ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଜନତା ମଇଦାନରେ ସିଏଏ ସମର୍ଥନରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏଥିପାଇଁ ବିଜେପି ପକ୍ଷରୁ ଜନତା ମଇଦାନରେ ଭୂମି ପୂଜା କରାଯାଇଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି ପୂଜା ହୋଇଥିଲା।

ଶୁକ୍ରବାର ସକାଳ ୧୦ଟା୧୦ରେ ଶାହ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋକସେବା ଭବନ ଯିବେ। ସେଠାରେ ଆୟୋଜିତ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବେ। ୧୦ଟା୪୦ରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିବ।

୨ଟା୩୦ରେ ଶାହ ଜନତା ମଇଦାନ ଆସିବେ। ଏଠାରେ ସିଏଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବେ। ପରେ ଶାହ କର୍ମକର୍ତ୍ତାଙ୍କୁ ନେଇ ବୈଠକ କରିବେ। ଶନିବାର ଦିନ ଶାହ ଲିଙ୍ଗରାଜ ମନ୍ଦିର ଏବଂ ପୁରୀ ଶ୍ରୀମନ୍ଦିର ଯିବେ।

ବିଜେପି ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ସୋନାଲି ସାହୁ, ଜଗନ୍ନାଥ ପ୍ରଧାନ, ଇରାଶୀଷ ଆଚାର୍ଯ୍ୟ, ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ, ପଞ୍ଚାନନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comment