ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୀମା ବିବାଦକୁ ନେଇ ଚୀନ୍ ଓ ଭାରତ ମଧ୍ୟରେ ବର୍ତ୍ତମାନ ମୁହାମୁହିଁ ପରିସ୍ଥିତି। ଏପରିକି ସଂଘର୍ଷରେ ଦୁଇ ଦେଶର ସୈନ୍ୟମାନେ ମଧ୍ୟ ମୃତାହତ ହେବା ଆରମ୍ଭ ହେଲାଣି। ଗଲୱାନ ଘାଟିରେ ଦୁଇ ସେନା ମୁହାଁମୁହିଁ ହୋଇ ଚୀନର ୪୩ ଓ ଭାରତର ୨୦ ଜଣ ଯବାନ ପ୍ରାଣ ହରାଇଛନ୍ତି।

ଏହି ରିପୋର୍ଟରେ ଆମେ ଦୁଇ ସେନାର ଶକ୍ତି,ବଳ ବିଷୟରେ ଆଲୋଚନା କରିବା। ଭାରତର ସୈନ୍ୟବଳ ଚୀନଠାରୁ ଶକ୍ତିଶାଳୀ ନା ଚୀନଠାରୁ କମ୍ ଶକ୍ତିଶାଳୀ ତାହା ଜାଣିବା ନିହାତି ଦରକାର।

ଦୁଇ ଦେଶର ସ୍ଥଳସେନା

ସ୍ଥଳଭାଗରେ ଭାରତ ଓ ଚୀନ ଭିତରେ ପାଖାପାଖି ୩ ହଜାର ୪୮୮ କିଲୋମିଟରର ସୀମା ରହିଛି। ଏହାରି ଭିତରେ କେଉଁଠି ବି ଉଭୟ ଦେଶ ଭିତରେ ସଂଘର୍ଷ ହୋଇପାରେ। ପିଓକେ, ଲଦାଖ, ତୀବ୍ବତ ସମେତ ଉତ୍ତର ପୂର୍ବ ରାଜ୍ୟକୁ ଲାଗିଥିବା ସୀମାରେ ହିଁ ଯୁଦ୍ଧ ଆଶଙ୍କା କରାଯାଉଛି। ଯଦି ଉଭୟ ଦେଶର ସ୍ଥଳସେନା ଉପରେ ନଜର ପକାଇବା ତାହାଲେ ଚୀନର ସେନାବଳ ଭାରତଠାରୁ ଅଧିକ ବୋଲି କୁହାଯାଉଛି।

ଭାରତ ପାଖରେ ୧୪.୪୪ ଲକ୍ଷ ସକ୍ରିୟ ଯବାନ ଥିବା ବେଳେ ୨୧ ଲକ୍ଷ ସଂରକ୍ଷିତ ହୋଇ ରହିଛନ୍ତି। ସେହିପରି ଚୀନ ପାଖରେ ୨୧.୮୩ ଲକ୍ଷ ସକ୍ରିୟ ସେନା ରହିଥିବା ବେଳେ ୫.୧୦ ଲକ୍ଷ ସଂରକ୍ଷିତ ହୋଇ ରହିଛନ୍ତି। ଚୀନକୁ ଯେମିତି ବିପଦ ନଆସେ ସେଥିପାଇଁ ହିମାଳୟକୁ ଲାଗି ରହିଥିବା ସୀମାରେ ଚୀନ ଅଧିକ ସେନା ମୁତୟନ କରିଛି।

ଭାରତ ପାଖରେ ୪ ହଜାର ୨୯୨ ଯୁଦ୍ଧ ଟ୍ୟାଙ୍କ ଥିବା ବେଳେ ୮ ହଜାର ୬୮୬ଟି ସଶସ୍ତ୍ର ଯୁଦ୍ଧ ଯାନ, ୨୩୫ଟି ସ୍ୱୟଂଚାଳିତ ଆର୍ଟିଲରି, ୪୦୬୦ଟି ଫିଲ୍ଡ ଆର୍ଟିଲରି, ୨୬୬ଟି ରକେଟ୍ ଲଞ୍ଚର୍ସ ରହିଛି। ସେହିପରି ଚୀନ ପାଖରେ ୩୫୦୦ ଯୁଦ୍ଧ ଟ୍ୟାଙ୍କ, ୩୩ ହଜାର ସଶସ୍ତ୍ର ଯୁଦ୍ଧ ଯାନ, ୩୮୦୦ ସ୍ୱୟଂଚାଳିତ ଆର୍ଟିଲରି, ୩୬୦୦ ଫିଲ୍ଡ ଆର୍ଟିଲରି ଏବଂ ୨୬୫୦ ରକେଟ୍‌ ଲଞ୍ଚର୍ସ ରହିଛି।

ଆକାଶପଥରେ ଶକ୍ତି

ଭାରତ ପାଖରେ ୨୧୨୩ଟି ଏୟାରକ୍ରାଫ୍ଟ ରହିଛି। ସେଥିମଧ୍ୟରୁ ୫୩୮ଟି ହେଉଛି ଲଢୁଆ ବିମାନ। ୧୭୨ଟି କେବଳ ତୁରନ୍ତ ଆକ୍ରମଣ ପାଇଁ ରହିଛି। ୨୫୦ଟି ପରିବହନ ବିମାନ ରହିଥିବା ବେଳେ ୭୭ଟି ସ୍ପେଶାଲ ମିଶନ ରହିଛି। ଏହାସହ ୭୨୨ଟି ହେଲିକପ୍ଟର ଏବଂ ୨୩ଟି ଲଢୁଆ ହେଲିକପ୍ଟର ରହିଛି।

ଚୀନ ପାଖରେ ୩୨୧୦ଟି ଏୟାରକ୍ରାଫ୍ଟ ରହିଛି। ସେଥିରୁ ୧୨୩୨ ଲଢୁଆ ବିମାନ ହୋଇଥିବା ବେଳେ ୩୭୧ଟି କେବଳ ଆକ୍ରମଣ ପାଇଁ ରହିଛି। ୨୨୪ଟି ପରିବହନ ବିମାନ ରହିଥିବା ବେଳେ ୩୧୪ଟି ଟ୍ରେନର, ୧୧୧ଟି ସ୍ପେଶାଲ ମିଶନ, ୯୧୧ଟି ହେଲିକପ୍ଟର ଏବଂ ୨୮୧ଟି ଲଢୁଆ ହେଲିକପ୍ଟର ରହିଛି।

Comment