ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ ସ୍ୱଭାବ କବି ଗଙ୍ଗାଧର ମେହେର। ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।

ସ୍ୱଭାବ କବି ଗଙ୍ଗାଧର ମେହେର ଥିଲେ ଜଣେ ପ୍ରତିଭାବାନ କବି। ଏକାଧାରରେ ପ୍ରକୃତି କବି, ସ୍ୱଭାବ କବି ଭାବେ ପରିଚିତ ଥିଲେ ସେ। ଆଜି ସେହି ମହାନ କବିଙ୍କଜର ଜନ୍ମ ଜୟନ୍ତୀ। ଏହି ଅବସରରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

‘‘ଗଙ୍ଗାଧର ମେହେର ସମ୍ବଲପୁରର ବରପାଲ୍ଲୀ ଅଞ୍ଚଳର ତନ୍ତୁବାୟ ପରିବାରରେ ଜନ୍ମ ହୋଇଥିଲେ। ଦାରିଦ୍ର୍ୟର କଷାଘାତରେ ସାମାନ୍ୟ ଏକ ଚାକିରି ଜୀବିକା ଅର୍ଜନ କରୁଥିଲେ। ତଥାପି ତାଙ୍କୁ ବହୁ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କ ଲେଖାରେ ଏହି ସବୁ ବାରି ହୋଇପଡ଼େ। ପଶୁପକ୍ଷୀ, ଗଛ, ଲତା, ସବୁକୁ ନେଇ ସେ ରଚନା କରିଛନ୍ତି। ତାଙ୍କର ସବୁ ଦୁର୍ଦ୍ଦିନ ଭିତରେ ସୁନ୍ଦର, ଅମୃତଭାଷାରେ ସେ କବିତା ରଚନା କରିଛନ୍ତି’’, କହିଛନ୍ତି  ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।

‘‘ସ୍ୱଭାବ କବି ଗଙ୍ଗାଧର ମେହେର ଜଣେ ଅନନ୍ୟ ସ୍ରଷ୍ଟା। ଓଡ଼ିଆ ଭାଷା ସାହିତ୍ୟର ଅନେକ କାଳଜୟୀ କବିତା ସେ ରଚନା କରିଛନ୍ତି। ତା’ମଧ୍ୟରେ ତପସ୍ୱିନୀ ଅନ୍ୟତମ। ତାଙ୍କର କବିତା ସବୁବେଳେ ପ୍ରକୃତିକୁ ନେଇ ରଚିତ। ବିଶେଷ କରି ଓଡ଼ିଆ ଭାଷା ପ୍ରତି ତାଙ୍କର ଅନୁରକ୍ତି ସେଥିପାଇଁ ସେ ଚିର ଜାଜୁଲ୍ୟମାନ ହୋଇ ରହିବେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

‘‘ଉନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ଓଡ଼ିଆ ସାହିତ୍ୟ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ବିଶିଷ୍ଟ ସ୍ରଷ୍ଟା ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କର ଆର୍ବିଭାବ ହୋଇଥିଲା। ସେ ତାଙ୍କ ଲେଖା ମାଧ୍ୟରେ ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଥିଲେ। ଯେତେବେଳେ ସମ୍ବଲପୁରରେ ଓଡ଼ିଆ ଭାଷାକୁ ହଟାଇ ହିନ୍ଦୀ ଭାଷାକୁ ପ୍ରଚଳିତ ଚେଷ୍ଟା ହେଉଥିଲା ସେତେବେଳେ ଗଙ୍ଗାଧର ମେହେର ହିଁ ଏହାକୁ ବିରୋଧ କରିଥିଲେ।’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

‘‘ଆଧୁନିକ କାଳର ଅନ୍ୟତମ ପ୍ରଭାବଶାଳୀ ସାହିତ୍ୟରଥୀ ଭାବରେ ଓଡ଼ିଆ ସାହିତ୍ୟରେ ଗଙ୍ଗାଧର ମେହେରଙ୍କର ଅମର ସ୍ୱାକ୍ଷର ରଖିଯାଇଛନ୍ତି। ସେ ଥିଲେ ମାନବବାଦର ଆଦ୍ୟ ପ୍ରବର୍ତ୍ତକ। ପ୍ରକୃତି ଚିତ୍ରଣରେ ତାଙ୍କର ସ୍ୱତନ୍ତ୍ର ଦୃଷ୍ଟିକୋଣ ଥିଲା। ଏହି ମହାନ ସାରସ୍ୱତ ପୁରୁଷ ଏହି ଜାତିର ଚିର ସ୍ମରଣୀୟ ଓ ଚିର ବନ୍ଦନୀୟ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ।

‘‘ଓଡ଼ିଆ ଅସ୍ମିତାର, ମାତୃଭାଷାର ଗୌରବ ଗଙ୍ଗାଧର ମେହେର। ପ୍ରକୃତି ଓ ସାମଜିକ ଜୀବନକୁ ନେଇ ସେ ଯେଉଁଭଳି ରଚନାମାନ କରିଛନ୍ତି ତାହାର କୌଣସି ତୁଳନା ନାହିଁ। ପ୍ରକୃତିର ସାମନ୍ୟତମ ସୃଷ୍ଟିରୁ ଏକ ବିରାଟ ପରିପ୍ରକାଶ ପର୍ଯ୍ୟନ୍ତ ଗଙ୍ଗାଧର ତାଙ୍କ ଲେଖନ୍ତୀକୁ ସାବଲୀଳ କରିଛନ୍ତି’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର କୃଷ୍ଣ କେଶବ ଷଡ଼ଙ୍ଗୀ।

“ସ୍ୱର୍ଗରୁ ଅବତରଣ କରିଥିବା ଜଣେ ଦେବଦୂତ ଥିଲେ ଗଙ୍ଗାଧର ମେହେର। ବାସ୍ତବରେ ପରିବେଶ ପ୍ରତିକୂଳ ହେଉ କିମ୍ବା ଅନୁକୂଳ ହେଉ ସର୍ବଦା ନିଜର ଲେଖନୀ ଚାଳନା କରିଛନ୍ତି ସେ। ତୁଳସୀ ପତ୍ର ପରି ସେ ଥିଲେ ସୁଦ୍ଧ ଓ ପବିତ୍ର’’ କହିଛନ୍ତି କବିଙ୍କ ପ୍ରପୌତ୍ର ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ମଣୀନ୍ଦ୍ର ମେହେର।

ଇନ୍ଦୁମତୀ, ଉତ୍କଳ ଲକ୍ଷ୍ମୀ, କୀଚକ ବଧ, ତପସ୍ୱିନୀ ତାଙ୍କର ସର୍ବାଧିକ ଲୋକପ୍ରିୟ କାବ୍ୟ।

Comment