ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବଜାରରେ ପୁଣି ପିଆଜ କିଲୋ ହେବ ୫୦ ଟଙ୍କା!

ପୁଣି ଥରେ ଖାଉଟିଙ୍କୁ କନ୍ଦାଇବ ପିଆଜ। ବର୍ତ୍ତମାନ ବଜାରରେ ପିଆଜ ଦର ଯେତିକି ଅଛି ତାହା ଆଉ ୧୦ ଟଙ୍କା ବଢ଼ିବ। ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେବା ପରେ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ତେବେ ଏହି ବର୍ଦ୍ଧିତ ଦର ବିଭିନ୍ନ ବ୍ୟବସାୟୀ ସଂଘଙ୍କ ସହ ଆଲୋଚନା କରିବା ପରେ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଗତ ସେପ୍ଟେମ୍ବର ମାସରେ ପିଆଜ ଦର ହଠାତ୍‌ ବଢ଼ିଥିଲା। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବନ୍ୟା ଯୋଗୁଁ ଓଡ଼ିଶାକୁ ପିଆଜ ଆମଦାନୀ ହୋଇପାରି ନଥିଲା। ଫଳରେ ଓଡ଼ିଶା ବଜାରରେ ହଠାତ୍‌ କିଲୋ ୩୩ ଟଙ୍କାରେ ବିକ୍ରି ହେଉଥିବା ପିଆଜ ୬୦ ଟଙ୍କାକୁ ବଢ଼ି ଯାଇଥିଲା।

ଆଇଗିଣିଆ ଗୋଦାମରୁ ବ୍ୟବସାୟୀମାନେ କିଲୋ ୫୦ ଟଙ୍କା ଦରରେ ପିଆଜ ଆଣି ଗ୍ରାହକଙ୍କୁ ୬୦ ଟଙ୍କାରେ ବିକ୍ରି କରୁଥିଲେ। କେବଳ ଭୁବନେଶ୍ୱର ନୁହେଁ, ରାଜ୍ୟର ବିଭିନ୍ନ ସହରରେ ପିଆଜ ମହଙ୍ଗା ହୋଇଯାଇଥିଲା। କିଲୋ ୬୦ ଟଙ୍କା ଦେଇ ପିଆଜ କିଣିବାକୁ ଗ୍ରାହକ ରାଜି ହେଲେନି। ଏହାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା।

ଶେଷରେ ପିଆଜ ଦର ସ୍ୱାଭାବିକ ହୋଇଥିଲା। ଏବେ ବଜାରରେ ପିଆଜ କିଲୋ ୪୦ ଟଙ୍କା ରହିଛି। ୪୦ ଟଙ୍କା ଦେଇ ପିଆଜ ଘରକୁ ନେବାକୁ ଗ୍ରାହକ ଅମଙ୍ଗ ହେଉଥିବା ବେଳେ ରାଜ୍ୟ ସରକାର ଏଥିରେ ଆଉ ୧୦ ଟଙ୍କା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି।

Comment