ଓଡ଼ିଶାଲାଇଭ୍‌ ବ୍ୟୁରୋ

କୃଷି ଓଡ଼ିଶାରେ କୃଷି ଯନ୍ତ୍ରପାତିର ବଢ଼ୁଛି ଚାହିଦା।

ଭୁବନେଶ୍ୱର ଜନତା ମଇଦାନରେ ଚାଲିଛି କୃଷି ଓଡ଼ିଶା କାର୍ଯ୍ୟକ୍ରମ। ମୋଟ୍‌ ୧୧୫ଟି କମ୍ପାନି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ବିଶେଷକରି କୃଷି ସହିତ ଜଡ଼ିତ ବିଭିନ୍ନ ପ୍ରକାର ଯନ୍ତ୍ରପାତି ତଥା ଚାଷ କାମ ପାଇଁ ବ୍ୟବହାର ହେଉଥିବା ଟ୍ରାକ୍ଟର, ପାଓ୍ୱାର୍ ଟେଲର୍ ଆଦି ଗାଡ଼ି ତିଆରି କରୁଥିବା ନାମୀଦାମୀ କମ୍ପାନି ଯୋଗ ଦେଇଛନ୍ତି କୃଷି ଓଡ଼ିଶା ମହାକୁମ୍ଭରେ।

ଶକ୍ତିମାନ, କୁବୋଟା ପରି ନ୍ୟୁହଲାଣ୍ଡ୍, ଜନ୍ ଡିର୍, ସୋନାଲିକା, ଏସକର୍ଟ, ଜୁମଲିୟନ୍,କର୍ତାର୍, ଭିଏସଟି, ମିଟସୁଭିସି, ସ୍ରାଚୀ ପରି କମ୍ପାନିଗୁଡ଼ିକ ଟ୍ରାକ୍ଟର, ହାରଭେଷ୍ଟର୍, ଟ୍ରାନ୍ସପ୍ଲାଣ୍ଟର୍, ପାଓ୍ୱାରଟ୍ରେଲର୍ ଆଦି କୃଷି ସଂପର୍କିତ ଯନ୍ତ୍ରପାତି ଓ ଯାନବାହାନର ପସରା ମେଲିଛି କୃଷି ଓଡ଼ିଶା – ୨୦୨୦ରେ।

ଅମଳ କରିବା ସମୟରେ କମ୍‌ ଫସଲ ନଷ୍ଟ ହେଉଥିବା ମେସିନ୍, କମ୍ ତେଲରେ ଅଧିକ ସମୟ ଧରି କାମ କରିପାରୁଥିବା ଯନ୍ତ୍ରପାତି ଓ ଯାନ ଆଦିକୁ ବେଶୀ ପସନ୍ଦ କରୁଛନ୍ତି କୃଷି ଓଡ଼ିଶାକୁ ଆସୁଥିବା ଚାଷୀମାନେ। ତା’ ସହିତ ଓଜନକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି କୃଷକମାନେ। କାରଣ ଯନ୍ତ୍ରପାତିର ଓଜନ କମ ରହିଲେ କ୍ଷେତରେ ବା ଫାର୍ମ ହାଉସରେ କାମ କରିବା ସହଜ ହୋଇଥାଏ ବୋଲି ମତ ଦେଇଛନ୍ତି ଜଣେ ଚାଷୀ।

କୃଷି ଓଡ଼ିଶା-୨୦୨୦ରେ ୩ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୨ ଲକ୍ଷ ଟଙ୍କା ଭିତରେ ଟ୍ରାକ୍ଟରଗୁଡ଼ିକ ଉପଲବ୍ଧ କରାଇଛନ୍ତି ବିଭିନ୍ନ କମ୍ପାନି। ସେହିପରି ୧୮ ଲକ୍ଷରୁ ୨୬ ଲକ୍ଷ ଟଙ୍କା ଭିତରେ ହାରଭେଷ୍ଟର୍ ବା ଧାନ ଅମଳ ମେସିନ୍ ଦେଖିବାକୁ ମିଳୁଛି ବିଭିନ୍ନ ମୁକ୍ତାକାଶ ଷ୍ଟଲଗୁଡ଼ିକରେ। ସର୍ବନିମ୍ନ ଏକ ଲକ୍ଷ ଅଶୀ ହଜାର ଟଙ୍କା ଦରରେ ମିଳିଯାଉଛି ଟ୍ରାନ୍ସପ୍ଲାଣ୍ଟର୍ ବା ଧାନ ରୁଆ ମେସିନ୍।

