ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍କୁଲ୍‌ ପିଲାଙ୍କର ବ୍ୟାଗ୍‌ର ଓଜନ ଯାଞ୍ଚ କରୁଛନ୍ତି ସ୍ପେଶାଲ ସ୍କ୍ୱାଡ। ମଙ୍ଗଳବାରଠୁ ଏହି ଯାଞ୍ଚ ଆରମ୍ଭ କରିଛନ୍ତି ସ୍ୱତନ୍ତ୍ର ସ୍କ୍ୱାଡ। ସ୍କୁଲ ବ୍ୟାଗ୍‌ର ଓଜନ ଯାଞ୍ଚ କରିବା ପାଇଁ ୩ଟି ଜିଲ୍ଲାସ୍ତରୀୟ ସ୍କ୍ୱାଡ ଗଠନ କରାଯାଇଛି। ଏହି ସ୍କ୍ୱାଡ ହଠାତ୍‌ ସ୍କୁଲ ଗସ୍ତ କରି ବ୍ୟାଗ୍‌ର ଓଜନକୁ ଯାଞ୍ଚ କରୁଛନ୍ତି।

ମଙ୍ଗଳବାର ୬ଟି ଇଂଲିସ୍‌ ମିଡିୟମ୍‌ ସ୍କୁଲ ଯାଇ ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍‌ର ଓଜନ ଯାଞ୍ଚ କରିପାରିବେ। ଓଜନ ମାନକ ଯନ୍ତ୍ର ସହାୟତାରେ ବ୍ୟାଗ୍‌ଗୁଡ଼ିକର ଓଜନକୁ ଯାଞ୍ଚ କରାଯାଉଛି। ଓଜନଠାରୁ ଅଧିକ ଥିଲେ ପିଲାମାନଙ୍କୁ ଅଧିକ ବହି ନ ଆଣିବାକୁ ପରାମର୍ଶ ଦିଆଯାଉଛି।

ନିୟମ ଅନୁସାରେ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ର ଓଜନ ୧.୫ କେଜିରୁ କମ୍‌ ରହିବ। ବିଦ୍ୟାଳୟରେ ସେମାନଙ୍କୁ କେବଳ ମାତୃଭାଷା ଓ ଗଣିତ ବିଷୟରେ ଶିକ୍ଷା ଦିଆଯିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ।

୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗ୍‌ର ଓଜନ ୨ରୁ ୩ କିଲୋ ରହିବ। ଏହି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଗଣିତ, ପରିବେଶ ବିଜ୍ଞାନ, ଇଂରାଜୀ ଓ ମାତୃଭାଷା ବିଷୟରେ ଶିକ୍ଷା ପ୍ରଦାନ କରାଯିବ।

ଷଷ୍ଠ ଓ ସପ୍ତମ ପିଲାଙ୍କ ବ୍ୟାଗ୍‌ର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗ୍‌ର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫ କେଜିରୁ ଅଧିକ ହେବ ନାହିଁ।

ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ୱାରା ପରିଚାଳିତ କିଛି ସ୍କୁଲ୍‌ରେ ପିଲାଙ୍କ ବ୍ୟାଗ୍‌ର ଓଜନ ଅଧିକ ରହୁଥିବା ସହ SCERT/NCERT ବହି ପଢ଼ିବାକୁ ବାଧ୍ୟତାମୂଳକ ଥିବା ପରେ ବି ଏହି ନିୟମକୁ ସେତେଟା ଗୁରୁତ୍ୱ ଦେଉ ନାହାନ୍ତି। ତେଣୁ ନିୟମକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇ, ଅଚାନକ ଚଢ଼ାଉ କରାଯାଉଛି।

Comment