ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବାରେ ଅରୁଣ ଜେଟଲୀଙ୍କ ବଳିଷ୍ଠ ଯୋଗଦାନ। ଜାଣନ୍ତୁ ଅର୍ଥମନ୍ତ୍ରୀ ଭାବେ ଜେଟଲୀଙ୍କ ୪ ବଡ଼ ନିଷ୍ପତ୍ତି।

ଆରପାରିରେ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ। ବହୁ ଦିନ ଧରି ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ରହି ଶନିବାର ଦିଲ୍ଲୀ ଏମ୍ସ ହସ୍ପିଲାରେ ଅରୁଣ ଜେଟଲୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜେଟଲୀଙ୍କ ବିୟୋଗରେ ରାଜନୀତି ଜବତରେ ଏକ ଅପୂରଣୀୟ କ୍ଷତି ଘଟିଛି।

ଅରୁଣ ଜେଟଲୀ ହେଉଛନ୍ତି ମୋଦି ସରକାରଙ୍କ ପ୍ରଥମ ପାଳିର କେନ୍ଦ୍ର ଅର୍ଥମନ୍ତ୍ରୀ। ଜେଟଲୀଙ୍କ ବିୟୋଗରେ କେବଳ ମୋଦି ସରକାରର କ୍ଷତି ହୋଇଛି ତାହା ନୁହେଁ। ବରଂ ଭାରତର ଆର୍ଥିକ ବ୍ୟବସ୍ଥା ତଥା ସାଧାରଣ ଜନାକୁ ଜେଟଲୀଙ୍କ ବିୟୋଗରେ ଝଟକା ଲାଗିଛି। ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିବା ସମୟରେ ଭାରତର ଅର୍ଥବ୍ୟବସ୍ଥାକୁ ନେଇ ଅନେକ ବଡ଼ ଘୋଷଣା କରିଥିଲେ। ତେବେ ଆସନ୍ତୁ ଜାଣିବା ଅର୍ଥ ବ୍ୟବସ୍ଥାକୁ ନେଇ ଜେଟଲୀ ନେଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ।

ବିମୁଦ୍ରୀକରଣ

ନିଜର ପ୍ରଥମ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ମସିହା ନଭେମ୍ବର ୮ ତାରିଖରେ ଏକ ଐତିହାସିକ ଘୋଷଣା କରିଥିଲେ। ସେହିଦିନ ମଧ୍ୟ ରାତ୍ରୀରୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ପ୍ରଚିଳିତ ହେଉଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ବନ୍ଦ କରିଦେଇଥିଲେ। ଏହି ଐତିହାସିକ ପଦକ୍ଷେପର ମାଷ୍ଟରମାଇଣ୍ଡ ଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ।

କଳା ଧନ ଉପରେ ଅଙ୍କୁଶ ଲଗାଇବା ପାଇଁ ଏହା ଥିଲା ମୋଦି ସରକାରର ବଡ଼ ନିଷ୍ପତ୍ତି। ଏହାକୁ କାର୍ଯ୍ୟକାରୀ କରିଥିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଯାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ସହଯୋଗ କରିଥିଲା।  ଜେଟଲୀଙ୍କ କାର୍ଯ୍ୟକାଳ ଭିତରେ ଏହା ଥିଲା ଏକ ବଡ଼ ନିଷ୍ପତ୍ତି। 

ଜିଏସ୍‌ଟି(ବସ୍ତୁ ଏବଂ ସେବା କର)

ଅରୁଣ ଜେଟଲୀଙ୍କ କାର୍ଯ୍ୟକାଳରେ ଅନ୍ୟ ଏକ ବଡ଼ ନିଷ୍ପତ୍ତି ହେଲା ଜିଏସ୍‌ଟି। ଦେଶର ଅର୍ଥ ବ୍ୟବସ୍ଥାକୁ ଏକ ଧାରାକୁ ଆଣିବା ପାଇଁ ଦେଶର କେବଳ ଗୋଟିଏ ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଯାହାର ନାଁ ରହିଥିଲା ଜିଏସ୍‌ଟି(ବସ୍ତୁ ଏବଂ ସେବା କର)। ସମସ୍ତ ରାଜ୍ୟର ସହମତି ପାଇବା ପରେ ୨୦୧୭ ଜୁଲାଇ ମାସରେ ଲାଗୁ ହୋଇଥିଲା ଏହି ଏକକ ଟ୍ୟାକ୍ସ ବ୍ୟବସ୍ଥା ଜିଏସ୍‌ଟି।

ଜିଏସ୍‌ଟି ଲାଗୁ ହେବା ପରେ ଦେଶରେ ବ୍ୟାପାରୀ ତଥା ସାଧାରଣ ଜନତା ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହାକୁ ସଫଳତାର ସହ ମୁକାବିଲା କରିବାରେ ସକ୍ଷମ ହୋଇଥିଲେ। ଲୋକମାନଙ୍କ ସୁବିଧା ପାଇଁ ପରେ ଜିଏସ୍‌ଟିରେ ଅନେକ ସଂସ୍କାର ଆଣିଥିଲେ। ବର୍ତ୍ତମାନ ଦେଶର ବ୍ୟାପାର ଜଗତରେ ଜିଏସ୍‌ଟି ବ୍ୟବସ୍ଥା ସଫଳତାର ସହ କାର୍ଯ୍ୟକାରୀ ହେଉଛି।

ଜନ ଧନ ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକଳାରେ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଯୋଜନା ଆରମ୍ଭ କରିଥିଲେ। ତାହା ହେଉଛି ‘ଜନ ଧନ ଯୋଜନା’। ପୂର୍ବରୁ ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ନିଜ ଆୟକୁ ସରକ୍ଷିତ ଭାବେ ରଖିବା ପାଇଁ କୌଣସି ବ୍ୟାଙ୍କ ଖାତା ନଥିଲା।

୨୦୧୪ରେ ମୋଦି ସରକାର ଆରମ୍ଭ କରିଥିଲେ ‘ଜନ ଧନ ଯୋଜନା’। ଏହା ଦ୍ୱାରା  ଦେଶର ୩୫.୫୯ ପ୍ରତିଶତ ଲୋକ ‘ଜନ ଧନ ଯୋଜନା’ରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। ତତ୍କାଳୀନ ଅର୍ଥମନ୍ତ୍ରୀ ଭାବେ ଏହା ପଛରେ ଥିଲା ଅରୁଣ ଜେଟଲୀଙ୍କ ବଳିଷ୍ଠ ଭୂମିକା।

ଆୟୁଷ୍ମାନ ଭାରତ ଯୋଜନା

ଜେଟଲୀଙ୍କ କାର୍ଯ୍ୟକାଳ ସମୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ମୋଦି ସରକାରଙ୍କ ଏକ ବଡ଼ ଉପଲବ୍ଧି କୁହାଯାଇ ପାରିବ। ଏହି ଯୋଜନା ପାଇଁ ସାରା ବିଶ୍ୱ ପ୍ରଂଶାସର ପାତ୍ର ହୋଇପାରିଥିଲା ଭାରତ। ୨୦୧୮-୧୯ ଆର୍ଥିକ ବଜେଟ୍‌ରେ ଜେଟଲୀ ‘ଆୟୁଷ୍ମାନ ଭାରତ ଯୋଜନା’ର ଶୁଭାରମ୍ଭ କରିଥିଲେ। ଏହି ଯୋଜନା ଅନ୍ତର୍ଗତ ଆସୁଥିବା ପରିବାରକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ଲେସ୍‌ ଆର୍ଥିକ ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯାଇଥିଲା।

Comment