‘‘କୃଷି ଓଡ଼ିଶାରେ ନୂଆ ନୂଆ ଜ୍ଞାନ କୌଶଳରେ ତିଆରି ଟ୍ରାକ୍ଟର, ପାଓ୍ୱାର ଟେଲର୍ ଓ ଅନ୍ୟାନ୍ୟ ଯାନ ତଥା ଯନ୍ତ୍ରପାତି ଦେଖିବାକୁ ମିଳୁଛି, କୃଷକ ଭାଇମାନେ ଏସବୁ ବ୍ୟବହାର କରିବା ଦରକାର। ଉଭୟ ଯନ୍ତ୍ର ଓ ମଣିଷ ଯୋଡ଼ି ହେଲେ ହିଁ ଚାଷବାସରେ ସଫଳତାକୁ ନିଶ୍ଚିତ କରିହେବ’’, କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅରଡ଼ା ଗ୍ରାମରୁ ଆସିଥିବା ଚାଷୀ ଅଜୟ କୁମାର ମହାନ୍ତି ଏହା କହିଛନ୍ତି।

‘‘କୃଷି କ୍ଷେତ୍ରରେ ପରିବହନ କରିବା ପାଇଁ ଯାନବାହାନ ନିର୍ମାଣ କରିବାରେ ଆମ କମ୍ପାନି ବେଶି ଫୋକସ୍ କରିଆସିଛି। ଭାରତୀୟ ଚାଷ ପ୍ରଣାଳୀକୁ ଦୃଷ୍ଟିରେ ରଖି ଆମ କମ୍ପାନି ଯାନଗୁଡ଼ିକର ଡିଜାଇନ ପ୍ରସ୍ତୁତ କରିଥାଏ। ଭଲ ଇଂଜିନ ପାଇଁ ଆମେ ବଜାରରେ ସମସ୍ତଙ୍କର ବିଶ୍ୱାସ ଜିତିବାରେ ସଫଳ ହୋଇପାରିଛୁ। ଅନେକ କମ୍ପାନି ଆମଠାରୁ ଇଂଜିନ୍ ନେଇ ବିକ୍ରି କରନ୍ତି’’, କହିଛନ୍ତି ଜାପାନ୍ କମ୍ପାନି କୁବୋଟାର ସିନିଅର୍ ମ୍ୟାନେଜର ହୃଷିକେଷ ମହାନ୍ତି।

ହୃଷିକେଷ ମହାନ୍ତି ଆହୁରି ମଧ୍ୟ କହିଛନ୍ତି, ‘‘ଆମ କମ୍ପାନି ନିର୍ମିତ ଧାନ କଟା ମେସିନ୍ ଧାନଶସ୍ୟକୁ ନଷ୍ଟ ନକରି କାଟିବାରେ ସକ୍ଷମ ହେଉଛି। କେବଳ ଧାନ ପାଇଁ ନୁହେଁ ମକା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ଏକ କର୍ଣ୍ଣ କିଟ୍ ତିଆରି କରିବାରେ ସଫଳ ହୋଇଛି ଆମ କମ୍ପାନି।’’

କୃଷି ଓଡ଼ିଶାରେ ଭାଗ ନେଇଥିବା କମ୍ପାନିଗୁଡ଼ିକ କୃଷକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସ୍କିମ୍‌ ପ୍ରସ୍ତୁତ କରିଛନ୍ତି। କିଏ ଟ୍ରାକ୍ଟର ସହିତ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି ମାଗଣାରେ ଦେଉଛନ୍ତି ତ କିଏ ପାଓ୍ୱାର ଟେଲର୍ ବିକ୍ରି କରୁଛନ୍ତି ୫ହଜାରରୁ ୧୦ ହଜାର ଟଙ୍କା ଡିସକାଉଣ୍ଟରେ। ସେହିପରି କମ୍ପାନିଗୁଡ଼ିକ ଟେଷ୍ଟ ଡ୍ରାଇଭର ମଧ୍ୟ ବ୍ୟବସ୍ଥା କରିଛନ୍ତି। ଟ୍ରାକ୍ଟର କମ୍ପାନିଗୁଡ଼ିକ ମଧ୍ୟ ମୋଟ୍‌ ଦାମ ଉପରେ ଦେଉଛନ୍ତି ଆକର୍ଷଣୀୟ ରିହାତି।

Comment