ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ପରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ନେଇ ପ୍ରଥମ ଟ୍ରେନ ବାହାରିଥିଲା ତେଲେଙ୍ଗାନର ଲିଙ୍ଗମପଲ୍ଲୀରୁ। ଏହି ଟ୍ରେନର ଗନ୍ତବ୍ୟ ସ୍ଥାନ ଥିଲା ଝାଡ଼ଖଣ୍ଡର ହତିଆ ଷ୍ଟେସନ। ଏହା ମେ’ ପହିଲାର କଥା। ଇତି ମଧ୍ୟରେ ଅନେକ ଟ୍ରେନ ବିଭିନ୍ନ ରାଜ୍ୟରେ ପହଞ୍ଚିଛନ୍ତି ଶ୍ରମିକଙ୍କୁ ନେଇ। କେନ୍ଦ୍ର ସରକାରଙ୍କ ଆକଳନ ହେଉଛି ଯେତେ ସବୁ ଶ୍ରମିକ ବିଭିନ୍ନ ରାଜ୍ୟରେ ଅଟକିଛନ୍ତି ସେମାନଙ୍କୁ ନିଜ ନିଜ ଘରେ ପହଞ୍ଚାଇବାକୁ ହେଲେ ୫୦୦ ଟ୍ରେନ ଚାଲିବା ନିତାନ୍ତ ଆବଶ୍ୟକ। ଏହା ଭିତରେ ୯ ଦିନ ବିତି ଯାଇଥିଲେ ହେଁ ଅଧିକାଂଶ ଶ୍ରମିକ କିନ୍ତୁ ଚଲା ରାସ୍ତାକୁ ହିଁ ଆଦରି ନେଇଛନ୍ତି।

ଟ୍ରେନରେ ଲୋକଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ନିଷ୍ପତ୍ତି କେନ୍ଦ୍ର ସରକାର ବହୁ ବିଳମ୍ବରେ ନେଲେ। ଲକ୍‌ଡାଉନ୍‌ ଦ୍ଵିତୀୟ ଥର ପାଇଁ ବଢିବାର ସମ୍ଭାବନା ପରେ ହିଁ ଶ୍ରମିକଙ୍କୁ ଟ୍ରେନରେ ବୋହିବା କଥା ଉଠିଲା। ସେତେବେଳ ଯାଏଁ ଏହା କାହା ମୁଣ୍ଡରେ ଢୁକି ନଥିଲା। ବଡ଼ ବଡ଼ ସହରର ଅବସ୍ଥା ସଙ୍ଗୀନ ହେବା ସହ ଅଟକ ଶ୍ରମିକଙ୍କ ବିକ୍ଷୋଭ ହିଁ ଟ୍ରେନ ଚାଲିବା ନିଷ୍ପତ୍ତିର ମୁଖ୍ୟ କାରଣ ବୋଲି ଏବେ ଜଣାପଡିଛି। କେନ୍ଦ୍ର ସରକାର ପ୍ରକୃତରେ ଏହି ଗରିବ ଲୋକଙ୍କ ମଙ୍ଗଳ କେତେ ଚାହୁଁଥିଲେ ତାହା କହିବା କଷ୍ଟ।

ତେବେ ଟ୍ରେନ ଚାଲିବା ସତ୍ତ୍ୱେ ଆଜିର ଦିନରେ ଅନେକ ଶ୍ରମିକ ଓ ତାଙ୍କ ପରିବାର ପାଇଁ ଘରକୁ ପହଞ୍ଚିବାର ଏକ ମାତ୍ର ମାଧ୍ୟମ ହେଉଛି ପାଦ ଚଲା। ବିଶେଷ କରି ମହାରାଷ୍ଟ୍ର ଓ ଦିଲ୍ଲୀରେ ଅଟକିଥିବା ଶ୍ରମିକ ଚଲା ରାସ୍ତାରେ ଯାଉଥିବା ଲକ୍ଷ୍ୟ କରାଯାଇଛି। ଶ୍ରମିକ ସ୍ପେଶାଲ ଟ୍ରେନ ସେମାନଙ୍କୁ କିଛି ଫରକ ପକାଇ ପାରିନାହିଁ।

ଶ୍ରମିକ ଟ୍ରେନଗୁଡ଼ିକରେ ଅସୁବିଧା ହେଉଛି ମୋଟ କ୍ଷମତାର ଦୁଇ ତୃତୀୟାଂଶ ଯାତ୍ରୀ ହିଁ ଏଥିରେ ଯାଇପାରିବେ। ସାଧାରଣତଃ ଗୋଟିଏ ଟ୍ରେନରେ ୧୬୦୦ ଯାତ୍ରୀ ଥାଆନ୍ତି। କିନ୍ତୁ ଶ୍ରମିକ ସ୍ପେଶାଲ ମାତ୍ର ୧୨୦୦ ଲୋକଙ୍କୁ ଉଠାଉଛି। ପାଦରେ ଚାଲି ଯିବା ପଛରେ ଏହା ବି ଗୋଟିଏ କାରଣ।

ରେଳ ବିଭାଗର ଜଣେ ପଦାଧିକାରୀଙ୍କ କହିବା କଥା ଯେ ଲୋକଙ୍କୁ ସ୍ଥାନାନ୍ତରିତ କରିବାରେ କିଛି ଜଲ୍‌ଦି ନାହିଁ।ଲୋକେ ଆରାମରେ ଯାଇପାରିବେ। ତେବେ ଯେଉଁମାନେ ମାସ ମାସ ଧରି ଭୋକ ଉପାସରେ ରାସ୍ତା ଉପରେ ପଡ଼ି ରହିଛନ୍ତି ସେମାନଙ୍କ ପାଇଁ ପ୍ରକୃତ ଆରାମ ହେଉଛି କେତେ ଶୀଘ୍ର ଘରେ ପହଞ୍ଚିଯିବେ। ଲୋକେ ପାଦଚଲା ରାସ୍ତାରେ ଯିବା ପଛରେ ଆଉ ଗୋଟିଏ ବଡ଼ କାରଣ ହେଉଛି ଅର୍ଥର ଅଭାବ। ରୋଜଗାର ନଥିବାରୁ ଏତେ ଏତେ ଟଙ୍କା ଟ୍ରେନ ଭଡ଼ା ବାବଦକୁ ଦେବା ସେମାନଙ୍କ ପାଖରେ ସମ୍ଭବ ନୁହେଁ। ଏଣୁ ପରିଶ୍ରମ ପଡୁ ପଛେ ଚାଲି ଚାଲି ଘରକୁ ଫେରିବା ହିଁ ସେମାନଙ୍କ ପାଇଁ ଏକମାତ୍ର ବିକଳ୍ପ।

ଶହ ଶହ କିମି ରାସ୍ତା ଚାଲିବା ସେମାନଙ୍କ ପାଇଁ ଆଜି ଏକ ବାସ୍ତବତା। କରୋନା ଓ ଲକ୍‌ଡାଉନ୍‌ର ଏହା ହେଉଛି ଅସରନ୍ତି କାହାଣୀ। ଘର ହିଁ ସ୍ୱର୍ଗ ଏକଥା ଏହି ହତଭାଗ୍ୟ ଶ୍ରମିକଙ୍କ ଅପେକ୍ଷା ଅଧିକ ଆଉ କିଏ ବୁଝିବ?

Comment