ଓଡିଶାଲାଇଭ୍ ବ୍ୟୁରୋ

କରୋନା ସମୟରେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେ ସମ୍ପର୍କରେ କହୁଛନ୍ତି ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ନନ୍ଦିତା ଦାସ।

ବର୍ତ୍ତମାନ କରୋନା ମହାମାରୀ ସାରା ବିଶ୍ଵରେ କାୟା ବିସ୍ତାର କରିଛି। ଏମିତି ପରିସ୍ଥିତି ଆମେ କେହି ବି ଜୀବନରେ ଦେଖିନୁ। ଆମକୁ ପ୍ରକୃତି ଗୋଟିଏ ଜ୍ଞାନ ଦେଉଛି ଯେ ଆମେ ପ୍ରକୃତିର ଅବସ୍ଥା ବହୁତ ଖରାପ କରିଦେଇଛୁ। ଆମେ ତା’ର ଯତ୍ନ ନେଇନାହୁଁ। ଆମେ ନିଜ ପାଇଁ ସବୁକିଛି କରିଛୁ ବୋଲି ଜଣାଶୁଣା ଓଡ଼ିଆ ଅଭିନେତ୍ରୀ ନନ୍ଦିତା ଦାସ କହିଛନ୍ତି।

ସେ ଆହୁରି କହିଛନ୍ତି, “ଆମେମାନେ ସ୍ଵାର୍ଥୀ ହେଇ ରହିଛୁ। ସେଇଥିପାଇଁ ପ୍ରକୃତି ଆମକୁ ଶିଖାଉଛି। ଏଇ ଶିଖିବା ଭିତରେ ନିଶ୍ଚୟ ବହୁତ ଅସୁବିଧା ହେବ। କିନ୍ତୁ ଏହି ପାଠଟା ଯଦି ଆମେ ଶିଖିଯିବା ତାହେଲେ ବୋଧହୁଏ ଏଇ ରକମ ଜିନିଷ ଆଉ ହେବନାହିଁ।”

ଓଡିଶାଲାଇଭ୍ ଏବଂ ସ୍ଵାସ୍ଥ୍ୟ ପ୍ଲସର ମିଳିତ ଅଭିଯାନ ‘କେତେ ନୂଆ ବାଟ’ରେ ଭାଗ ନେଇ ସେ ଏହା କହିଛନ୍ତି। ଏଥିସହ କୋଭିଡ୍ ସମୟରେ କିପରି ସଚେତନ ରହିହେବ ସେ ସମ୍ପର୍କରେ ମଧ୍ୟ ପରାମର୍ଶ ଦେଇଛନ୍ତି।

ଭଲ ଭାବରେ ହାତ ଧୁଅନ୍ତୁ

ହାତ ଧୋଇବାକୁ ଗୁରୁତ୍ଵ ଦେଇ ନନ୍ଦିତା କହିଛନ୍ତି, “ଆପଣମାନେ ଯଦି ନିଜ ଘରେ ବା ଯେକୌଣସି ଜାଗାରେ ଅଛନ୍ତି ଏତେପର୍ଯ୍ୟନ୍ତ ସମସ୍ତେ ଜାଣିସାରିଥିବେ ଯେ ହାତ ଧୋଇବାଟା ବହୁତ ଜରୁରୀ। ଯଦି ଆମେ କୌଣସି ବାହାର ଜିନିଷ ଛୁଉଁଛୁ ତାହେଲେ ହାତକୁ ଭଲଭାବରେ ଧୋଇବା କଥା।”ଘରେ ରୁହନ୍ତୁ, ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ

ଏଇ ଛୋଟ ଭାଇରସ୍‌ଟା ଏମିତି ଜିନିଷ କୌଣସି ଜାଗାରେ ଯଦି ହାତ ଲାଗିଗଲା କିମ୍ବା ଯାହାର ଭାଇରସ୍ ଅଛି ଏବଂ ଆପଣ ତାହାକୁ ଛୁଇଁଦେଲେ ତାହେଲେ ଭାଇରସ୍ ଆପଣଙ୍କ ହାତରେ ଲାଗିଯିବ। ତେଣୁ ଯେତେ ହୋଇପାରୁଛି ଆପଣ ଘରେ ରୁହନ୍ତୁ ବୋଲି ସେ କହିଛନ୍ତି।

ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ଭୁଲନ୍ତୁ ନାହିଁ

ଅତି ଜରୁରୀ ହେଲେ ଯଦି ବାହାରକୁ ଯାଉଛନ୍ତି ତେବେ ନିହାତି ଭାବରେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି। ନନ୍ଦିତା କହିଛନ୍ତି, “ବାହାରକୁ ଯଦି ଯିବେ ତାହେଲେ ମାସ୍କ ନିଶ୍ଚୟ ପିନ୍ଧିବେ। ଆଜିକାଲି ମାସ୍କ ବେଶି ମିଳୁନି, ଦାମୀ ବି ହେଇଯାଉଛି। ତେଣୁ ଆପଣ ନିଜର ଗାମୁଛା, ଓଢ଼ଣୀ କିମ୍ବା ଯେକୌଣସି ଗୋଟେ କନାକୁ ଦୁଇ-ତିନି ପରସ୍ତ କରି ମୁହଁରେ ଭଲଭାବରେ ବାନ୍ଧିଦେବେ।”କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ରେଡିଓ ଧାରାବାହିକ ‘କେତେ ନୂଆ ବାଟ’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।
ଏହି କାର୍ଯ୍ୟକ୍ରମ ପ୍ରତି ରବିବାର ସକାଳ ୧୦ଟା ୩୦ ମିନିଟରେ ଓଡ଼ିଶାରେ ଥିବା ଆକାଶବାଣୀର ସମସ୍ତ କେନ୍ଦ୍ରରୁ ପ୍ରସାରିତ ହେଉଛି। ଏଥିସହ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ବିଭିନ୍ନ ସୋସିଆଲ ଚ୍ୟାନେଲରେ ମଧ୍ୟ ଏକ ସମୟରେ ପ୍ରସାରିତ ହେଉଛି।

Comment