ଓଡ଼ିଶାଲାଇଭ୍ ବ୍ୟୁରୋ

କୋରୋନା ଭାଇରସ୍‌କୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କୋରୋନା ପାଇଁ କୌଣସି ପ୍ରତିଷେଧକ ବାହାରି ପାରି ନାହିଁ। କୋରୋନାରୁ ରକ୍ଷା ପାଇବା ପାଇଁ ଅନେକ ଗୁଜବ ବି ସୃଷ୍ଟି ହେବାରେ ଲାଗିଛି। କିଏ କହୁଛି ତୁଳସୀ ଖାଅ ତ କିଏ କହୁଛି ଭଗବାନଙ୍କୁ ଦର୍ଶନ କର। ହେଲେ ଏବେ ଏହାକୁ ନେଇ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଠି ଶିବଲିଙ୍ଗଙ୍କୁ ଲୋକେ ମାସ୍କ ପିନ୍ଧାଇବାର ଦେଖିବାକୁ ମିଳିଛି।

ଏଭଳି ଏକ ମଜାଦାର ଘଟଣା ଘଟିଛି ବାରଣାସୀର ବିଶ୍ୱନାଥ ମନ୍ଦିରରେ। ଏଠି ମହାଦେବଙ୍କୁ ମାସ୍କ ପିନ୍ଧାଇଛନ୍ତି ମନ୍ଦିର ପୂଜକ। ମାସ୍କ ପିନ୍ଧାଇବା ସହ ଶ୍ରଦ୍ଧାଳୁମାନଙ୍କୁ ଶିବଲିଙ୍ଗକୁ ସ୍ପର୍ଶ ନ କରିବାକୁ ନିବେଦନ କରିଛନ୍ତି ମନ୍ଦିର ପୂଜକ। ତେବେ କୋରୋନା ଭାଇରସକୁ ନେଇ ଲୋକଙ୍କୁ ସଚେତନ କରିବାକୁ ପାଇଁ ଏଭଳି ପଦକ୍ଷେପ ନେଇଥିବା କଥା କହିଛନ୍ତି ମନ୍ଦିର ପୂଜକ।

ଏନେଇ ମନ୍ଦିର ପୂଜକ କହିଛନ୍ତି, ‘‘ସାରା ଦେଶରେ କୋରୋନା ଭାଇରସ ବ୍ୟାପିବାରେ ଲାଗିଛି। କୋରୋନା ଭାଇରସ ବିଷୟରେ ସଚେତନତା ସୃଷ୍ଟି କରିବାକୁ ଆମେ ଭଗବାନ ବିଶ୍ୱନାଥଙ୍କୁ ମାସ୍କ ପିନ୍ଧାଇଛୁ। ଶୀତଦିନେ ଆମେ ଶିବଲିଙ୍ଗକୁ ଗରମ ପୋଷାକ ପିନ୍ଧାଇ ଥାଉ। ଗରମ ହେଲେ ଭଗବାନଙ୍କ ନିକଟରେ ଏସି ଲଗାଇଥାଉ। ସେହିଭଳି କୋରୋନାରୁ ରକ୍ଷା ପାଇଁ ଆମେ ଭଗବାନଙ୍କୁ ମାସ୍କ ପିନ୍ଧାଇଛୁ”।

କୋରୋନାକୁ ଦୃଷ୍ଟିରେ ରଖି ବାରାଣାସୀ ବିଶ୍ୱନାଥ ମନ୍ଦିରରେ ସମସ୍ତ ସେବାୟତମାନେ ମଧ୍ୟ ମାସ୍କ ପିନ୍ଧି ପୂଜାର୍ଚ୍ଚନା କରୁଛନ୍ତି।

ଦେଶରେ ହୁ ହୁ ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୬୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଛନ୍ତି। କେରଳରେ ୮ଟି, ମହାରାଷ୍ଟ୍ରରେ ୫ଟି, କର୍ଣ୍ଣାଟକରେ ୪ଟି, ଜମ୍ମୁ କଶ୍ମୀରରେ ଗୋଟିଏ ରିପୋର୍ଟ ପଜେଟିଭ୍ ଆସିବା ପରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ରେ ପହଞ୍ଚିଲାଣି।

Comment