ଓଡିଶାଲାଇଭ୍ ବ୍ୟୁରୋ

କଟକ: ହୋମ୍‌ଗାର୍ଡମାନଙ୍କ ଦୈନିକ ମଜୁରିକୁ ନେଇ ପୂର୍ବରୁ ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ତାହାକୁ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ଏବଂ ବିଚାରପତି ଜଷ୍ଟିସ୍ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି କାଏମ୍ ରଖିଛନ୍ତି। ଏହି ଦୁଇଜଣିଆ ଖଣ୍ଡପୀଠଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଣେ ହୋମ୍‌ଗାର୍ଡ ଏଣିକି ଦୈନିକ ୫୩୩ ଟଙ୍କା ମଜୁରି ପାଇବେ।

ତେବେ ହୋମ୍‌ଗାର୍ଡମାନେ ୨୦୧୬ ନଭେମ୍ବରରୁ ସେମାନଙ୍କ ବକେୟା ପାଇବେ ବୋଲି ହାଇକୋର୍ଟ ଯେଉଁ ଆଦେଶ ଦେଇଥିଲେ ସେଥିରେ ଖଣ୍ଡପୀଠ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ତଦନୁଯାୟୀ ହୋମ୍‌ଗାର୍ଡମାନେ ଗତ ଜାନୁଆରୀ ମାସରୁ ସେମାନଙ୍କ ବକେୟା ପାଇବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଏହାଦ୍ଵାରା ହୋମ୍‌ଗାର୍ଡମାନଙ୍କୁ ବକେୟା କ୍ଷେତ୍ରରେ ଅବଶ୍ୟ ବଡ଼ କ୍ଷତି ପହଞ୍ଚିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ରିଟ୍ ଅପିଲ୍‌ର ଶୁଣାଣି କରି ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।ପ୍ରକାଶ କୁମାର ଜେନା, ନଳିନୀକାନ୍ତ ନାୟକ ଏବଂ  ଅନ୍ୟମାନେ ହୋମ୍‌ଗାର୍ଡଙ୍କ ଦୈନିକ ମଜୁରି ଏବଂ ଅନ୍ୟାନ୍ୟ ବକେୟା ଭତ୍ତା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଲାଗୁ ହେବା ନେଇ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା, ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ହୋମ୍‌ଗାର୍ଡମାନେ ଅନ୍ୟ ପୋଲିସ ଅଧିକାରୀମାନଙ୍କ ଭଳି କାର୍ଯ୍ୟ କରିଥାନ୍ତି। କିନ୍ତୁ ମଜୁରି ପାଇଲାବେଳକୁ ଜଣେ ଦିନ ମଜୁରିଆଠାରୁ ବି’ କମ୍ ମଜୁରି ମିଳିଥାଏ। ହୋମ୍‌ଗାର୍ଡଙ୍କ ମଜୁରି କ୍ଷେତ୍ରରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ବିଭାଗର ସବୁଠାରୁ ତଳ ସ୍ତରରେ ଥିବା ଜଣେ କର୍ମଚାରୀ ଯେଉଁ ହାରରେ ଦରମା ପାଇଥାନ୍ତି ଉକ୍ତ ହାରରେ ହୋମ୍‌ଗାର୍ଡଙ୍କୁ ଦରମା ଦେବାକୁ ସୁପ୍ରିମ୍‌କୋର୍ଟ କହିଥିଲେ। ଏହା ପ୍ରତ୍ୟେକ ରାଜ୍ୟ ପାଇଁ ଲାଗୁ ହେବ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଥିଲା।

ସୁପ୍ରିମ୍‌କୋର୍ଟଙ୍କ ଏହି ଆଦେଶକୁ ପ୍ରତ୍ୟେକ ରାଜ୍ୟ ସରକାର କାର୍ଯ୍ୟକାରୀ କରିବା ନେଇ କେନ୍ଦ୍ର ସରକାର ଚିଠି ମଧ୍ୟ ଲେଖିଥିଲେ। ଏହି ଆଦେଶକୁ ଇତିମଧ୍ୟରେ ଅନେକ ରାଜ୍ୟ ସରକାର କାର୍ଯ୍ୟକାରୀ କରି ସାରିଥିଲା ବେଳେ ଓଡ଼ିଶାର ହୋମ୍‌ଗାର୍ଡଙ୍କ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବା ନେଇ ଅଗ୍ନିଶମ ଏବଂ ହୋମ୍‌ଗାର୍ଡ ଡିଜି ୨୦୧୬ ନଭେମ୍ବର ୧୦ ତାରିଖରେ ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ। କିନ୍ତୁ ଏହା ସତ୍ତ୍ୱେ ରାଜ୍ୟ ସରକାର ହୋମଗାର୍ଡଙ୍କ କ୍ଷେତ୍ରରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିନଥିଲେ।BGUହାଇକୋର୍ଟ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ହୋମ୍‌ଗାର୍ଡଙ୍କୁ ଦୈନିକ ୫୩୩ ଟଙ୍କା ହିସାବରେ ୨୦୧୬ ନଭେମ୍ବରରୁ ବକେୟା ପ୍ରାପ୍ୟ ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ରାଜ୍ୟ ସରକାର ରିଟ୍ ଅପିଲ୍‌ରେ ହାଇକୋର୍ଟକୁ ଆସିଥିଲେ। ହାଇକୋର୍ଟର ଖଣ୍ଡପୀଠ ପୂର୍ବ ରାୟକୁ କାଏମ୍ ରଖିବା ସହ ଏହାକୁ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୂଳ ଆବେଦନକାରୀଙ୍କ ପକ୍ଷରୁ ଏହି ମାମଲାକୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ପରିଚାଳନା କରୁଥିଲେ।

Comment