ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଭୁବନେଶ୍ଵର ଲୋକସେବା ଭବନରେ ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ଉଭୟ ନେତା ଓଡ଼ିଶାରେ ୨ଟି ଜାତୀୟ ରାଜପଥ (ଏନଏଚ୍) ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଅମିତ ଶାହ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ନେଉଥିବା ପଦକ୍ଷେପଗୁଡ଼ିକୁ ବଖଣିବା ସହ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ।

“କେନ୍ଦ୍ର ସରକାର ଦେଶରେ ଭିତ୍ତିଭୂମିର ବିକାଶ ପାଇଁ ଅନେକ ଗୁରୁତ୍ଵ ଦେଉଛନ୍ତି। ଓଡ଼ିଶାରେ ରାସ୍ତା, ରେଳ ଓ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣ ପାଇଁ ଅନେକ ଟଙ୍କା ବ୍ୟୟବରାଦ କରିଛନ୍ତି। ଓଡ଼ିଶାରେ ଏବେ ନକ୍ସଲ ଗତିବିଧି କମିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶାର ଆହୁରି ଉନ୍ନତି ହେବ ବୋଲି ମୋର ଆଶା”, କହିଛନ୍ତି ଅମିତ ଶାହ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶାରେ ବିପର୍ଜୟ ପରିଚାଳନାରେ ରାଜ୍ୟ ସରକାରଙ୍କ କାମ ଅତି ପ୍ରଶଂସନୀୟ। ବିପର୍ଜୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସାରା ଦେଶର ମାର୍ଗଦର୍ଶନ କରିଛି। ଭାରତର ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ସରକାର ସର୍ବଦା କେନ୍ଦ୍ର ସରକାରଙ୍କ ସହଯୋଗ କରିଆସୁଛନ୍ତି।”

ଶନିବାର ଅମିତ ଶାହ କାମାକ୍ଷାନଗର-ଡୁବୁରି ୪ ଲେନ ଜାତୀୟ ରାଜପଥକୁ ଉଦଘାଟନ କରିଥିଲେ। ଏହାସହ କଳାହାଣ୍ଡି ଜିଲ୍ଲାର ମୋଟେର ଓ ବାନେଇ ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ ନବୀନ ପଟ୍ଟନାୟକ ଓ ଅମିତ ଶାହ ପରସ୍ପରଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ।

“ଓଡ଼ିଶାବାସୀଙ୍କ ବିକାଶ ହିଁ ଆମ ସରକାରର ଲକ୍ଷ୍ୟ। ରାଜ୍ୟ ସରକାର ଓଡ଼ିଶାରେ ଯୋଗାଯୋଗର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ସ୍ୱାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ଏବଂ ବିଜୁ ଏକ୍ସପ୍ରେସ ଓ୍ୱେ ମାଧ୍ୟମରେ ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଯୋଗାଯୋଗ ବଢ଼ିଛି। ଓଡ଼ିଶାରେ ଏବେ ଦୁଇଟି ନୂଆ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇଥିବାବେଳେ ଆଉ ଗୋଟିଏର କାମ ଚାଲିଛି। ରାଜ୍ୟର ବିକାଶ କାମରେ ସହଯୋଗ କରୁଥିବାରୁ ମୁଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛି”, କହିଛନ୍ତି ନବୀନ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମ ପରେ ରାଜ୍ୟ ସରକାରଙ୍କ ସହ ଗୁରୁତ୍ଵପୂର୍ଣ୍ଣ ବୈଠକ କରିବେ କେନ୍ଦ୍ର ଗୃହମନ୍ତ୍ରୀ। ସେ ଓଡ଼ିଶାରେ ନକ୍ସଲ ଦମନ ଓ ବିପର୍ଯ୍ୟୟ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ରାସ୍ତା ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ।

Tags: #AmitShah #OdishaVisit #NHProjectinauguration #NaveenPatnaik #Bhubaneswar

 

Comment