ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଗ୍ୟାଲେରୀକୁ ନେଇ ବିପଦ ଦେଖାଦେଇଛି। ଅତଡ଼ା ଖସୁଥିବାରୁ ଗ୍ୟାଲେରୀରେ ଜାଲ ଘେରାଇ ଦିଆଯାଇଛି। ଆଗକୁ ଡିସେମ୍ବରରେ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ତା’ପୂର୍ବରୁ ମରାମତି ଆବଶ୍ୟକ ହୋଇପଡିଛି। ନଚେତ୍ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବାରବାଟୀ ଷ୍ଟାଡିୟମକୁ ସରକାରୀ ସହାୟତା ମିଳୁନଥିବା ବେଳେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ରହିଛି। ତେଣୁ ଆସୋସିଏସନ୍ ଏଦିଗରେ କାର୍ଯ୍ୟ କରୁ ବୋଲି ଦାବି ହୋଇଛି।

୧୯୪୯ ମସିହାରେ ବାରବାଟୀ ଷ୍ଟାଡିୟମ୍ ନିର୍ମାଣ କରିବାକୁ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନକୁ ଲିଜ୍ ସୂତ୍ରରେ ଜମି ପ୍ରଦାନ କରିଥିଲେ ରାଜ୍ୟ ସରକାର। କିଛି ମାସ ପରେ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାରଙ୍କ ତରଫରୁ ୧ଲକ୍ଷ ଟଙ୍କା ଦେବାକୁ ତତ୍କାଳନୀ ରାଜ୍ୟପାଳ କହିଥିଲେ ବି ତାହା ମିଳିନଥିଲା। ଏ ପରିସ୍ଥିତିରେ ନୂଆ କରି ପ୍ରତିଷ୍ଠା ହୋଇଥିବା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ପାଖରେ ଟଙ୍କାଟିଏ ଖର୍ଚ୍ଚ କରିବାକୁ ନଥିଲା।

ତତ୍କାଳୀନ ଓଓଏର ସମ୍ପାଦକ ଭୈରବଚନ୍ଦ୍ର ମହାନ୍ତିଙ୍କ ସମେତ ଅନ୍ୟମାନେ ‘ବାରବାଟୀ ଲଟେରୀ ରାଫେଲ୍’ର ପ୍ରସ୍ତାବ ଦେଇଥିଲେ। ଏଥିରୁ ସଂଗୃହିତ ଅର୍ଥକୁ ନେଇ ୧୯୫୨ ମସିହାରେ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା।

ପ୍ରଥମେ ଷ୍ଟାଡିୟମରେ ଦୁଇଟି ଗ୍ୟାଲେରୀ କରାଯାଇଥିଲା। ଏହା ଏବେ ୧ ନମ୍ବର ଏବଂ ୨ ନମ୍ବର ଭାବେ ଗଣାଯାଉଛି। ପରେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ବାରବାଟୀ ଷ୍ଟାଡିୟମ୍ ଜମିକୁ ସବ୍‌ଲିଜ୍‌ ନେଇଥିଲା। କ୍ରିକେଟ ପାଇଁ ଏହା ବ୍ୟବହାର ହେଉଥିବାର ଏହାର ବିକାଶ କ୍ଷେତ୍ରରେ ଓସିଏ ପୁଞ୍ଜି ନିବେଶ କରିଥିଲା। ବାରବାଟୀ ଷ୍ଟାଡିୟମରେ ଆଉ ୫ଟି ଗ୍ୟାଲେରୀ କରାଯାଇଥିଲା। ଯାହାଫଳରେ ଦର୍ଶକଙ୍କ କ୍ଷମତା ୪୫ହଜାର ଛୁଇଁଥିଲା।

ଗ୍ୟାଲେରୀଗୁଡ଼ିକ ପ୍ରାୟ ୪୫ବର୍ଷରୁ ଅଧିକ ସମୟ ବିତିଯାଇଥିବା ବେଳେ ଏହା ଦୁର୍ବଳ ହୋଇପଡିଛି। ତେବେ ଫନି ବାତ୍ୟା ପରେ ଏହା ଅଧିକ ଦୁର୍ବଳ ହୋଇଯାଇଛି। ଫନି ଯୋଗୁଁ ୭ ନମ୍ବର ଗ୍ୟାଲେରୀର ଆଜବେଷ୍ଟସ୍‌ ଉଡିଯାଇଥିବା ବେଳେ ୫ ଓ ୬ ନମ୍ବର ଗ୍ୟାଲେରୀରୁ ନିୟମିତ ଅତଡା ଖସୁଛି।

ଏହି ଦୁଇ ଗ୍ୟାଲେରୀ ତଳେ ସ୍କୁଲ୍, ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ଅଫିସ୍ ସମେତ ଅନ୍ୟାନ୍ୟ କ୍ରୀଡ଼ା ସଂଘ ଅଫିସ୍ ରହିଥିବାରୁ ବିପଦ ସୃଷ୍ଟି ହୋଇଛି। ତା’ଛଡା ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିବାକୁ ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ କେତେବେଳେ କାହା ଉପରେ ଅତଡା ପଡିବ ସେ କଥା କହିବା ମୁସ୍କିଲ୍। ଏଭଳି ପରିସ୍ଥିତିରେ ଆଗକୁ ଡିସେମ୍ବରରେ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍ ମ୍ୟାଚ ରହିଛି। ତେଣୁ ତା’ପୂର୍ବରୁ ଏହାର ମରାମତି କରାନଗଲେ ଦୁର୍ଘଟଣା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।

Comment