ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

5-T କାର୍ଯ୍ୟକ୍ରମ ଅଧିନରେ ରାଜ୍ୟ ସରକାର ‘ମୋ ସରକାର’ ଶୁଭାରମ୍ଭ କରିଛନ୍ତି। ଗାନ୍ଧୀ ଜୟନ୍ତୀରୁ ଏହା ଶୁଭାରମ୍ଭ କରାଯାଇଛି। ତେବେ ରାଜ୍ୟ ସରକାର ‘ମୋ ସରକାର’ କାହିଁକି ଶୁଭାରମ୍ଭ କଲେ ସେ ସମ୍ପର୍କରେ ଜାଣନ୍ତୁ।

ସରକାରୀ ଅଫିସକୁ ପ୍ରତିଦିନ ବିଭିନ୍ନ କାମରେ ଲୋକମାନେ ଆସିଥାନ୍ତି। ଜନସାଧାରଣଙ୍କ ମତାମତକୁ ସଂଗ୍ରହ କରାଯାଇ କର୍ମଚାରୀଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତାରେ ପରିବର୍ତ୍ତନ ଆଣିବା ଏହି ବ୍ୟବସ୍ଥାର ଲକ୍ଷ୍ୟ ବୋଲି କୁହାଯାଉଛି।

କେଉଁ ପ୍ରକାର ମତାମତ?

ପ୍ରତିଦିନ ଲୋକମାନେ ବିଭିନ୍ନ କାମରେ ସରକାରୀ ଅଫିସ୍‌କୁ ଆସୁଥିବା ଲୋକଙ୍କୁ କର୍ମଚାରୀମାନେ କେମିତି ବ୍ୟବହାର କରୁଛନ୍ତି? ସେମାନଙ୍କ ସମସ୍ୟାକୁ ବୃତ୍ତିଗତ ତଥା ସେବା ମନୋଭାବ ନେଇ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି କି ନାହିଁ? ଏସବୁ ଜାଣିବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମରେ ଲୋକଙ୍କ ମତାମତ ନିଆଯିବ।

ଏହା କ’ଣ ଅଭିଯୋଗ ଶୁଣାଣୀ?

ଏହା କୌଣସି ଅଭିଯୋଗ ଶୁଣାଣି କେନ୍ଦ୍ର ନୁହେଁ। ଏହା ହେଉଛି ସରକାରୀ ସଂସ୍ଥାମାନଙ୍କ ସମ୍ପର୍କରେ ଏକ ମତାମତ ସଂଗ୍ରହ ବ୍ୟବସ୍ଥା। ସଂସ୍ଥାଗୁଡ଼ିକୁ ଅଧିକ ଦକ୍ଷ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

କିଏ ମତାମତ ଦେଇପାରିବେ?

ସରକାରୀ ଅନୁଷ୍ଠାନକୁ ଯାଉଥିବା ଯେ କୌଣସି ବ୍ୟକ୍ତି ମତାମତ ଦେଇପାରିବେ। ଏହା ୨ ଅକ୍ଟୋବର ୨୦୧୯ ଠାରୁ ରାଜ୍ୟର ସମସ୍ତ ଥାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ କରାଯାଇଛି।

ଫୋନ୍‌ ନମ୍ବର ହେବ ପଞ୍ଜୀକରଣ

ଆପଣ ଯେତେବେଳେ କୌଣସି ଥାନା କିମ୍ବା ଡାକ୍ତରଖାନାକୁ ଯିବେ ସେତେବେଳେ ଆପଣଙ୍କର ଟେଲିଫୋନ ନମ୍ବରର ପଞ୍ଜୀକରଣ କରାଯିବ ଏବଂ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ନିକଟକୁ ଏସ୍‌ଏମ୍‌ଏସ୍‌ ଆସିବ। ଯଦି ଆପଣ ଏସ୍‌ଏମ୍‌ଏସ୍‌ ନପାଆନ୍ତି ତହାଲେ ଆପଣ ୧୪୫୪୫ ନମ୍ବରକୁ ମିସ୍‌କଲ୍‌ ଦେଇ ମୋ ସରକାର ପୋର୍ଟାଲରେ ଆପଣଙ୍କ ଟେଲିଫୋନ ନମ୍ବରକୁ ପଞ୍ଜୀକୃତ କରିପାରିବେ।

‘ମୋ ସରକାର’ ପୋର୍ଟାଲରୁ ପଞ୍ଜୀକୃତ ହୋଇଥିବା ସମସ୍ତ ନମ୍ବର ମଧ୍ୟରୁ ଚୟନ କରାଯାଇଥିବା ନମ୍ବରକୁ ମତାମତ ପାଇଁ ଯୋଗାଯୋଗ କରାଯିବ। ତେଣୁ ସମସ୍ତେ କଲ୍‌ ପାଇପାରନ୍ତି ବା ନ ପାଇପାରନ୍ତି।

କିଏ କଲ୍‌ କରିବେ?

