ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ଜିଲ୍ଲାର କ୍ଵାରେଣ୍ଟିନ୍‌ ସେଣ୍ଟରରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନେ କେମିତି ଅଛନ୍ତି? ଏହାର ସିଧାସଳଖ ଉତ୍ତର ହେଲା ଭୋକର ଯନ୍ତ୍ରଣା ଓ ରୋଗର ତାଡନା। ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଏହି ଦାଦନ ଶ୍ରମିକମାନେ ଏକରକମ ବଞ୍ଚିବାର ସଙ୍କଟ ଦେଇ ଗତି କରୁଥିବା ଦେଖିବାକୁ ମିଳୁଛି। ଲକ୍‌ଡାଉନ୍‌ ବାରମ୍ବାର ବଢିବା ଫଳରେ ସେମାନଙ୍କ ଆର୍ଥିକ ଅବସ୍ଥା ଗୁରୁତର ହୋଇପଡିଛି। ଭଲ ଖାଇବା ଛାଡ଼ନ୍ତୁ, ନ୍ୟୂନତମ ଖାଦ୍ୟ ବି ସେମାନଙ୍କ ପାଇଁ ସାତ ସପନ ହୋଇଛି।

ବିଭିନ୍ନ କ୍ୟାମ୍ପରେ ଲକ୍ଷ ଲକ୍ଷ ଲୋକ ଏକାଧିକ ପ୍ରତିବନ୍ଧକ ଭିତରେ ରହିଥିବା ବେଳେ ପୁଷ୍ଟି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ଶ୍ରମିକମାନେ ଖାଦ୍ୟ ଜନିତ ଓ ପାନୀୟ ଜଳ ଜନିତ ରୋଗର ଶିକାର ହୋଇ ପାରନ୍ତି। ଏମିତି ବି ହୋଇପାରେ ଏହି ରୋଗଗୁଡ଼ିକ ମହମାରୀର ରୂପ ନେଇପାରେ।

ଯେହେତୁ ଶ୍ରମିକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବା ପାଇଁ ଦୀର୍ଘ ସମୟ ଲାଗୁଛି ଓ ଆଶ୍ରୟସ୍ଥଳୀରେ ପହଞ୍ଚିବା ପର୍ଯ୍ୟନ୍ତ ବିଭିନ୍ନ ପଦ୍ଧତି ଓ ପ୍ରକ୍ରିୟା ଦେଇ ଯିବାକୁ ପଡୁଛି, ଏହି ସମୟ ମଧ୍ୟରେ ସେମାନେ ଅସୁସ୍ଥ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଶୁଦ୍ଧ ଜଳ, ବାସି ଖାଦ୍ୟ ଓ ଏକାଠି ଚଳପ୍ରଚଳ ଯୋଗୁଁ ସେମାନଙ୍କଠାରେ କରୋନା ଥାଉ କି ନଥାଉ ଅନ୍ୟ ବିଭିନ୍ନ ରୋଗର ଶିକାର ସେମାନେ ହୋଇପାରନ୍ତି ବୋଲି ସତର୍କ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

ବିଶେଷ କରି ଯେଉଁମାନେ ଅନ୍ୟ ରାଜ୍ୟରୁ ଚାଲି ଚାଲି ଆସିଛନ୍ତି ଓ ରାସ୍ତା କଡ଼ରେ କୋଉଠି କିଛି ପିଇବାକୁ ବା ଖାଇବାକୁ ପାଉନାହାନ୍ତି ସେମାନଙ୍କ ଅବସ୍ଥା ଗୁରୁତର ହୋଇପାରେ ବୋଲି ଏମ୍ସ ଭୁବନେଶ୍ୱରର କମ୍ୟୁନିଟି ମେଡ଼ିସିନ ବିଭାଗର ସହକାରୀ ପ୍ରଫେସର ଡାକ୍ତର ବିନୋଦ ପାତ୍ର କହିଛନ୍ତି। ତାଙ୍କ କହିବା ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁଁ ରୋଜଗାର ନଥିବା ଫଳରେ ସେମାନେ ଯେତିକି ନିହାତି ଆବଶ୍ୟକ ଖାଇବା କଥା ତାହା ଖାଇବାକୁ ପାଇନଥିଲେ। ଆଶ୍ରୟ ସ୍ଥଳୀରେ ହୁଏତ କିଛି ଭଲ ଖାଦ୍ୟ ମିଳୁଥିବ କିନ୍ତୁ ତାହା ଯଥେଷ୍ଟ ନୁହେଁ।

