ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଓଲିଉଡରେ ରଚନା ବାନାର୍ଜୀଙ୍କ ପରେ ଯଦି କୌଣସି ବଙ୍ଗୀୟ ନାୟିକା ବେଶୀ ଦିନ ଧରି ରାଜ୍ କଲେଣି, ସେ ହେଉଛନ୍ତି ଝିଲିକ୍।

ଅଭିନେତ୍ରୀ ରଚନା ବାନାର୍ଜୀ ପାଖାପାଖି ଦଶ ବର୍ଷ ଧରି ଓଡ଼ିଆ ସିନେଜଗତ ସହିତ ଜଡ଼ିତ ଥିଲେ। ସେ ଅଲରାଉଣ୍ଡର ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ସାଗରଗଙ୍ଗା’ ଜରିଆରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ।

ଓଲିଉଡର ଖ୍ୟାତନାମା ନିର୍ଦ୍ଦେଶକ ରବି କିନ୍ନାପୀଙ୍କ ସୁପରହିଟ୍ ଫିଲ୍ମ ‘ଭାଇ ହେଲା ଭଗାରି’ ରିଲିଜ୍ ହେବା ପରେ ରଚନା ବାନାର୍ଜୀ ବନିଥିଲେ ହିଟ୍ ହିରୋଇନ୍। ଏହା ପରେ ରଚନା ଆଉ ପଛକୁ ଫେରି ଚାହିଁନଥିଲେ। ସେ କ୍ରମାଗତ ଭାବେ ଓଡ଼ିଆ ଫିଲ୍ମରେ ନାୟିକା ଭୂମିକାରେ ଅଭିନୟ କରିଚାଲିଲେ।

ବଙ୍ଗୀୟ ନାୟିକା ରଚନା ବାନାର୍ଜୀ ଓଲିଉଡ଼ରେ ଅନେକ ହିଟ୍ ଓ ସୁପରହିଟ୍ ସିନେମା ଦେଇଛନ୍ତି। ସେଥିମଧ୍ୟରେ ରହିଛି ‘ଭାଇ ହେଲା ଭଗାରୀ’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ‘ଯଶୋଦା’, ‘ଲକ୍ଷ୍ମଣରେଖା’, ‘ଲକ୍ଷ୍ମୀ ପ୍ରତିମା’, ‘ଗଙ୍ଗା ଯମୁନା’, ‘ସୁହାଗ ସିନ୍ଦୁର’, ‘କଣ୍ଢେଇ ଆଖିରେ ଲୁହ’, ‘ସିନ୍ଦୂର ନୁହେଁ ଖେଳ ଘର’, ‘ମୋ’ କୋଳ ତୋ’ ଝୁଲଣା’, ‘ସୁନା ହରିଣୀ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ସାକ୍ଷୀ ରହିବ ମୋ’ ଶଙ୍ଖା ସିନ୍ଦୂର’, ‘ନାରୀ ବି ପିନ୍ଧି ପାରେ ରକ୍ତ ସିନ୍ଦୂର’, ଏବଂ ‘ସନ୍ତାନ’ ଆଦି।

ରଚନା ବାନାର୍ଜୀଙ୍କ ଶେଷ ଓଡ଼ିଆ ସିନେମା ଥିଲା ‘ସନ୍ତାନ’। ଏହା ୨୦୦୨ରେ ରିଲିଜ୍‌ ହୋଇଥିଲା। ସୁବାସ ରାଉତଙ୍କ ପ୍ରଯୋଜିତ ତଥା ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସିଦ୍ଧାନ୍ତ ଥିଲେ ରଚନାଙ୍କର ନାୟକ।

ଏଣେ ଝିଲିକ୍ ଓଲିଉଡ଼ରେ ଏଣ୍ଟ୍ରି ଦେଇଥିଲେ ୨୦୧୩ରେ। ବଙ୍ଗୀୟ ନାୟିକା ଝିଲିକଙ୍କ ଅଭିନୀତ ପ୍ରଥମ ଓଡ଼ିଶା ସିନେମା ହେଲା ‘ଟାର୍ଗେଟ୍’। ନିରଞ୍ଜନ ରଣା ଏହାର ପ୍ରଯୋଜକ ଓ ଏସକେ ମୁରଲୀ ଧରନ୍ ନିର୍ଦ୍ଦେଶକ। ଏଥିରେ ତାଙ୍କ ବିପକ୍ଷରେ ନାୟକ ବନିଥିଲେ ଅମ୍ଳାନ।

ରଚନାଙ୍କ ଅଭିନୀତ ପ୍ରଥମ ସିନେମା ‘ସାଗରଗଙ୍ଗା’ ଯେଉଁପରି ଫ୍ଲପ୍ ହୋଇଥିଲା, ଠିକ୍ ସେହିପରି ବେଙ୍ଗଲି ବିଉଟି ଝିଲିକଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ଟାର୍ଗେଟ୍’କୁ ମଧ୍ୟ ବ୍ୟାବସାୟିକ ସଫଳତା ମିଳିନଥିଲା। ତେବେ ତାଙ୍କୁ ପ୍ରଯୋଜକ, ନିର୍ଦ୍ଦେଶକମାନେ ଗ୍ରହଣ କରିଥିଲେ।

