ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘ଗୁଲାମୀ’ ଫିଲ୍ମରୁ ସିନେ ନିର୍ଦ୍ଦେଶକ ଭାବେ ଯାତ୍ରା ଆରମ୍ଭ କରିଥିଲେ ଜେ ପି ଦତ୍ତା। ୧୯୮୫ରେ ମୁକ୍ତିପ୍ରାପ୍ତ ଏହି ସିନେମାର ଏକ ପପୁଲାର ଗୀତ ହେଲା ‘ଜିହାଲ ଏ ମସ୍‌କିନ୍‍ ମକୁନ୍‌ ବା ରଞ୍ଜିସ୍‍…’ । ଆସନ୍ତୁ ଜାଣିବା ଏହି ଗୀତ ପଛର କାହାଣୀ…।

‘ଗୁଲାମୀ’ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ରମିଥୁନ୍ ଚକ୍ରବର୍ତ୍ତୀରୀନା ରୟ, ସ୍ମିତା ପାଟିଲ୍, ଅନିତା ରାଜ୍ ଓ ନାସିରୁଦ୍ଦିନ୍‌ ଶାହା ପ୍ରଭୃତି ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେବାକୁ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କୁ ଚୁକ୍ତିବଦ୍ଧ କରିବାକୁ ଚାହୁଁଥିଲେ ଜେ ପି ଦତ୍ତା। କାରଣ ଅଶୀ ଦଶକରେ ଏହି ସ୍ୱରକାର ଯୋଡ଼ି ଥିଲେ ଶ୍ରୋତାଙ୍କର ପ୍ରଥମ ପସନ୍ଦ।

ତା’ଛଡ଼ା ରାଜକପୁର, ମନୋଜ କୁମାର, ସୁଭାଷ ଘାଇ, ରାଜ କୁମାର କୋହଲି ଓ ମନମୋହନ ଦେଶାଇଙ୍କ ପରି ଆଗଧାଡ଼ିର ନିର୍ଦ୍ଦେଶକମାନେ ମଧ୍ୟ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କୁ ସେମାନଙ୍କ ଫିଲ୍ମରେ ନେଉଥିଲେ। ଜଣେ ନୂଆ ନିର୍ଦ୍ଦେଶକଙ୍କୁ କାଳେ ଏହି ଟପ୍‌ ମ୍ୟୁଜିକ୍‌ ଡିରେକ୍ଟର ଯୋଡ଼ି କାଳେ ମନା କରିଦେବେ ବୋଲି ମନରେ ଆଶଙ୍କା ବି, ଥାଏ ଜେ ପି ଙ୍କର। ସେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲଙ୍କୁ ତାଙ୍କ ଫିଲ୍ମର ସ୍ୱର ସଂଯୋଜନା ଦାୟିତ୍ୱ ଦେବାକୁ ପ୍ରସ୍ତାବ ଦେଲେ। ହେଲେ ଏହି ଯୋଡ଼ି ନିଜର ବ୍ୟସ୍ତତା ଦର୍ଶାଇ ପ୍ରସ୍ତାବକୁ ଅସ୍ୱୀକାର କରିଥିଲେ।

ନିରାଶ ମନ ନେଇ ଫେରିବାର କିଛିଦିନ ପରେ ନିର୍ଦ୍ଦେଶକ ଜେ ପି ଦତ୍ତା ପ୍ରଖ୍ୟାତ ଗୀତିକାର-ଲେଖକ- ନିର୍ଦ୍ଦେଶକ ଗୁଲଜାରଙ୍କୁ ଦେଖାକଲେ। ଗୁଲ୍‌ଜାର୍‌ କହିଲେ ‘ଗୁଲାମୀ’ର ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ୱ ଆର ଡି ବର୍ମନଙ୍କୁ ଦେଲେ ମୁଁ ତାଙ୍କ ସହିତ କଥା ହେବି। ହେଲେ ଜେ. ପି. କହିଲେ ଏହି ଫିଲ୍ମର ଯେଉଁଭଳି ସିକ୍ୱେନ୍ସ ଅଛି ଓ ମୋର ଯେଉଁ ଧରଣର ମ୍ୟୁଜିକ୍‌ ଦରକାର ତାହା ମୁଁ ଲକ୍ଷ୍ମୀ-ପ୍ୟାରେଙ୍କଠାରୁ ହିଁ ପାଇପାରିବି।

