ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡାକ୍ତରଙ୍କ ମନମାନି ଉପରେ ଅଙ୍କୁଶ
  • ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ମନା କରିପାରିବେନି ଡାକ୍ତର
  • ରୋଗୀଙ୍କ ପାଖରେ ପଇସା ନଥିଲେ ବି ଡାକ୍ତର କରିବେ ଚିକିତ୍ସା
  • ଚିକିତ୍ସା ପାଇବା ରୋଗୀଙ୍କ ମୌଳିକ ଅଧିକାର
  • ଦୁଷ୍କର୍ମ ଏବଂ ଏସିଡ୍‌ ଆଟାକ୍ ପୀଡ଼ିତାଙ୍କୁ ମାଗଣା ଚିକିତ୍ସା

ରୋଗୀଙ୍କୁ ଆଗ ଚିକିତ୍ସା କର, ପରେ ଟଙ୍କା ନିଅ। ସବୁ ଡାକ୍ତର ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଏଭଳି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏହି ରାୟ ଆସିବା ପରେ ଡାକ୍ତର ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ମନମାନି ଉପରେ ଅଙ୍କୁଶ ଲାଗିବ ବୋଲି କୁହାଯାଉଛି।

ଯଦି କୌଣସି ଗୁରୁତର ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସନ୍ତି ତାହାଲେ ଡାକ୍ତର ତାଙ୍କୁ ପ୍ରଥମେ ଚିକିତ୍ସା ଯୋଗାଇ ଦେବେ। ପରେ ପଇସା ନେବେ। ରୋଗୀଙ୍କୁ କେମିତି ଉନ୍ନତମାନର ଚିକିତ୍ସା ଯୋଗାଇ ଦିଆଯିବ ସେ ଉପରେ ପ୍ରଥମେ ଡାକ୍ତର ଏବଂ ମେଡିକାଲ କର୍ତ୍ତୃପକ୍ଷ ଧ୍ୟାନ ଦେବେ।

ଯଦି ଡାକ୍ତର ଟଙ୍କା ପାଇଁ ଚିକିତ୍ସା କରିବାକୁ ମନା କରି ଦିଅନ୍ତି ତାହାଲେ ରୋଗୀ ଆଇନର ସହାୟତା ନେଇପାରିବେ। କାରଣ ଚିକିତ୍ସା ପାଇବା ଜଣେ ରୋଗୀର ମୌଳିକ ଅଧିକାର ବୋଲି କହିଛନ୍ତି ସୁପ୍ରିମକୋର୍ଟ।

ପରମାନନ୍ଦ କଟାରା ବନାମ କେନ୍ଦ୍ର ସରକାର ମାମଲାର ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନୁସାରେ ଜଣେ ରୋଗୀ ଚିକିତ୍ସା ପାଇବା ହେଉଛି ତାର ମୌଳିକ ଅଧିକାର।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ ଯଦି କୌଣସି ରୋଗୀ ପାଖରେ ଟଙ୍କା ନାହିଁ ତାହାଲେ ଚିକିତ୍ସା ପାଇଁ ଡାକ୍ତର ମନା କରିପାରିବେନି। ଏହାସହ ଚିକିତ୍ସାରେ ବିଳମ୍ବ ମଧ୍ୟ କରିପାରିବେନି। ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ହେଉଛି ଜଣେ ଡାକ୍ତରଙ୍କର ମୌଳିକ କର୍ତ୍ତବ୍ୟ।

କୌଣସି ଗୁରୁତର ରୋଗୀଙ୍କୁ ଡାକ୍ତର କିମ୍ବା ମେଡିକାଲ କର୍ତ୍ତୃପକ୍ଷ ଚିକିତ୍ସା କରିବାକୁ ମନା କରିପାରିବେ ନାହିଁ। ଯଦି କରନ୍ତି ତାହାଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ସେମାନଙ୍କୁ ପ୍ରଫେସନାଲ ମିସ୍‌ କଣ୍ଟକ୍ଟ ବୋଲି ଗ୍ରହଣ କରାଯିବ।

ଦୁଷ୍କର୍ମ ପୀଡ଼ିତା ଏବଂ ଏସିଡ୍‌ ଆକ୍ରମଣ ରୋଗୀଙ୍କୁ ମାଗଣା ଚିକିତ୍ସା

ଦୁଷ୍କର୍ମ ପୀଡ଼ିତା ଏବଂ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ରୋଗୀଙ୍କ ପାଇଁ ମଧ୍ୟ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ନେଇଛନ୍ତି। ଦୁଷ୍କର୍ମ ପୀଡ଼ିତା କିମ୍ବା ଏସିଡ୍‌ ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତି ଯଦି କୌଣସି ମେଡିକାଲ ଆସନ୍ତି ତାହାଲେ ଡାକ୍ତର ତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବେ।

ସରକାରୀ ଏବଂ ଘରୋଇ ଡାକ୍ତରଖାନା ଏହି ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରିବାକୁ ମନା କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଯଦି କୌଣସି ଡାକ୍ତର କିମ୍ବା ମେଡିକାଲ କର୍ତ୍ତୃପକ୍ଷ ଏହି ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରିବାକୁ ମନା କରନ୍ତି ତାହାଲେ ସେମାନଙ୍କ ବିରୋଧରେ ଆଇପିସି ଧାରା ୧୬୬ ବି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାସହ ଡାକ୍ତରଙ୍କୁ ଗୋଟିଏ ବର୍ଷ ଜେଲ ଦଣ୍ଡ ସହ ଜରିମାନ ଦେବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

Comment