ଝିଲିକଙ୍କ ଜୟଯାତ୍ରା ପ୍ରକୃତରେ ଆରମ୍ଭ ହୋଇଥିଲା ବ୍ଲକବଷ୍ଟର ମୁଭି ‘ଆଖିରେ ଆଖିରେ’ରୁ। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜନାରେ ନିର୍ମିତ ଏହି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ ମଣି। ‘ଆଖିରେ ଆଖିରେ’ ଝିଲିକଙ୍କୁ ଷ୍ଟାରସନ୍ ବାବୁସାନ୍‌ଙ୍କ ବିପକ୍ଷରେ ନାୟିକା ଭାବେ ଦେଖିବାକୁ ମିଳିଥିଲା।

‘ଆଖିରେ ଆଖିରେ’ର ସଫଳତା ପରେ ଝିଲିକ୍ ଆଗକୁ ମାଡ଼ି ଚାଲିଲେ। ଠିକ୍ ସେମିତି ରଚନା ‘ଭାଇ ହେଲା ଭଗାରୀ’ର ସଫଳତା ପରେ ନମ୍ବର ୱାନ୍ ବନିଥିଲେ।

ବାବୁସାନ୍‌-ଝିଲିକ୍ ଯୋଡ଼ି ପ୍ରଥମ ଫିଲ୍ମରେ ସୁପରହିଟ୍ ଯୋଡ଼ିର ମାନ୍ୟତା ପାଇଲେ। ଠିକ୍ ସେହିପରି ସିଦ୍ଧାନ୍ତଙ୍କ ସହିତ ରଚନାଙ୍କ ଯୋଡ଼ି ବି ପ୍ରଥମ ଫିଲ୍ମ ‘ଭାଇ ହେଲା ଭଗାରୀ’ରେ ସୁପରହିଟ୍ ପେୟାରର ସ୍ବୀକୃତି ପାଇଥିଲେ।

ଝିଲିକ୍ ଗତ ପାଞ୍ଚ ବର୍ଷ ଭିତରେ ଅନେକ ସୁପରିହଟ୍ ଫିଲ୍ମ ଦେଇଛନ୍ତି। ଏଥିମଧ୍ୟରେ ରହିଛି ‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖି ଦେଲି’, ‘ଜବରଦସ୍ତ ପ୍ରେମିକ’, ‘ଅଗସ୍ତ୍ୟ’, ‘ଜଗା ହାତରେ ପଘା’, ‘ସୁପର ମିଛୁଆ’, ‘ତୁ ମୋ’ ହିରୋ’ ଇତ୍ୟାଦି।

ସିଦ୍ଧାନ୍ତ-ରଚନାଙ୍କ ଯୋଡ଼ି ଭଳି ବାବୁସାନ୍-ଝିଲିକଙ୍କ ଯୋଡ଼ି ବି କେବେ ଫ୍ଲପ୍ ହୋଇନାହିଁ।

ରଚନା ବାନାର୍ଜୀ ସେ ସମୟର ଅଧିକାଂଶ ଟପ୍ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ। ଏମାନଙ୍କ ମଧ୍ୟରେ ସ୍ବର୍ଗତ ମହମ୍ମଦ ମଉସୀନ, ରାଜୁ ମିଶ୍ର, ହର ପଟ୍ଟନାୟକ, ରବି କିନ୍ନାଗୀ, ହିମାଂଶୁ ପରିଜା ଓ ଅରୁଣ ମହାନ୍ତି ପ୍ରମୁଖଙ୍କ ନାମ ଉଲ୍ଲେଖନୀୟ।

ଠିକ୍ ସେହିପରି ଝିଲିକ୍ ବି ଆଜିକା ସମୟର ହିଟ୍ ଡିରେକ୍ଟର ଏସକେ ମୁରଲୀଧରନ୍, ସୁଶାନ୍ତ ମଣି, ଅଶୋକ ପତି, ହିମାଂଶୁ ପରିଜା, ଦିଲୀପ ପଣ୍ଡା ଓ ଠିକ୍ ମୁରଲୀ କ୍ରିଷ୍ଣା ପ୍ରମୁଖଙ୍କ ନିର୍ଦ୍ଦେଶନାରେ କାମ କରିସାରିଲେଣି। ଏସବୁ ସମାନତା ସତ୍ତ୍ବେ ଝିଲିକ୍ ରଚନାଙ୍କ ପରି ଏକ ଦଶକ ଯାଏଁ ଓଲିଉଡରେ ରାଜ୍ କରିଛନ୍ତି କି ନା ତାହା ଦେଖିବା କଥା।

Comment