ପଞ୍ଜୀକୃତ ନମ୍ବରରରୁ ୧୦ଟି ନମ୍ବରରେ ପ୍ରତିଦିନ ମୁଖ୍ୟମନ୍ତ୍ରୀ କଥା ହେବେ। ନହେଲେ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀ, ବିଭାଗୀୟ ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଫୋନ୍‌ କରିପାରିବେ।

ଥାନାକୁ ଅଭିଯୋଗ ନେଇ ଯାଇଥିବା ଲୋକଙ୍କ ସହିତ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ପୋଲିସ ମହାନିର୍ଦ୍ଦେଶକ ଏବଂ ପୋଲିସ ଡିଆଇଜି ଫୋନ୍‌ କରି ମତାମତ ନେଇପାରିବେ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକ ମଧ୍ୟ ଲୋକଙ୍କୁ ଫୋନ୍‌ କରି ମତାମତ ନେଇପାରିବେ।

ପରିଚୟ ରହିବ ଗୋପନ

ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯେଉଁ ଲୋକମାନଙ୍କ ସହ ଫୋନ୍‌ରେ କଥା ହୋଇ ମତାମତ ନେବେ ସେମାନଙ୍କ ନାଁ ଗୋପନ ରଖାଯିବ। ସେମାନଙ୍କ ପରିଚୟ ସର୍ବସାଧାରଣରେ ପ୍ରକାଶ କରାଯିବନି। ଏଣୁ ଅଭିଯୋଗକାରୀ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ।

ଥାନାରେ କେମିତି ମିଳିବ ବ୍ୟବହାର?

ଥାନାକୁ ଯାଉଥିବା ପ୍ରତ୍ୟେକ ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର କରାଯିବ। ଅଭିଯୋଗ ଉପରେ ବୃତ୍ତିଗତ ଏବଂ ସେବା ମନୋଭାବ ନେଇ ତାକୁ ନ୍ୟାୟ ଦେବାପାଇଁ ଉଦ୍ୟମ କରାଯିବ।

ଆପଣଙ୍କୁ କିପରି ବ୍ୟବହାର କରାଗଲା? ଆପଣଙ୍କୁ ହଇରାଣ କରାଗଲା କି? ଆପଣଙ୍କୁ ଲାଞ୍ଚ ମଗାଗଲା କି? ବିନା ଭୟ ବା ପକ୍ଷପାତରେ ପଦକ୍ଷେପ ଗ୍ରହଣ କରାଗଲା କି?

ଅଭିଯୋଗକାରୀଙ୍କୁ ଏସବୁ ପ୍ରଶ୍ନ ପଚାରି ମତାମତ ନିଆଯିବ।

ଡାକ୍ତରଖାନାରେ କେମିତି ମିଳିବ ବ୍ୟବହାର?

ଡାକ୍ତାଖାନାକୁ ଯାଉଥିବା ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ରୋଗୀମାନଙ୍କୁ କେହି ହଇରାଣ କରିବେ ନାହିଁ ବା ଲାଞ୍ଚ ମାଗିବେ ନାହିଁ ବୋଲି କୁହାଯାଇଛି। ଔଷଧ,  ବିଭିନ୍ନ ପ୍ରକାର ପରୀକ୍ଷା ସମେତ ସବୁ ପ୍ରକାର ସେବା ରୋଗୀଙ୍କୁ ମାଗଣାରେ ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଛି।

ଘରୋଇ ଡାକ୍ତରଖାନା, ଔଷଧ ଦୋକାନ, ଘରୋଇ ନିଦାନ କେନ୍ଦ୍ର ଆଦିକୁ ଯିବା ପାଇଁ କୌଣସି ରୋଗୀଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ।

ଅନୁକୂଳ ମତାମତ ଆସିଲେ ପୁରସ୍କାର 

ଲୋକମାନଙ୍କ ଅନୁକୂଳ ମତାମତ ଭିତ୍ତିରେ ସଂପୃକ୍ତ ଅନୁଷ୍ଠାନ ଏବଂ ତାହାର କର୍ମଚାରୀମାନଙ୍କୁ ପ୍ରଶଂସା କରାଯିବ। ନିରନ୍ତର ଅନୁକୂଳ ମତାମତ ପାଇଁ ସଂପୃକ୍ତ ସଂସ୍ଥାକୁ ‘ଭଲ’ ରାଙ୍କ ଦିଆଯିବ। ଭଲ କାମ କରିଥିବା କର୍ମଚାରୀଙ୍କୁ ଆଗୁଆ ପଦୋନ୍ନତି ଦିଆଯିବ।

