ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଓ୍ୱାର୍ଡ କଳାକାରଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରେ ବୋଲି କହିଲେ ଜୟୀରାମ ସାମଲ।

ଓଡ଼ିଆ ଫିଲ୍ମ ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ହାସ୍ୟ ଅଭିନେତା ଜୟୀରାମ ସାମଲଙ୍କୁ ଷ୍ଟାର ଫିଲ୍ମ ଆଓ୍ୱାର୍ଡ ଉତ୍ସବରେ ସମ୍ମାନିତ କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ଉତ୍କଳମଣ୍ଡପରେ ଷ୍ଟାର ଫିଲ୍ମ ଆଓ୍ୱାର୍ଡ ୨୦୨୦ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୟୀରାମ ସାମଲ ଷ୍ଟାର ଫିଲ୍ମ ଆଓ୍ୱାର୍ଡ ପକ୍ଷରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ରେ ସମ୍ମାନିତ ହୋଇଥିଲେ।

ଏଥିସହି ୧୮ ଜଣ କଳାକାର ଓ ଟେକନିସିଆନ ମଧ୍ୟ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଓଲିଉଡର ଅନେକ କଳାକାର ଯୋଗ ଦେଇଥିଲେ।

‘‘ଆଓ୍ୱାର୍ଡ ପାଇଲେ କଳାକାରମାନେ ଉତ୍ସାହିତ ହୋଇଥାନ୍ତି। ଆଓ୍ୱାର୍ଡ କଳାକାରଙ୍କୁ ପ୍ରେରଣା ଯୋଗାଇଥାଏ। ଆଓ୍ୱାର୍ଡ କଳାକାରଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ‘‘, କହିଥିଲେ ଜୟୀରାମ ସାମଲ।

ଏହି ଆଓ୍ୱାର୍ଡ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ୬ ଜଣ ପ୍ରଯୋଜକଙ୍କୁ ଧନ୍ୟବାଦ ଜଣାଇଥିଲେ ଜୟୀରାମ। ଯେଉଁ କଳାକାର ଏବେ ପରଦାଠୁ ଦୂରେଇ ଗଲେଣି ସେମାନଙ୍କୁ ଖୋଜି ସମ୍ମାନିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ ପ୍ରଂଶସନୀୟ ବୋଲି କହିଥିଲେ ଜୟୀରାମ।

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର କମେଡି କିଙ୍ଗ୍‌ ହେଲେ ଜୟରାମ ସାମଲ। ପ୍ରାୟ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛନ୍ତି ଜୟୀରାମ। କେବଳ ଫିଲ୍ମ ନୁହେଁ ବିଭିନ୍ନ ଟିଭି ସିରିଏଲ ଓ ବିଜ୍ଞାପନରେ ମଧ୍ୟ ଜୟୀରାମଙ୍କୁ ଦେଖିଛନ୍ତି ଦର୍ଶକ। ୧୯୭୦ରୁ ଅଭିନୟ ଆରମ୍ଭ କରିଥିଲେ ସେ। କମେଡି ଫିଲ୍ମ କରିବା ସହିତ କିଛି ଫିଲ୍ମରେ ସେ ନେଗେଟିଭ୍‌ ରୋଲ ମଧ୍ୟ କରିଛନ୍ତି।

Comment