ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ବର୍ତ୍ତମାନ କରୋନା ସହ ଲଢେଇ କରୁଥିବା ଓଡିଶା ପାଇଁ ସବୁଠୁ ବଡ ଆହ୍ଵାନ ହେଉଛି ସଂକ୍ରମଣକୁ ନିୟନ୍ତ୍ରଣ କରିବା।

ବିଶ୍ୱରେ କରୋନା ଭୂତାଣୁ ବ୍ୟାପିବା ଦିନଠାରୁ ଆମେ ଆମ ଭବିଷ୍ୟତକୁ ନେଇ ଚିନ୍ତା ଆରମ୍ଭ କରିଥିଲୁ। ହେଲେ ଦେଖୁ ଦେଖୁ ଓଡ଼ିଶାକୁ ପ୍ରବେଶ କରିଗଲା କରୋନା। ସୁଦୂର ଇଟାଲୀରୁ ଓଡିଶାକୁ ସଂକ୍ରମିତ ହେଲା କରୋନା ଭୂାତାଣୁ। ଭୁବନେଶ୍ୱରର ଜଣେ ୩୧ବର୍ଷିୟ ଯୁବକ ଓଡ଼ିଶା ପାଇଁ ସାଜିଲେ କୋଭିଡ୧୯ ବାହକ।

ବର୍ତ୍ତମାନ କରୋନା ସହ ଲଢେଇ କରୁଥିବା ଓଡିଶା ପାଇଁ ସବୁଠୁ ବଡ ଆହ୍ଵାନ ହେଉଛି ସଂକ୍ରମଣକୁ ନିୟନ୍ତ୍ରଣ କରିବା। ଯେଉଁଥିପାଇଁ ଗୋଷ୍ଠୀଗତ ସଂକ୍ରମଣ ରୋକିବାକୁ ପଡ଼ିବ। ଗୋଷ୍ଠୀଗତ ସଂକ୍ରମଣକୁ ଚେକ୍‌ ଦେବା ପାଇଁ ଆବଶ୍ୟକ ସାମାଜିକ ଦୂରତ୍ୱ। ଏଥିପାଇଁ ମାର୍କଟେ ମଲଠାରୁ ମନ୍ଦିର ଓ ସିନେମା ହଲ୍ ଠାରୁ ସମାବେଶ ପର୍ଯ୍ୟନ୍ତ ସବୁଠି ଜାରି ହୋଇଛି କଟକଣା। ବିବାହ, ବ୍ରତଘର ଭଳି ଉତ୍ସବରେ ଭିଡ଼ ନଜମାଇବାକୁ କହିଛନ୍ତି ସରକାର। ସର୍ବସାଧାରଣ ସ୍ଥାନରେ ପରସ୍ପରଠାରୁ ଅତିକମରେ ୧ମିଟର ଦୂରତା ରଖିବାକୁ କୁହାଯାଇଛି। ବିନା କାରଣରେ ଘରୁ ନବାହାରିବା ପାଇଁ ବି ପରାମର୍ଶ ଦିଆଯାଇଛି।

ସାମାଜିକ ଦୂରତା ଅବଲମ୍ବନ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ କରିଛନ୍ତି। ବିଦେଶରୁ ଓଡ଼ିଶାକୁ ଫେରୁଥିବା ଲୋକଙ୍କ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ୧୦୪ରେ କଲ କରି କିମ୍ବା www.covid19.odisha.gov.in ରେ ଲଗ ଇନ୍ କରି ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦଶେ ଦିଆଯାଇଛି। ପ୍ରଥମ ଦିନରେ ହିଁ ୧୨ଶହରୁ ଅଧିକ ଲୋକ ନିଜର ପଞ୍ଜୀକରଣ କରିଛନ୍ତି। ସେହିପରି ଦ୍ୱିତୀୟ ଦିନରେ ୨୧୩୧ ଜଣ ପଞ୍ଜୀକରଣ କରିଥିବା ସରକାର ସୂଚନା ଦେଇଛନ୍ତି।

ଏମିତିକି ସରକାରଙ୍କ ପରାମର୍ଶ ଆମେରିକାରୁ ଫେରିଥିବା ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ପଞ୍ଜୀକରଣ କରି ସପରିବାର କ୍ୱାରେଣ୍ଟାଇନରେ ଅଛନ୍ତି। କ୍ରୀଡା ନିର୍ଦ୍ଦଶେକ ଭିନିଲ କ୍ରୀଷ୍ଣା ବି ବିଦେଶରୁ ଫେରି ସେଲ୍‌ଫ କ୍ୱାରେଣ୍ଟାଇନରେ ରହିବା ସହ ସାମାଜିକ ଦୂରତ୍ୱ ରକ୍ଷା କରୁଛନ୍ତି। ସାମାଜିକ ଦୂରତା ସହ ନିଜ ଶରୀରର ଗତିବିଧି ଉପରେ ନଜର ରଖିବା ବି ଜରୁରୀ। କାଶ, ଛିଙ୍କ ଭଳି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଫଳରେ କରୋନା ସହ ଲଢୁଥିବା ଓଡିଶା ଗୋଷ୍ଠୀଗତ ସଂକ୍ରମଣକୁ ରୋକି ପାରିବା।

Comment