ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ବଢୁଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଏବେ ପଶ୍ଚିମବଙ୍ଗ ଫେରନ୍ତା। ଟ୍ରାଭେଲ ହିଷ୍ଟ୍ରିରୁ ସେମାନେ କିଛି ଦିନ ମଧ୍ୟରେ ପଶ୍ଚିମବଙ୍ଗରୁ ଫେରିଥିବା ସ୍ପଷ୍ଟ ହେବାରେ ଲାଗିଛି। ତେବେ କେନ୍ଦ୍ରାପଡ଼ା ଜିଲ୍ଲାର କୋଲକାତା ଲିଙ୍କ୍ ଏବେ ଜିଲ୍ଲାବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବାସକରୁଥିବା ଅନେକ ଲୋକଙ୍କ ସହ କଲିକତାର ବଙ୍ଗଭାଷୀମାନଙ୍କର ପାରିବାରିକ ଓ ବ୍ୟବସାୟୀକ ସମ୍ପର୍କ ଅତ୍ୟନ୍ତ ନିବିଡ। ତେଣୁ କୋଲକାତାରୁ କେନ୍ଦ୍ରାପଡ଼ାର ଏହି ଅଞ୍ଚଳକୁ କେତେ ସଂଖ୍ୟାରେ ଲୋକ ଫେରିଛନ୍ତି ତାହା ଜାଣିବା ଏବେ ମୁସ୍କିଲ। ଅନ୍ୟପଟେ ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାରେ ଢ଼ିଲା କଟକଣା ଯୋଗୁ କୌଣସି ନା କୌଣସି ଉପାୟରେ ଓଡ଼ିଶା ଭିତରକୁ ଲୋକମାନେ ପଶି ଆସିବାକୁ ସକ୍ଷମ ହେଉଛନ୍ତି।

ନିକଟରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଅଞ୍ଚଳରୁ ମିଳିଥିବା କରୋନା ପଜିଟିଭ୍ ଜଣେ ଯୁବତୀଙ୍କର ଟ୍ରାଭେଲ ହିଷ୍ଟ୍ରି କୋଲକାତା ରହିଥିଲା। ଲକଡାଉନ ବେଳେ ସେ ତାଙ୍କ ବାପା ଓ ପାଖ ଗାଁର ଆଉଜଣେ ବ୍ୟକ୍ତି ଏକ ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ସୀମା ଅତିକ୍ରମ କରି ନିଜ ଗାଁରେ ପହଞ୍ଚିବାକୁ ସମର୍ଥ ହୋଇଥିଲେ। ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା, ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକରେ ବାସକରନ୍ତି ହଜାର ହଜାର ବଙ୍ଗଭାଷୀ ପରିବାର। ଏମାନଙ୍କର କଲିକତା ସହିତ ଦୈନିକ କାରବାର ରହିଆସିଛି। କେତେକଙ୍କର ଘର କେନ୍ଦ୍ରାପଡ଼ା ଜିଲ୍ଲା ଓ ପଶ୍ଚିମବଙ୍ଗ ଉଭୟ ରାଜ୍ୟରେ ରହିଛି । ଅନେକ ପରିବାରର ପାରିବାରିକ ଓ ବୈବାହିକ ସମ୍ପର୍କ ରହିଛି। ଏହାଛଡ଼ା କେନ୍ଦ୍ରାପଡ଼ା ଉପକୂଳରେ ଥିବା ଅନେକ ସାମୁଦ୍ରିକ ଟ୍ରଲରମାନଙ୍କରେ ପଶ୍ଚିମବଙ୍ଗର ଲୋକେ ସମୁଦ୍ରରେ ମାଛଧରିବା କାମ କରନ୍ତି। ଏହାଛଡା କେନ୍ଦ୍ରାପଡ଼ା ଉପକୂଳରେ ଧରାଯାଉଥିବା ମାଛ କଲିକତା ବଜାରରେ ବ୍ୟବସାୟ ହୋଇଥାଏ ।

