ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମଙ୍ଗଳବାର ମଧ୍ୟ ରାତ୍ରୀରୁ ୨୧ ଦିନ ସାରା ଦେଶ ଲକ୍‌ଡାଉନ୍‌ ଘୋଷଣା କଲେ ମୋଦୀ।

  • ୨୧ଦିନ ପୂରା ଦେଶ ଲକ୍‌ଡାଉନ୍‌
  • ମଙ୍ଗଳବାର ମଧ୍ୟରାତ୍ରୀରୁ ଲାଗୁ ହେବ ଲକ୍‌ଡାଉନ୍‌
  • ୨୧ ଦିନର ଲଢ଼େଇ ଗୁରୁତ୍ଵପୂର୍ଣ୍ଣ
  • କରୋନା ଚିକିତ୍ସା ପାଇଁ ୧୫ ହଜାର କୋଟି

“କରୋନାରୁ ବଞ୍ଚିବାର ଗୋଟିଏ ଉପାୟ ସାମାଜିକ ଦୂରତା। ଏହାଛଡ଼ା ଆମ ପାଖରେ ଆଉ କିଛି ଉପାୟ ନାହିଁ। କରୋନା ଭାଇରସ୍‌ ବ୍ୟାପିବାର ଚେନ୍‌କୁ ଆମେମାନେ ରୋକ୍‌ ଲାଗଇବା। କିଛି ଲୋକ ଭାବୁଛନ୍ତି ସାମାଜିକ ଦୂରତା କେବଳ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ। ଏହା ଭାବିବା ଭୁଲ୍‌, ସାମାଜିକ ଦୂରତା ଦେଶର ସମସ୍ତ ନାଗରିକମାନଙ୍କ ପାଇଁ। ଯଦି କିଛି ଲୋକ ଏମିତି ଭୁଲ ଧାରଣାରେ ରହିବେ। ତେବେ ପୂରା ଦେଶ ବିପଦରେ ପଡ଼ିଯିବ” କରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୨୧ ଦିନ ପୂରା ଦେଶ ହେବ ଲକ୍‌ଡାଉନ୍‌

ଦେଶବାସୀଙ୍କୁ ଉଦ୍‌ବୋଧନ ଦେଲା ବେଳେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା। ୨୧ ଦିନ ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ରାତି ୧୨ଟାରୁ ଏହି ଲକ୍‌ଡାଉନ୍‌ ସାରାଦେଶରେ ଲାଗୁ ହେବ। ଏହା ଦେଶବାସୀଙ୍କ ପାଇଁ ନିର୍ଣ୍ଣାୟକ ଲଢ଼େଇ। ଏହି ଲଢ଼େଇରେ ସବୁ ଭାରତୀୟ ବିଜୟୀ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଯଦି ୨୧ ଦିନର ଏହି ଲଢ଼େଇକୁ ଆମେ ସଫଳ ନକରିପାରିବା, ତାହେଲେ ଆମେ ୨୧ ବର୍ଷ ପଛକୁ ପଳେଇବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

କରୋନା ଚିକିତ୍ସା ପାଇଁ ୧୫ ହଜାର କୋଟି

କରୋନା ଚିକିତ୍ସା ପାଇଁ ୧୫ ହଜାର କୋଟି ଟଙ୍କା ଦେବେ ଭାରତ ସରକାର। ଏଥିରେ କରୋନା ଚିକିତ୍ସା ପାଇଁ ଉନ୍ନତମାନର ଟେଷ୍ଟ ଲ୍ୟାବ, ଆଇସୋଲେସନ, ଆଇସିୟୁ, ଭେଣ୍ଟିଲେଟର ରହିବ। ଏହାସହ ମେଡିକାଲ ଓ ପାରାମେଡିକାଲ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରାଯିବ। ରାଜ୍ୟସରକାରମାନଙ୍କୁ ମଧ୍ୟ ସ୍ଵାସ୍ଥ୍ୟବସ୍ଥା ଉପରେ ଗୁରୁତ୍ଵ ଦେବା ପାଇଁ କୁହାଯାଇଛି। ଏହାସହ ସରକାରଙ୍କ ସହ ଦେଶରେ ସମସ୍ତ ପ୍ରଇଭେଟ ହସ୍ପିଟାଲ ମଧ୍ୟ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଦେଶବାସୀଙ୍କ ପାଇଁ ୨୧ ଦିନ ନିର୍ଣ୍ଣାୟକ ଲଢ଼େଇ

ଦେଶବାସୀଙ୍କ ପାଇଁ ଆଗାମୀ ୨୧ ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ। ଲକ୍‌ଡାଉନ୍‌ ବେଳେ ଘରେ ରହି କରୋନା ବିରୋଧରେ ଲଢ଼େଇ କରିବାକୁ ଦେଶବାସୀଙ୍କୁ କହିଥିଲେ ମୋଦୀ। ଚୀନ୍‌, ଇଟାଲୀରେ ବହୁତ ଉନ୍ନତ ସ୍ଵାସ୍ଥ୍ୟସେବା ଥାଇ ମଧ୍ୟ ସେଠାରେ ପରିସ୍ଥିତି ଅଣାୟତ ରହିଛି। ସେଭଳି ପରିସ୍ଥିତି ଭାରତକୁ ଆସିବା ପୂର୍ବରୁ ଆମକୁ ସଚେତନ ହେବାକୁ ପଡ଼ିବ। ନିଜେ ଘରେ ରହି ସୁସ୍ଥ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖିବା। ଆମ ପାଇଁ ୨୪ ଘଣ୍ଟା କାମ କରୁଥିବା ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ପୋଲିସ, ମିଡିଆ କର୍ମଚାରୀମାନଙ୍କ ପାଇଁ ଆମକୁ ଘରେ ରହିବାକୁ ହେବ।

ଗୋଟିଏ ଲୋକ ୧୦୦ ଲୋକଙ୍କୁ ଆକ୍ରାନ୍ତ କରିପାରେ। ତେଣୁ କରି ଆମକୁ ସଜାଗ ରହିବାକୁ ହେବ। ଏହାସହ ଦେଶର କୋଣ ଅନୁକୋଣରେ ଥିବା ଲୋକଙ୍କୁ ଯେଉଁଠି ଅଛନ୍ତି ସେଠି ରହିବାକୁ ହାତଯୋଡ଼ି ଅନୁରୋଧ କରିଛନ୍ତି। ଏହାସହ କରୋନା ମୁକାବିଲା ପାଇଁ ନୂଆ ଫର୍ମୁଲାରେ ଲୋକଙ୍କୁ ସଚେତନ କରାଇଛନ୍ତି ମୋଦୀ। ଫର୍ମୁଲା ହେଉଛି କ-କୋଇ, ରୋ-ରୋଡ୍‌ ପର୍‌, ନା-ନାନିକଲେ ବୋଲି ମୋଦୀ କହିଥିଲେ।

Comment