ଓଡ଼ିଶାଲାଇଭ୍ ବ୍ୟୁରୋ

  • ସଂସଦରେ ଉପସ୍ଥାପନ ହେଲା ବଜେଟ୍- ୨୦୨୦
  • ବଜେଟରେ ବ୍ୟାଙ୍କିଙ୍ଗ୍ ସେକ୍ଟରକୁ ଗୁରୁତ୍ୱ
  • ବ୍ୟାଙ୍କ ଡିପୋଜିଟ୍ ଇନ୍ସ୍ୟୁରାନ୍ସ ୫ ଲକ୍ଷ ଟଙ୍କାକୁ ବୃଦ୍ଧି
  • ଏଲ୍ଆଇସି ଓ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି କରିବେ ସରକାର

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ଆଗାମୀ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ସେକ୍ଟରକୁ ବିଶେଷକରି ଗୁରୁତ୍ୱ ଦେଇଛନ୍ତି। ବ୍ୟାଙ୍କ ଡିପୋଜିଟ୍ ଇନ୍ସ୍ୟୁରାନ୍ସକୁ ବୃଦ୍ଧି, ଏଲ୍ଆଇସିରେ ଥିବା ସରକାରଙ୍କ ଅଂଶଧନ ବିକ୍ରି ଏବଂ ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର।

ବ୍ୟାଙ୍କ୍ ଡିପୋଜିଟ୍ ଇନ୍ସ୍ୟୁରାନ୍ସ ବୃଦ୍ଧି

ଦେଶର କେତେକ ବ୍ୟାଙ୍କ ଲୋକମାନଙ୍କ ଜମା ଟଙ୍କାକୁ ନେଇ ଫେରାର ହେବା ପରେ ଏହାକୁ ନେଇ ଜନଅସନ୍ତୋଷ ଦେଖାଯାଇଥିଲା। ସେଥିପାଇଁ କେନ୍ଦ୍ର ସରକାର ବ୍ୟାଙ୍କ ଡିପୋଜିଟ୍ ଇନ୍ସ୍ୟୁରାନ୍ସ ରାଶିକୁ ବୃଦ୍ଧି କରିଛନ୍ତି।ଏହାଫଳରେ ଏଣିକି ଯଦି କୌଣସି ବ୍ୟାଙ୍କ ବନ୍ଦ ହୋଇଯାଏ କିମ୍ବା ଲୋକମାନଙ୍କ ଟଙ୍କା ନେଇ ଫେରାର ହୋଇଯାଏ ତେବେ ସରକାରଙ୍କ ତରଫରୁ ଲୋକମାନଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ। ଏଥିସହିତ ବ୍ୟାଙ୍କଗୁଡ଼ିକ କିଭଳି ଠିକ୍ ଭାବେ କାମ କରିବେ ସେଥିପ୍ରତି ମଧ୍ୟ ସରକାର ଧ୍ୟାନ ଦେବେ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଏହାପୂର୍ବରୁ ଲୋକମାନଙ୍କୁ ଡିପୋଜିଟ୍ ଇନ୍ସ୍ୟୁରାନ୍ସ ବାବଦରେ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳୁଥିଲା। ଯାହାକୁ ଏବେ ବଢ଼ାଯାଇ ୫ ଲକ୍ଷ ଟଙ୍କା କରାଯାଇଛି।

LICରୁ ଅଂଶଧନ ବିକ୍ରି କରିବେ ସରକାର

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଆହୁରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଜୀବନ ବୀମା ନିଗମ (ଏଲ୍ଆଇସି)ରେ ଥିବା ସରକାରଙ୍କ ଅଂଶଧନକୁ ବିକ୍ରି କରିଦିଆଯିବ। ଏଥିସହିତ ସରକାର ଏହାକୁ ଆଇପିଓ (IPO) ଉପାୟରେ ବିକ୍ରି କରିବେ ବୋଲି ସେ କହିଛନ୍ତି।

ଆଇପିଓ  ହେଉଛି Initial public offering। ଏହି ଉପାୟରେ ସରକାର ଏଲଆଇସିରେ ଥିବା ନିଜର ଅଂଶଧନକୁ ଲୋକମାନଙ୍କୁ ବିକ୍ରି କରିବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।IDBI ବ୍ୟାଙ୍କର ମଧ୍ୟ ବିକ୍ରି ହେବ ଅଂଶଧନ

ଏଲ୍ଆଇସିର ଅଂଶଧନ ବିକ୍ରି ହେବା ସହ IDBI ବ୍ୟାଙ୍କର ମଧ୍ୟ ଅଂଶଧନ ବିକ୍ରି ହେବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ବଜେଟ୍ ଅଭିଭାଷଣରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସରକାର ଆଇଡିବିଆଇ ବ୍ୟାଙ୍କର ଅଂଶଧନ ବିକ୍ରି କରିବେ। ଏଲଆଇସିରେ ସରକାର ନିଜର ଅଂଶଧନକୁ ଲୋକମାନଙ୍କୁ ବିକ୍ରି କରୁଥିବାବେଳେ ଆଇଡିବିଆଇ ବ୍ୟାଙ୍କ ଅଂଶଧନ କିନ୍ତୁ ସରକାର ନିଜର କମ୍ପାନିମାନଙ୍କୁ ବିକ୍ରି କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ସୀତାରମଣ।

Comment