ପ୍ରତିକୂଳ ମତାମତ ଆସିଲେ କାର୍ଯ୍ୟାନୁଷ୍ଠାନ

କୌଣସି ଥାନା କିମ୍ବା ଡାକ୍ତରଖାନା ସମ୍ପର୍କରେ ପ୍ରତିକୂଳ ମତାମତ ଆସିଲେ ଏହାକୁ ଗୁରୁତ୍ୱର ସହ ବିଚାର କରାଯିବ। ସଂପୃକ୍ତ ସରକାରୀ ଅନୁଷ୍ଠାନ ଭଲ ଭାବରେ ସେବା ଯୋଗାଉନାହିଁ ବୋଲି ନିଶ୍ଚିତ କରିବା ପାଇଁ ଆମେ ସେହି ଅନୁଷ୍ଠାନକୁ ଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଆଉ କିଛି ଲୋକଙ୍କ ମତାମତ ସଂଗ୍ରହ କରିବୁ। ଏହାକୁ ଆଧାର କରି ସଂପୃକ୍ତ ଅନୁଷ୍ଠାନର କର୍ମଚାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ମୋ ସରକାର କାର୍ଯ୍ୟକ୍ରମର ବିଚାରଧାରା କ’ଣ?

ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଲୋକଙ୍କ ସେବା ପାଇଁ ସବୁ ସରକାରୀ ଅନୁଷ୍ଠାନ ରହିଛି। ସବୁ ସରକାରୀ କର୍ମଚାରୀ ଲୋକଙ୍କ ପଇସାରୁ ହିଁ ବେତନ ପାଆନ୍ତି। ଏହା ହେଉଛି ଗଣତନ୍ତ୍ର – ଯେଉଁଠାରେ ସରକାରୀ ଅନୁଷ୍ଠାନ ହେଉଛି ଲୋକଙ୍କ ସମ୍ପତ୍ତି ଏବଂ ଲୋକମାନେ ହେଉଛନ୍ତି ସରକାରୀ ଅନୁଷ୍ଠାନର ପ୍ରକୃତ ମାଲିକ। ଏହି ବିଚାରଧାରାକୁ ଭିତ୍ତି କରି, ସରକାରୀ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ କର୍ମଚାରୀମାନେ କିପରି ବୃତ୍ତିଗତ ଓ ସେବା ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଅବଗତ ହେବା ନିମନ୍ତେ ଏହା ଏକ ସଶକ୍ତିକରଣ ପଦକ୍ଷେପ।

ଅକ୍ଟୋବର ୨ରୁ ରାଜ୍ୟର ସବୁ ପୋଲିସ ଥାନା ଏବଂ ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ୩ ଟି ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଲାଗୁ ହୋଇଛି।୩୦ ଅକ୍ଟୋବର ସୁଦ୍ଧା ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହା ସମ୍ପ୍ରସାରିତ ହେବ। ୨୦୨୦ ମାର୍ଚ୍ଚ ୫ ତାରିଖ ସୁଦ୍ଧା ରାଜ୍ୟର ସବୁ ସରକାରୀ ଅଫିସକୁ ମୋ ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ।

୧୪୫୪୫ ନମ୍ବର କ’ଣ ପାଇଁ ?

ସରକାରୀ ଅଫିସକୁ ଯାଇଥିବା ସମୟରେ, ଆପଣଙ୍କ ଫୋନ ନମ୍ବର ପଞ୍ଜୀକୃତ କରିବା ମାତ୍ରେ ମୋ ସରକାର ପୋର୍ଟାଲରୁ ମେସେଜ ଆସିବ। ଯଦି ମେସେଜ ନଆସିଲା ତାହାଲେ ଆପଣ ୧୪୫୪୫ କୁ ଫୋନ କଲେ ଆପଣଙ୍କ ନମ୍ବର ଆପେ ଆପେ ପଞ୍ଜୀକୃତ ହୋଇଯିବ। ଏହା ଏକ ଦେୟ ମୁକ୍ତ ଟେଲିଫୋନ ନମ୍ବର।

ଲୋକଙ୍କ ମତାମତ କେତେ ଦରକାରୀ?

ଆପଣଙ୍କ ମୂଲ୍ୟବାନ ମତାମତ ଲୋକଙ୍କ ପ୍ରତି ସରକାରୀ ଅନୁଷ୍ଠାନମାନଙ୍କର ଉତ୍ତରଦାୟୀତ୍ୱକୁ ବୃଦ୍ଧି କରିବାରେ ସହାୟକ ହେବ। ଆପଣଙ୍କ ମତାମତ ଭିତ୍ତିରେ ଉଭୟ ଅନୁକୂଳ କିମ୍ବା ଶାସ୍ତିମୂଳକ ପଦକ୍ଷେପ ଗ୍ରହଣ କରାଯାଇପାରେ। ଏହା ସଂପୃକ୍ତ ଅନୁଷ୍ଠାନର ଦକ୍ଷତା ବୃଦ୍ଧିରେ ସହାୟକ ହେବ।

Comment