ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ବିଏମ୍‌ସିର ନୂଆ ପଦକ୍ଷେପ। ଡ୍ରୋନ୍‌ ସହାଯ୍ୟରେ ଆରମ୍ଭ ହେଲା ବିଶୋଧନ ପ୍ରକ୍ରିୟା।

ରାଜଧାନୀ ଭୁବନେଶ୍ୱରକୁ ବିଶୋଧନ କରିବା ପାଇଁ ଅଣ୍ଟା ଭିଡିଛି ବିଏମ୍‌ସି। ଏଥିପାଇଁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଆଜି ଡ୍ରୋନ୍‌ ଭୁବନେଶ୍ୱର ରାଜମହଲ ଛକରୁ ଶିଶୁଭବନ ଛକ ଯାଏଁ ଉଡ଼ିଥିଲା। ଡ୍ରୋନ୍‌ ସହାୟତାରେ ବିଏମ୍‌ସି ସାନିଟାଇଜର ସିଞ୍ଚନ କରିଥିଲା।

ସକାଳ ୧୦ଟାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିଥିଲା। ରାଜମହଲ ଛକରୁ ଶିଶୁଭବନ ଛକକୁ ବିଶୋଧନ କରିବା ପାଇଁ ୩ଟି ଡ୍ରୋନ୍‌ କ୍ୟାମେରା ଲାଗିଥିଲା। ଗୋଟିଏ ଡ୍ରୋନ୍‌ ୩ ମିଟର ଉଚ୍ଚତାରେ ଉଡ଼ିଥିବା ବେଳେ ଆଉ ଗୋଟିଏ ୫ ମିଟର ଏବଂ ଅନ୍ୟଟି ୧୦ ମିଟର ଉଚ୍ଚତାରେ ଉଡ଼ି ରାଜରାସ୍ତାକୁ ସାନିଟାଇଜ କରିଥିଲା।

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏବେ କେବଳ ଭୁବନେଶ୍ୱରରେ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି।

ପୂର୍ବରୁ ଅଗ୍ନିଶମ ବିଭାଗର ସହାୟତାରେ କଣ୍ଟେନମେଣ୍ଟ ଅଞ୍ଚଳ ଏବଂ ବିଭିନ୍ନ ହାଟକୁ ବିଶୋଧନ କରାଯାଇଥିଲା। ହେଲେ ଏ କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯାଇ ବିଏମ୍‌ସି ଡ୍ରୋନ ସହାୟତାରେ ବିଶୋଧନ କରିବାକୁ ପଦକ୍ଷେପ ନେଇଛି। ବିଶୋଧନ ସମୟରେ ରାଜମହଲରୁ ଶିଶୁଭବନ ଛକ ଯାଏଁ ରହୁଥିବା ଲୋକଙ୍କୁ ବିଏମ୍‌ସି ସତର୍କ କରିଥିଲା। କେହି ଘରୁ ନବାହାରିବାକୁ ଅନୁରୋଧ କରାଯାଇଥିଲା।

coronaପରୀକ୍ଷାମୂଳକ ଭାବେ ଭୁବନେଶ୍ୱରରେ ଏଭଳି ବିଶୋଧନ କରାଯାଇଛି। ଯଦି ଏହା ସଫଳ ହେଲା ତାହାଲେ ଅନ୍ୟ ଅଞ୍ଚଳରେ ଡ୍ରୋନ ସହାଯ୍ୟରେ ବିଶୋଧନ କରିବ ବିଏମ୍‌ସି।

Comment