ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ତର୍ଜାତିକ ମହିଳା ଦିବସ। ମହିଳାଙ୍କ ପାଇଁ ଦିନଟିଏ। ପ୍ରତିବର୍ଷ ଏହି ଦିନ ଆସିଲେ ମନକୁ ସେହି ମହିଳାମାନଙ୍କ ନାଁ ଆସେ ଯେଉଁମାନେ ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ସଫଳ ଓ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସରେ ଆମେ ସେମିତି ଜଣକ ବିଷୟରେ କହିବୁ ଯିଏ ଆଦିବାସୀ ଅଞ୍ଚଳରୁ ପାଠ ପଢ଼ି ଆକାଶରେ ଉଡ଼ିବାର ସ୍ୱପ୍ନକୁ ପୂରା କରିଛନ୍ତି। ସେ ହେଲେ ମାଲକାନଗିରିର ସୁନା ଝିଅ ଅନୁପ୍ରିୟା ଲାକ୍ରା।

୭ ବର୍ଷର କଠିନ ତାଲିମ୍‌ ପରେ ୨୦୧୯ରେ ମାଲକାନଗିରିର ଝିଅ ଅନୁପ୍ରିୟା ତାଙ୍କ ଜିଲ୍ଲାର ପ୍ରଥମ ମହିଳା ପାଇଲଟ ହେବାର ଗୌରବ ଅର୍ଜନ କରିଥିଲେ ଓଡ଼ିଶା ପୋଲିସରେ ହାବିଲଦାର କାମ କରୁଥିବା ମାରିନିୟସ ଲାକ୍ରା ଓ ତାଙ୍କ ପତ୍ନୀ ଜାମାଜ୍ ୟାସମିନ୍ ଲାକ୍ରାଙ୍କ ଝିଅ ହେଉଛନ୍ତି ଅନୁପ୍ରିୟା। ସେମିଳିଗୁଡ଼ା ଜୀବନଜ୍ୟୋତି ବିଦ୍ୟାଳୟରୁ ନିଜର ଯୁକ୍ତ ଦୁଇ ପାଠ ପଢିସାରିବାପରେ ଅନୁପ୍ରିୟା ଭୁବନେଶ୍ୱରର ଏକ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଥିଲେ।

ହେଲେ ପାଇଲଟ ହେବାର ନିଶାରେ ସେ ଇଞ୍ଜିନିୟରିଂ ପାଠ ଅଧାରୁ ଛାଡ଼ି ଏକ ଇନଷ୍ଟିଚ୍ୟୁଟରେ ପାଇଲଟ୍ ତାଲିମ୍ ପାଇଁ ଆବେଦନ କରିଥିଲେ ଅନୁପ୍ରିୟା। ଏହାପରେ ଅନୁପ୍ରିୟା ଦିଲ୍ଲୀ, ବେଙ୍ଗାଳୁରୁ ଓ ମୁମ୍ବାଇ ଯାଇ ବିଭିନ୍ନ ସ୍ଥାନରେ ପ୍ରବେଶିକା ପରୀକ୍ଷା ଦେଇଥିଲେ।

ପ୍ରବେଶିକା ପରୀକ୍ଷାରେ ଯୋଗ୍ୟ ବିବେଚିତ ହେବା ପରେ ୨୦୧୨ ମସିହାରେ ଭୁବନେଶ୍ୱରର ଏକ ପାଇଲଟ ତାଲିମ କେନ୍ଦ୍ରରେ ତାଙ୍କର ତାଲିମ୍ ଆରମ୍ଭ ହୋଇଥିଲା। ଚଳିତ ମାସରେ ତାଙ୍କର ତାଲିମ ଶେଷ ହେବା ପରେ ତାଙ୍କୁ ଏକ ଘରୋଇ କମ୍ପାନିରେ କୋ-ପାଇଲଟ ଭାବରେ ନିଯୁକ୍ତି ମିଳିଥିଲା।

ଆଦିବାସୀ ଅଞ୍ଚଳରୁ ଆସି ଏହି ସଫଳତା ପାଇଁ ଅନୁପ୍ରିୟାଙ୍କ ପାଇଁ ସହଜ ନଥିଲା। ତାଙ୍କ ବାପା ମା’ଙ୍କ ଅବଦାନ ଓ ନିଜର ଦୃଢ଼ ଇଛାଶକ୍ତି ବଳରେ ହିଁ ସଫଳତା ପାଇଥିବା ଅନୁପ୍ରିୟା କହିଥିଲେ।

ଅନୁପ୍ରିୟାଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଥିଲେ।

Comment