ଏବେ ବ୍ୟକ୍ତିଗତ ସ୍ୱାସ୍ଥ୍ୟ କଥା। କ୍ଵାରେଣ୍ଟିନ୍‌ ସେଣ୍ଟରଗୁଡ଼ିକରେ ହୁଏତ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କୁହାଯାଉଛି। କିନ୍ତୁ ବ୍ୟକ୍ତିଗତ ସ୍ୱଚ୍ଛତା ଓ ପରିଷ୍କାର ବଜାୟ ରଖିବା ମଧ୍ୟ ସମାନ ଭାବେ ଜରୁରୀ। ଗୋଟିଏ ସ୍ଥାନରେ ଅନେକ ଲୋକ ରହୁଥିବାରୁ ରୋଗ ସଂକ୍ରମଣ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିବା ସ୍ୱାଭାବିକ। କିଛି ଜିଲ୍ଲାରେ ଖରା ଦିନେ ପାଣି ଏକ ବଡ଼ ସମସ୍ୟା।

ପ୍ରବାସୀ ଶ୍ରମିକଙ୍କ କଥା ଛାଡ଼ନ୍ତୁ, ସେମାନଙ୍କ ପତ୍ନୀ ଓ ଶିଶୁଙ୍କ ଅବସ୍ଥା ତ ଆହୁରି ଖରାପ। ଏହା  ହେବାକୁ ବାଧ୍ୟ। ବିଶେଷ କରି ୫ ବର୍ଷରୁ କମ ଶିଶୁ ଯେଉଁମାନେ ବିଭିନ୍ନ ଜିଲ୍ଲାରେ ପୃଥକବାସରେ ରହିଛନ୍ତି ସେମାନଙ୍କ ପୁଷ୍ଟିଗତ ସମସ୍ୟା ଅଧିକ ହେବା ନିଶ୍ଚିତ। ଗ୍ରୀଷ୍ମ ଋତୁରେ ଯଥେଷ୍ଟ ପାନୀୟ ଓ ଖାଦ୍ୟ ନମିଳିବା ଫଳରେ ଶିଶୁମାନେ ଡ଼ିହାଇଡ୍ରେସନର ଶିକାର ହେଉଛନ୍ତି। ସେଣ୍ଟରରେ ଥିବା ଶିଶୁଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ୬ ମାସରୁ ୫ ବର୍ଷ ମଧ୍ୟରେ।

ସେହିଭଳି ୫୦ ପ୍ରତିଶତ ମହିଳାଙ୍କ ହାରାହାରି ବୟସ ମଧ୍ୟ ୧୫ରୁ ୪୯ ବର୍ଷ। ସେମାନଙ୍କୁ ଯେଉଁ ଭଳି ଭିଟାମିନଯୁକ୍ତ ଖାଦ୍ୟ ଦରକାର ତାହା ସମ୍ଭବ ନହେବା ଫଳରେ ଏହି ମହିଳାମାନେ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଥିବା କଥା କହିଛନ୍ତି ପୁଷ୍ଟି ବିଶେଷଜ୍ଞ ବସନ୍ତ କୁମାର କର।

ନିୟମିତ ଖାଦ୍ୟ ଓ ଭିଟାମିନ ବ୍ୟତୀତ, ସ୍ନେହସାର ଓ ଲୌହସାର ଖାଦ୍ୟର ଅଭାବ ବି ଆଉ ଏକ ବଡ଼ ସମସ୍ୟା। ଅବଶ୍ୟ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କ୍ୟାମ୍ପରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ସୁଷମ ଖାଦ୍ୟ ବ୍ୟବସ୍ଥା ଗ୍ରହଣ କରିବା ପାଇଁ କୁହାଯାଇଛି। କିନ୍ତୁ କେତେ ଦୂର ଏହାକୁ ପାଳନ କରାଯାଉଛି ତାହା କହିବା କଷ୍ଟ।

ସର୍ବଶେଷ ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରୁ ପ୍ରାୟ ଏକ ଲକ୍ଷ ଶ୍ରମିକ ଓ ତାଙ୍କ ପରିବାର ଓଡ଼ିଶା ଫେରିଛନ୍ତି। ସରକାରଙ୍କ ଆକଳନ ହେଉଛି ଆହୁରି ୪ ଲକ୍ଷ ଲୋକ ଫେରିବେ। ଏହି ସ୍ଥିତିରେ ଜିଲ୍ଲାରେ ଯେଉଁମାନେ କରୋନା ପରିଚାଳନା ଦାୟିତ୍ୱରେ ଅଛନ୍ତି ସେମାନଙ୍କ ପାଇଁ ଚ୍ୟାଲେଞ୍ଜଟି ବହୁତ ବଡ଼।

Comment