ଏହି କଥାବାର୍ତ୍ତା ସମୟରେ ଜେ ପି ଦତ୍ତାଙ୍କ ନଜର ପଡ଼ିଲା ଗୁଲ୍‌ଜାର୍‌ଙ୍କ ଟେବୁଲ ଉପରେ ସୁନ୍ଦର ଅକ୍ଷରରେ ଲିଖିତ ଏକ ଗୀତ ଉପରେ। ସେ ସେହି ଗୀତଟିକୁ ଭଲଭାବେ ପଢ଼ିବା ପରେ ପ୍ରଶ୍ନ କରିଥିଲେ, “ଗୁଲ୍‌ଜାର୍‌ ସାହେବ୍‌; ଏ ଗୀତଟି କ’ଣ କୌଣସି ଫିଲ୍ମ ପାଇଁ ଲେଖିଛନ୍ତି”? ଉତ୍ତର ମିଳିଲା, “ନା, ମନକୁ ଏମିତି ଏକ ଭାବ ଆସିଲା, ଯାହାକୁ ଲେଖୁଲେଖୁ ଏହି ଗୀତ ହୋଇଯାଇଛି”।

ଆଉ କାଳ ବିଳମ୍ବ ନ କରି ଜେ.ପି. ଏହି ଗୀତଟି ତାଙ୍କ ପିଲ୍ମ ପାଇଁ ଦରକାର ବୋଲି କହିଲେ। ଗୁଲଜାର ଆପତ୍ତି ଉଠାଇନଥିଲେ, ହେଲେ ଯିଏ ଏହାର ସ୍ୱର ସଂଯୋଜନା କରନ୍ତୁ ନା କାହିଁକି, ତା’ର ସ୍ୱର ମୋର ପସନ୍ଦ ହେବା ଦରକାର ବୋଲି କହିଥିଲେ। ସେହି ଗୀତଟି ଥିଲା- ‘ଜିହାଲ ଏ ମସ୍‌କିନ୍‍ ମକୁନ୍‌ ବା ରଞ୍ଜିସ୍‍…’ 

ଏହି ଗୀତକୁ ସଙ୍ଗରେ ନେଇ ଜେ ପି ଦତ୍ତା ତାଙ୍କ ଫିଲ୍ମର ହିରୋ ଧର୍ମେନ୍ଦ୍ରଙ୍କ ପାଖକୁ ଯାଇଥିଲେ। ଉଦ୍ଦେଶ୍ୟ ଥିଲା ଧରମଜୀ ଅନୁରୋଧ କଲେ ହୁଏତ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ ରାଜି ହୋଇଯିବେ। ଧର୍ମେନ୍ଦ୍ର ଜେ.ପି.ଙ୍କ କଥା ରକ୍ଷା କରି ସ୍ୱରକାର ଲକ୍ଷ୍ମୀକାନ୍ତଙ୍କୁ ଫୋନ୍ କଲେ ଓ ‘ଗୁଲାମୀ’ରେ  ସଙ୍ଗୀତ ନିର୍ଦ୍ଦେଶନା ଦେବାକୁ ରାଜି କରାଇଲେ।

