ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଥାନୀୟ ପ୍ରାଦେଶିକ ସେନା ୧୨୦ ପଦାତିକ ବାହିନୀ ବାଟାଲିୟନଠାରେ ୭୩ତମ ପଦାତିକ ବାହିନୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ୪୦ରୁ ଆରମ୍ଭ କରି ୮୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗର ୧୫୦ରୁ ଅଧିକ ଅବସରପ୍ରାପ୍ତ ପଦାତିକ ବାହିନୀର ଅଧିକାରୀମାନେ ଯୋଗ ଦେଇ ବୀର ସହିଦଙ୍କ ବଳୀଦାନର ସ୍ମୃତିଚାରଣ କରିଥିଲେ।

ଏହି ଷ୍ଟେସନର ସବୁଠୁ ବରିଷ୍ଠ ପଦାତିକ ସେନା ଅଧିକାରୀ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଜେକେ ମହାନ୍ତି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

 

ଦେଶ ସ୍ୱାଧୀନତା ଲାଭ କରିବା ପରେ ପଦାତିକ ବାହିନୀର ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନର ସ୍ମୃତିଚାରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର ୨୭ ତାରିଖକୁ ପଦାତିକ ବାହିନୀ ଦିବସ ଭାବେ ପାଳନ କରାଯାଇଥାଏ।

୧୯୪୭ ମସିହା ଏହି ତାରିଖରେ ଭାରତୀୟ ସେନାର ଶିଖ ରେଜିମେଣ୍ଟ ଜମ୍ମୁ କଶ୍ମୀରର ଶ୍ରୀନଗରରେ ପ୍ରଥମ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପାକିସ୍ତାନ ସେନାର ସହାୟତାରେ ଜମ୍ମୁ ଓ କଶ୍ମୀରରେ ଅନୁପ୍ରବେଶ କରିଥିବା ଜନଜାତି ଅନୁପ୍ରବେଶକାରୀଙ୍କ ବିରୋଧରେ ଭାରତୀୟ ସେନା ଅସୀମ ବୀରତ୍ୱ ପ୍ରଦର୍ଶନ କରି ଯୁଦ୍ଧ ଲଢ଼ିଥିଲା ଏବଂ ସେମାନଙ୍କୁ ଦେଶର ସୀମାରୁ ବିତାଡ଼ିତ କରିବାରେ ସକ୍ଷମ ହୋଇଥିଲା।

ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାର ରକ୍ଷା କରିବା ଲାଗି ବହୁ ବୀର ସୈନିକ ସେମାନଙ୍କର ପ୍ରାଣବଳି ଦେଇଥିଲେ। ମେଜର ସୋମନାଥ ଶର୍ମା ଭଙ୍ଗା ହାତରେ ସେନାବାହିନୀର ନେତୃତ୍ୱ ନେଇ ଏହି ଅଭିଯାନକୁ ସଫଳ କରିଥିଲେ। ସେଥିପାଇଁ ତାଙ୍କୁ ଦେଶର ପ୍ରଥମ ପରମବୀର ଚକ୍ର ସମ୍ମାନରେ ଭୂଷିତ କରାଯାଇଥିଲା। ଏହି ଘଟଣାର ସ୍ମୃତିରେ ପ୍ରତିବର୍ଷ ପଦାତିକ ବାହିନୀ ଦିବସ ପାଳିତ ହୋଇ ଆସୁଛି ।

Comment