ଏମାନଙ୍କର ମୁଖ୍ୟତଃ ସ୍ଥଳପଥରେ କୋଲକାତା ସହିତ ଯିବାଆସିବା ଓ ବ୍ୟବସାୟିକ ସମ୍ପର୍କ ରହିଥିଲେ ମଧ୍ୟ ଜଳପଥରେ ଯିବାଆସିବା କରିବା ଏମାନଙ୍କୁ ଅଧିକ ଜଣା। ଏହାଛଡା ପଡୋଶୀ ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବାଟେ ଏମାନେ କେନ୍ଦ୍ରାପଡା ଜିଲ୍ଲା ମଧ୍ୟରେ ପ୍ରବେଶ କରିବାର ବାଟ ରହିଛି । କେନ୍ଦ୍ରାପଡା ଜିଲ୍ଲାର ଏହି ସବୁ ଅଞ୍ଚଳକୁ ଦୈନିକ ଦିଘା , କାନ୍ଥୀ ଓ କୋଲକାତାରୁ ବସ୍ ସେବା ରହିଛି । ଯାହା ଲକଡାଉନ ସମୟରେ ବନ୍ଦ ହୋଇଥିଲେ ମଧ୍ୟ କଲିକତାରୁ କେନ୍ଦ୍ରାପଡା ଓ କେନ୍ଦ୍ରାପଡାରୁ କଲିକତାକୁ ଯିବା ଆସିବା କରିବାର ଅନେକ ସମ୍ଭାବ୍ୟ ଗଳାବାଟ ଦେଇ ପଶ୍ଚିମବଙ୍ଗର ଲୋକେ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବେଶ କରିଥିବା ସମ୍ଭାବନାକୁ ଟାଳି ହେବନି। ଏହାଛଡା ପରିବାରକୁ ଏଠାରେ ଛାଡି କୋଲକାତାରେ ରହିଥିବା ଲୋକେ କୌଣସି ଗଳାବାଟରେ ଏହି ଅଞ୍ଚଳକୁ ଫେରିଆସିଥିବାର ସମ୍ଭାବନା ବୃଦ୍ଧି ପାଇଛି।

କରୋନା ଆସିବାପରେ, ଗତ କିଛିଦିନ ତଳେ ମହାକାଳପଡା ବ୍ଲକର ପିତାପାଟ ଗାଁରେ ଆସି ରହିଥିବା ୫ ଜଣ ବାଙ୍ଗଲାଦେଶୀଙ୍କୁ ସ୍ଥାନୀୟ ଲୋକେ ଧରି ପୋଲିସ ଜିମା ଦେଇଥିଲେ। ଏବେ ରାଜ୍ୟରେ ବଢୁଥିବା କରୋନା ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ଅନେକ ଥିବା ଜଣାପଡିବାରୁ, ତାହା କେନ୍ଦ୍ରାପଡାବାସୀଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ କେନ୍ଦ୍ରାପଡା ଜିଲ୍ଲାକୁ କୋଲକାତା ଫେରନ୍ତାଙ୍କ ସଂଖ୍ୟା ୯୧୩ ପଞ୍ଜିକୃତ ହୋଇଛି । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୬ ଜଣଙ୍କର ସ୍ୱାବ ଓ ରକ୍ତ ନମୁନା ପରୀକ୍ଷା ରିପୋର୍ଟ ହସ୍ତଗତ ହୋଇଛି । ଯାହା ନେଗେଟିଭ୍ ରହିଛି । ଏହାଛଡା ଅନେକ ମାଇଗ୍ରାଣ୍ଟ ଲେବରମାନଙ୍କୁ ପ୍ରଶାସନ ଟ୍ରେସିଂ କରିବା ଆରମ୍ଭ କରିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରାଜ୍ୟ ସରକାର ଏପରି ଏକ ସମ୍ବେଦନଶୀଳ ଘଟଣା ଉପରେ ଅଧିକ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହଉଛି।

Comment