ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାରା ରାଜ୍ୟ ଲକ୍‌ଡାଉନ ରହିଛି। ଲକ୍‌ଡାଉନର ପ୍ରଭାବ ସମସ୍ତ ଛୋଟ ବଡ଼ ବ୍ୟବସାୟ ଉପରେ ପଡ଼ିଛି। ଦୋକାନ ବଜାର ବନ୍ଦ ରହିଥିବାରୁ ବିଭିନ୍ନ ବ୍ୟବସାୟୀଙ୍କୁ କ୍ଷତି ସହିବାକୁ ପଡ଼ିଛି। ଏଥିରୁ ବାଦ ପଡ଼ିନି କେନ୍ଦ୍ରାପଡ଼ାର ରସାବଳୀ ବ୍ୟବସାୟ। ଲକ୍‌ଡାଉନ ଘୋଷଣା ହେବା ପରଠାରୁ କେନ୍ଦ୍ରାପଡ଼ା ବଜାରରେ ଆଉ ରସାବଳୀ ଦେଖିବାକୁ ମିଳୁନାହିଁ। ଏହାକୁ ଚିନ୍ତାରେ ରହିଛନ୍ତି ରସାବଳୀ କାରିଗର।

 କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ନିକଟରେ ଏହି ରସାବଳୀ ପ୍ରସାଦ ଲାଗି ହୋଇଥାଏ। କ୍ଷୀର, ଛେନା, ଚିନି, ଅଟା ଓ ଗୁଆଘିଅରେ ପ୍ରସ୍ତୁତ ମିଠା ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ତେବେ ଲକ୍‌ଡାଉନ ଘୋଷଣା ହେବା ପରେ କେନ୍ଦ୍ରାପଡ଼ାରେ କ୍ଷୀର ଓ ଛେନା ବ୍ୟବସାୟ ଉପରେ ବିଶେଷ ପ୍ରଭାବ ପଡ଼ିଛି। କରୋନା ଭୟରେ କ୍ଷୀର ଛେନା ଆଦି ବିକ୍ରି ହେଉନି। ଫଳରେ ବ୍ୟବସାୟୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ୁଛି।

ଦୀର୍ଘ ବର୍ଷ ଧରି ମହାପ୍ରଭୁଙ୍କ ଏହି ସୁସ୍ଵାଦୁ ବ୍ୟଞ୍ଜନକୁ ତିଆରି କରି ମିଠା କାରିଗରମାନେ ନିଜ ପେଟ ପୋଷି ଆସୁଛନ୍ତି। କେତେକ ବ୍ୟବସାୟୀ କେବଳ ରସାବଳୀ ତିଆରି ଗୁଜୁରାଣ ମେଣ୍ଟାଇଥାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ସମେତ ଜିଲ୍ଲା ବାହାରକୁ ମଧ୍ୟ ରସାବଳୀ ରପ୍ତାନୀ ହେଉଥିଲା। ତେବେ ଲକ୍‌ଡାଉନ ପରଠୁ ସେସବୁ ବନ୍ଦ ହୋଇଯାଇଛି।

ରସାବଳୀ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଦୈନିକ ୩ ହଜାର ଲିଟର କ୍ଷୀର ଓ ୧୦ କ୍ଵିଣ୍ଟାଲ ଛେନା ବିକ୍ରି ହୋଇଥାଏ। ଫଳରେ ଗୋପାଳକମାନେ ମଧ୍ୟ ଭଲ ଦୁଇ ପଇସା ରୋଜଗାର କରି ପାରନ୍ତି। ଲକ୍‌ଡାଉନ ଯୋଗୁଁ ଆଉ କ୍ଷୀର ବିକ୍ରି ହେଉନାହିଁ। ଫଳରେ ଭୋକ ଉପାସର ଦିନ କାଟୁଛନ୍ତି ଗୋପାଳମାନଙ୍କ ପରିବାର। ଏହାସହ ଘରେ ରଖିଥିବା ଗାଇଗୋରୁଙ୍କ ପାଇଁ ଦାନ କିଣିବା ମଧ୍ୟ ଏମାନଙ୍କ ପକ୍ଷରେ କଷ୍ଟକର ହୋଇ ପଡ଼ିଛି। ଏବେ କେବଳ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ଗୋପାଳକଙ୍କ ପରିବାର।

Comment