ଓଡ଼ିଶାଲାଇଭ୍ ବ୍ୟୁରୋ

gurbindar singh-2

ପୂର୍ବବର୍ଷ ନିର୍ବନ୍ଧ ସରିଯାଇଥିଲା, ଏହି ବର୍ଷ ଛୁଟିରେ ଆସିଥିଲେ ବିବାହ ହୋଇଥାନ୍ତା। କିନ୍ତୁ ପଞ୍ଜାବର ଗୁରବିନ୍ଦର ନିଜ ଗାଁକୁ ଫେରିବେ ସତ, ହେଲେ ବାହାଘର ହେବନାହିଁ, ହେବ ତାଙ୍କର ଅନ୍ତିମ ସଂସ୍କାର। ଗତ ସୋମବାର ଲଦାଖର ଗଲଓ୍ୱାନ ଘାଟିରେ ସୀମା ବିବାଦକୁ ନେଇ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷରେ ସହିଦ ହୋଇଯାଇଛନ୍ତି ୨୨ ବର୍ଷିୟ ଯବାନ ଗୁରବିନ୍ଦର ସିଂ।

ପଞ୍ଜାବର ସଂଗରୁର ଜିଲ୍ଲାର ତୋତାବଲ ଗାଁର ବାସିନ୍ଦା ଗୁରବିନ୍ଦର ସିଂ। ୨୦୧୮ରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ପରିବାରରେ ଅଛନ୍ତି ବାପା, ମା’, ଗୋଟିଏ ଭାଇ ଏବଂ ଗୋଟିଏ ଭଉଣୀ। ସବୁଠୁ ସାନ ଗୁରବିନ୍ଦର। ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି ଯେ ପୂର୍ବବର୍ଷ ଗୁରବିନ୍ଦରଙ୍କ ନିର୍ବନ୍ଧ ସରିଯାଇଥିଲା। ଏହି ବର୍ଷ ସେ ଛୁଟି ନେଇ ଘରକୁ ଆସିଥିଲେ ତାଙ୍କର ବାହାଘର ହୋଇଥାନ୍ତା।

gurbindar singh family

ମଙ୍ଗଳବାର ସକାଳ ସାଢ଼େ ଛଅଟାରେ ଗୁରବିନ୍ଦରଙ୍କ ଘରଲୋକଙ୍କୁ ତାଙ୍କ ସହିଦ ହେବା ଖବର ଦିଆଗଲା। ଏହାପରେ ପରିବାର ଉପରେ ଛିଡ଼ି ପଡ଼ିଥିଲା ଦୁଃଖର ପାହାଡ଼। ପ୍ରାୟ ପନ୍ଦର ଦିନ ତଳେ ଘରଲୋକେ କଥା ହୋଇଥିଲେ ତାଙ୍କ ସହ। ତାଙ୍କ ବିବାହକୁ ନେଇ ଉତ୍ସାହିତ ଥିବା ଘରଲୋକେ ଏବେ ଝୁରୁଛନ୍ତି ତାଙ୍କ ଗେହ୍ଲା ସାନ ପୁଅକୁ। ଆଜି ତାଙ୍କ ପାର୍ଥିବ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।

ଗତ ସୋମବାର ଲଦାଖର ଗଲଓ୍ୱାନ ଘାଟି ହୋଇଥିବା ଏହି ସଂଘର୍ଷରେ ସମୁଦାୟ ୨୦ ଜଣ ଭାରତୀୟ ଯବାନ ପ୍ରାଣ ହରୋଇଛନ୍ତି। ସେଥିମଧ୍ୟରୁ ଗୁରବିନ୍ଦରଙ୍କ ସହ ଅନ୍ୟ ତିନି ଜଣ ପଞ୍ଜାବର।

Comment