ଏହାପରେ ଜେ ପି ଦତ୍ତା ସଙ୍ଗେ ସଙ୍ଗେ ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ପାଖକୁ ଯାଇ ବିଧିବଦ୍ଧ ଭାବେ ଚୁକ୍ତିବଦ୍ଧ କଲେ। ସେଇଠି ସେ ଅତ୍ୟନ୍ତ ବିନମ୍ରତାର ସହିତ ନିଜ ପକେଟରେ ଥିବା ଗୁଲ୍‌ଜାରଙ୍କ ରଚିତ ଗୀତଟିକୁ ବଢ଼ାଇଥିଲେ ସ୍ୱରକାର ପ୍ୟାରେଲାଲଙ୍କ ହାତକୁ। ଗୀତଟି ପଢ଼ି ସେ ଖୁବ୍ ଖୁସି ହେଲେ ଓ କହିଲେ ଏଇଟା ତ ଏକଦମ୍‌ ଫିଲ୍ମଗୀତ ଭଳି ହୋଇଛି।

ନିର୍ଦ୍ଦେଶକ କହିଲେ, “ମୁଁ ଚାହୁଁଛି ଆପଣ ଦୁହେଁ ଆମର ଏଇ ଗୀତଟିର ସ୍ୱର କରନ୍ତୁ”। ଗୀତଟିର ଲେଖା ଏତେ ଚମତ୍କାର ଥିଲା ଯେ ଲକ୍ଷ୍ମୀକାନ୍ତ ଗୀତଟି ପଢ଼ୁପଢ଼ୁ ସ୍ୱର କରି ଗାଇଲେ, ଆଉ ସେଥିରେ ମୁଗ୍ଧ ହୋଇଯାଇଥିଲେ ଜେ ପି ଦତ୍ତା। ହେଲେ ସେ ପର୍ଯ୍ୟନ୍ତ ସ୍ୱରକାର ଯୋଡ଼ିଙ୍କୁ ଜଣାନଥାଏ ଯେ ଏହି ଗୀତର ରଚୟିତା ହେଲେ ଗୁଲଜାର।

ଏହାପରେ ନିର୍ଦ୍ଧାରିତ ଦିନ ମ୍ୟୁଜିକ୍‌ ସୁଟିଂ ଆରମ୍ଭ ହୁଏ ଏବଂ ସେଠାକୁ ଆସିବା ପାଇଁ ନିର୍ଦ୍ଦେଶକ ଗୁଲଜାରଙ୍କୁ ଆମନ୍ତ୍ରଣ କରିଲେ। ଜିହାଲ ଏ ମସ୍‌କିନ୍‍ ମକୁନ୍‌ ବା ରଞ୍ଜିସ୍‍…’ ଗୀତର ଘୋଷା ଓ ଅନ୍ତରା ପଦର ଟ୍ୟୁନିଂ ଫାଇନାଲ୍‌ ହେବା ପରେ ଗୁଲଜାର ସେଠାରେ ପହଞ୍ଚିଲେ। ଗୁଲଜାରଙ୍କୁ ଦେଖି ଲକ୍ଷ୍ମୀକାନ୍ତ-ପ୍ୟାରେଲାଲ୍‌ ବିସ୍ମିତ ହେଲେ। ନିର୍ଦ୍ଦେଶକ ସଙ୍ଗେ ସଙ୍ଗେ ଜଣାଇ ଦେଲେ ଯେ ଉକ୍ତ ଗୀତଟି ଲେଖିଛନ୍ତି ଗୁଲଜାର। ଗୁଲଜାର ଏହି ଗୀତର ଟ୍ୟୁନିଂ ଶୁଣି ଏତେ ପ୍ରଭାବିତ ହେଲେ ଯେ ସେ ସେଇଠି କହିଥିଲେ, “ଏ ଗୀତ ନିଶ୍ଚିତ ହିଟ୍ ହେବ”।

ଏହି ଗୀତଟିରେ କଣ୍ଠଦାନ କରିଥିଲେ ସେସମୟର ଜଣାଶୁଣା ଗାୟକ ଶବୀର୍‌ କୁମାର ଓ ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର। ‘ଗୁଲାମୀ’ ରିଲିଜ୍‌ ହେବା ପରେ ଗୁଲଜାରଙ୍କ କଥା ସତ ହୋଇଥିଲା। ଏହି ଗୀତଟି ସୁପରହିଟ୍ ହୋଇଥିଲା।

Comment