ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଶକ୍ତି ବିଭାଗ ଏହି କ୍ଷଣି  ହାଇଆଲର୍ଟରେ। ଏହାର କାରଣ ଆଜି ରାତି ୯ଟାରେ ହେବାକୁ ଥିବା ଘନ ଅନ୍ଧାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି ରାତି ୯ଟାରେ ସମଗ୍ର ଦେଶରେ ଲୋକେ ୯ ମିନିଟ ପର୍ଯ୍ୟନ୍ତ ଘରେ ବିଜୁଳିବତୀ ଲିଭାଇବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟର ଗ୍ରୀଡ଼ ଅପରେଟରମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ସମଗ୍ର ଦେଶରେ ଘରେ ଘରେ ବତୀ ଗୋଲ ହେବା ଯୋଗୁଁ ଯେଉଁ ପରିସ୍ଥିତି ସୃଷ୍ଟି ହେବ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରସ୍ତୁତ ରହିବାକୁ ଗ୍ରୀଡମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ହଠାତ ସବୁ ବତୀ ବନ୍ଦ ହୋଇଯିବା ଓ ୯ ମିନିଟ ପରେ ପୁଣି ଏକା ସାଙ୍ଗରେ ସବୁ ଜଳି ଉଠିଲେ ଗ୍ରୀଡ଼ରେ ଲୋଡ଼ର ଯେଉଁ ତାରତମ୍ୟ ସୃଷ୍ଟି ହେବ ତାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି। ବିଭିନ୍ନ ରାଜ୍ୟର ଗ୍ରୀଡ଼ ଓ ସେଣ୍ଟ୍ରାଲ ଗ୍ରୀଡ଼ ଏହି ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ହେଉଛନ୍ତି।

ଯୋଜନା ଅନୁଯାୟୀ ଆଜି ରାତି ୯ଟାରେ ଥର୍ମାଲ ବିଜୁଳି ଶକ୍ତି ସରବରାହକୁ କ୍ରମଶଃ ହ୍ରାସ କରିବା ସହ ଜଳ ବିଦ୍ୟୁତ ଶକ୍ତି ଓ ଗ୍ୟାସ ଷ୍ଟେସନ ଗୁଡ଼ିକରୁ ଅଧିକ ବିଜୁଳି ଛଡ଼ାଯିବ। ଏହା ଫଳରେ ବିଦ୍ୟୁତ ବ୍ୟବହାରରେ ବ୍ୟାପକ ପରିମାଣର କମବେଶୀକୁ ନିୟନ୍ତ୍ରଣ କରାଯାଇ ପାରିବ। ଏହି ଆପାତ କାଳୀନ ସ୍ଥିତିକୁ କୁହାଯାଉଛି ‘ବ୍ଲାକ ଷ୍ଟାର୍ଟ ଫେସିଲିଟି’। ଏଥିପାଇଁ ଦେଶର ସବୁ ଗ୍ରୀଡ଼ କର୍ମଚାରୀମାନଙ୍କୁ ଡ୍ୟୁଟିରେ ରହିବା ପାଇଁ କୁହାଯାଇଛି। ବ୍ଲାକ ଷ୍ଟାର୍ଟ ଫେସିଲିଟିର ଅର୍ଥ ହେଉଛି ଆଞ୍ଚଳିକ ଲୋଡ଼ ଡେସପାଚିଙ୍ଗ ସେଣ୍ଟର ପକ୍ଷରୁ କୌଣସି ପ୍ରକାର ବଡ଼ ଧରଣର ବିଜୁଳି ବ୍ୟାଘାତକୁ ସମ୍ଭାଳିବା ପାଇଁ  ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା।

Comment