ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇଦ୍ରାବାଦ୍‌ ଗଣଦୁଷ୍କର୍ମର ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣାରେ ସୁପ୍ରିମ୍‌କୋର୍ଟ ଗୁରୁବାର ଶୁଣାଣି କରିଛନ୍ତି। ତିନି ଜଣିଆ ବିଚାର ବିଭାଗୀୟ କମିଟି ଗଠନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ୬ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ଏହି ମାମଲାର ଶୁଣାଣି କରି ଘଟଣାର ନିରପେକ୍ଷ ତଦନ୍ତ ଜରୁରୀ ବୋଲି କହିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ଏ ବୋବ୍‌ଡେ। ଲୋକଙ୍କର ସତ୍ୟତା ଜାଣିବାର ଅଧିକାର ଅଛି ବୋଲି ପ୍ରଧାନବିଚାର ପତି କହିଛନ୍ତି।

ତେବେ ଅଭିଯୁକ୍ତମାନଙ୍କ କାହିଁକି ଅନ୍ଧାର ରାତିରେ ଅପରାଧ ସ୍ଥଳକୁ ନିଆଗଲା ବୋଲି ପ୍ରଧାନ ବୋବ୍‌ଡେ ତେଲେଙ୍ଗାନା ପୋଲିସକୁ ପ୍ରଶ୍ନ କରିଥିଲେ। ତେବେ ତେଲେଙ୍ଗାନା ପୋଲିସ ପକ୍ଷରୁ ମାମଲା ଲଢ଼ୁଥିବା ବିଚାରପତି ମୁକୁଲ ରୋହତଗୀ କହିଥିଲେ ଯେ, ଦିନରେ ପ୍ରବଳ ବିରୋଧ ପ୍ରଦର୍ଶନ ହେଉଥିଲା ତେଣୁ ସକାଳ ପୂର୍ବରୁ ସେମାନଙ୍କୁ ସେଠାକୁ ନିଆଯାଇଥିଲା। ଅଭିଯୁକ୍ତଙ୍କୁ ହାତକଡ଼ି ପକାଯାଇ ନଥିଲା। ଏହାର ଫାଇଦା ଉଠାଇ ସେମାନେ ପୋଲିସର ବନ୍ଧୁକ ଛଡ଼ାଇ ନେଇ ଅତର୍କିତ ଆକ୍ରମଣ କରିଥିଲେ।

ପୋଲିସ ଦେହରେ ଗୁଳି ବାଜିଥିଲା ନା ନାହିଁ ବୋଲି ଜଷ୍ଟିସ୍‌ ବୋବ୍‌ଡେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ରୋହତଗୀ କହିଥିଲେ ଯେ, ସେମାନେ ଗୁଳି ଚଳାଇଥିଲେ ମଧ୍ୟ ପୋଲିସ ଦେହରେ କୌଣସି ଗୁଳି ବାଜି ନଥିଲା।

ଗତ ଶୁକ୍ରବାର ହାଇଦ୍ରାବାଦ୍‌ ଗଣଦୁଷ୍କର୍ମ ଓ ହତ୍ୟାରେ ସାମିଲ ଥିବା ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିଲା। ପୋଲିସର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଂଶସା ମିଳୁଥିବା ବେଳେ କେତେକ ଆପତ୍ତି ଉଠାଇଥିଲେ। ଏହାପରେ ସାଇବରାବାଦ୍‌ ପୋଲିସ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି। ଏହି ମାମଲାର ଯାଞ୍ଚ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏସ୍‌ଆଇଟି ଗଠନ ପାଇଁ ମଞ୍ଜୁରି ଦେଇଥିଲେ।

Comment