୍ରୀ କଲେଜରେ ବାୟୋମେଟ୍ରିକ ବିଶ୍ୱବ୍ୟାଙ୍କ ଫଣ୍ଡରୁ ଲଗାଯିବ। ୫୨ଟି ସରକାରୀ କଲେଜ ମଧ୍ୟରୁ ୧୬ଟିରେ ବାୟୋମେଟ୍ରିକ ମେସିନ୍ ଲାଗି ସାରିଲାଣି ମନ୍ତ୍ରୀ ଅରୁଣ ସାହୁ କହିଥିଲେ।

ୟୁଜିସି ନିୟମ ଅନୁଯାୟୀ ସପ୍ତାହକୁ ୨୫ଟି କ୍ଲାସ ଏବଂ ଦିନକୁ ୫ ଘଣ୍ଟା କଲେଜରେ ଅଧ୍ୟାପନା କରିବେ। ୫ ଘଣ୍ଟା ପରେ ଗବେଷଣା ଏବଂ ଏକାଡେମିକ୍ ଡେଭଲପମେଣ୍ଟ କ୍ଷେତ୍ରରେ କାମ କରିବେ। ମାତ୍ର ୫ ଘଣ୍ଟା ପରେ ଅଧ୍ୟାପକମାନେ କଲେଜରୁ ପଳାଇ ଯାଉଥିବା ନଜରକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ଏହି କଟକଣା ଲଗାଇଛି।

Comment