ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗୁଣ୍ଡିଚାବାଡ଼ିରେ ଲାଗିଲା ବଳଭଦ୍ରଙ୍କ ରଥ
  • ଟାଉନ ଥାନା ପାଖରେ ଅଟକିଲା ସୁଭଦ୍ରାଙ୍କ ରଥ
  • ଆସନ୍ତାକାଲି ଟଣା ହେବ ନନ୍ଦିଘୋଷ

ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଭକ୍ତି ଭାବମୟ ପରିବେଶରେ ଟଣା ହୋଇଛି ରଥ। ଗୁରୁବାରଠାରୁ ରଥାରୂଢ଼ ଥିବା ଶ୍ରୀଜୀଉମାନଙ୍କ ମଧ୍ୟରୁ ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣା ହୋଇଥିଲା।

ପୂର୍ବର ନିର୍ଦ୍ଧାରିତ ସମୟ ଅନୁସାରେ ଅପରାହ୍‌ଣ ୨ଟା ୩୦ମିନିଟରେ ଏହି ରଥକୁ ଅଗଣିତ ଭକ୍ତମାନେ ପ୍ରବଳ ଆନନ୍ଦ ଉଲ୍ଲାସର ସହ ଟାଣିଥିଲେ। ପାଗ ଅନକୂଳ ଥିବାରୁ ବାରିପଦାର ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡିଥିଲା।

ପରେ ଗଡ଼ିଥିଲା ମା’ ସୁଭଦ୍ରାଙ୍କ ରଥ। ପରମ୍ପରା ରହିଛି ଯେ ଏଠାରେ ମା’ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣନ୍ତି। ଏଣୁ ଆଜି ମହୁ ମହିଳା ଭକ୍ତ ମା’ ସୁଭଦ୍ରାଙ୍କ ରଥ ଟାଣିଥିଲେ। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳାମାନେ ଟାଣି ଟାଣି ବାରିପଦା ଟାଉନଥାନା ପାଖରେ ପହଂଚାଇଥିଲେ। ସୁଭଦ୍ରାଙ୍କ ଦେବଦଳନ ରଥ ଟାଣିବା ସମୟରେ ବାରିପଦାର ବଡଦାଣ୍ଡରେ ଅପୂର୍ବ ଶୋଭା ଦେଖିବାକୁ ମିଳିଥିଲା। ପୁଣି ଅ।ସନ୍ତାକାଲି ଦେବୀ ସୁଭଦ୍ରାଙ୍କ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବାରିପଦା ବଡଦାଣ୍ଡର ଶୋଭାମଣ୍ଡନ କରିବ।

ବାରିପଦାର ଶ୍ରୀହରିବଳଦେବଜୀଉଙ୍କ ରଥଯାତ୍ରା ନିଆରା ଢଙ୍ଗରେ ପାଳିତ ହୋଇଥାଏ। ମୟୂରଭଞ୍ଜର ତତ୍କାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜଙ୍କ ସମୟରେ ଆରମ୍ଭ କରାଯାଇଥିବା ଏହି ଯାତ୍ରା ତିନି ଦିନ ଧରି ଚାଲୁଛି।

ଏହି ମହାନ ପାରଂପରିକ ଯାତ୍ରା ସହିତ ମିନାବଜାର ଏବଂ ମେଳା ଲୋକମାନଙ୍କୁ ବେଶ ଆକୃଷ୍ଟ କରିଥାଏ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ତେବେ ଚଳିତ ବର୍ଷ ପ୍ରଥମ ଥର ଲାଗି ୟୁଟୁବ ଏବଂ ଫେସବୁକରେ ବାରିପଦା ରଥର ସିଧାପ୍ରସାରଣ କରାଯାଉଛି। ଦେଶ ବିଦେଶର ଭକ୍ତଙ୍କ ପାଖରେ ଏହି ଯାତ୍ରା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଶ୍ରୀମନ୍ଦିରର ରଥଖଳାରେ ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷରଥ ରହିଥିଲା ବେଳେ ବଡଦାଣ୍ଡର ଟାଉନଥାନା ନିକଟରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଅଟକି ରହିଛି। ବଡଭାଇ ବଳଭଦ୍ରଂକ ତାଳଧ୍ଵଜ ରଥ ଗୁଣ୍ଡିଚାମନ୍ଦିର ନିକଟରେ ରହିଛି।

Comment