ଓଡିଶାଲାଇଭ୍ ବ୍ୟୁରୋ

କଟକର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ଗ୍ରାମାଞ୍ଚଳରେ ୪୬.୯ ପ୍ରତିଶତ ଆକ୍ରାନ୍ତ ଥିବା ବେଳେ ସହରାଞ୍ଚଳରେ ୫୩.୧ ପ୍ରତିଶତ ସଂକ୍ରମିତ ରହିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କଟକରେ ଆଉ ଏକ କୋଭିଡ୍ ହସ୍ପିଟାଲ ହେବାକୁ ଯାଉଛି। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଆଜି ସୂଚନା ଦେଇଛନ୍ତି।

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ କଟକ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୦୧ ଜଣ କରୋନା ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୯ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। କଟକର ଗ୍ରାମାଞ୍ଚଳ ପାଇଁ ୧୮୨୧ଟି କୋଭିଡ୍ ପରିଚାଳନା କମିଟି କାର୍ଯ୍ୟ କରୁଛି। ସେହିପରି ସହରାଞ୍ଚଳ ପାଇଁ ୧୧୩ଟି ଓ୍ଵାର୍ଡ କମିଟି କାର୍ଯ୍ୟ କରୁଛି। ଏଥିସହ ଗ୍ରାମାଞ୍ଚଳରେ ୧୪ଟି ଏବଂ ସହରାଞ୍ଚଳରେ ୬ଟି ଟିମ୍‌ ସ୍ଵାବ୍ ସଂଗ୍ରହ କରୁଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ବର୍ତ୍ତମାନ ଜିଲ୍ଲାର ମୋଟ ୨୯୧୦ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରେ ୧୫୪୬ ଜଣ ଆକ୍ରାନ୍ତ ଥିବା ବେଳେ ଗ୍ରାମାଞ୍ଚଳରେ ଅଛନ୍ତି ୧୩୬୪ ଜଣ। ସେହିପରି ଗ୍ରାମାଞ୍ଚଳରେ ୨୧୬ଟି ଆକ୍ଟିଭ୍ କେସ୍ ଥିବା ବେଳେ ସହରାଞ୍ଚଳରେ ୭୭୩ଟି ଆକ୍ଟିଭ୍ କେସ୍ ରହିଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଜିଲ୍ଲାରେ ସୁସ୍ଥ ହାର ୬୬.୦୩ ପ୍ରତିଶତ ଥିବା ବେଳେ ମୃତ୍ୟୁହାର ୦.୦୧ ପ୍ରତିଶତ ରହିଛି। ଗ୍ରାମାଞ୍ଚଳରେ ବଡ଼ମ୍ବା ନରସିଂହପୁର ଓ ଆଠଗଡ଼ରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ସେହିପରି ସହରାଞ୍ଚଳରେ ମାଲଗୋଦାମ ଅଞ୍ଚଳରେ ସଂକ୍ରମଣ ହାର ଅଧିକ ରହିଛି। ଜୀବନ ସହ ଜୀବିକାକୁ ଗୁରୁତ୍ଵ ଦେବାକୁ ପଡ଼ୁଥିବାରୁ ସଂକ୍ରମଣ ବଢ଼ୁଥିବା ଜିଲ୍ଲାପାଳ କହିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଆଉ ଗୋଟିଏ କୋଭିଡ୍ ହସ୍ପିଟାଲ ହେବାକୁ ଯାଉଛି। ଏସ୍‌ସିବି ମେଡିକାଲରେ ୧୩୮ ପ୍ଲାଜ୍‌ମା ୟୁନିଟ୍ ସଂଗ୍ରହ କରାଯାଇଥିବା ବେଳେ ୧୦୪ ୟୁନିଟ୍ ବ୍ୟବହୃତ ହୋଇଛି। ସେହିପରି ଏସ୍‌ସିବିରେ ଏପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର କରୋନା ଟେଷ୍ଟ ହୋଇସାରିଛି। ରାଜ୍ୟର ୧୮ଟି ଜିଲ୍ଲାର ଲୋକେ ଏସ୍‌ସିବିରେ ଚିକିତ୍ସିତ ହୋଇଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।ଏହି ଅବସରରେ ସିଏମ୍‌ସି କମିସନର ଅନନ୍ୟା ଦାସ କହିଛନ୍ତି ଯେ ବେହେରା ସାହିରୁ ପଜିଟିଭ୍ ସଂଖ୍ୟା କମୁଛି। ତେବେ ସହରର ମାଲଗୋଦାମ ବେହେରାସାହିରେ ପଜିଟିଭ୍ ସଂଖ୍ୟା ସବୁଠୁ ଅଧିକ ରହିଛି। ଏଥିସହ ସହରରେ କରୋନା ଟେଷ୍ଟିଂ ସଂଖ୍ୟା ବଢ଼ାଯାଉଛି। ଆଗକୁ ପିଏଚ୍‌ସିଗୁଡ଼ିକରେ କୋଭିଡ୍ ଟେଷ୍ଟର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। କୋଭିଡ୍ ଟେଷ୍ଟ ପାଇଁ ଭୟ ନ କରି ସହଯୋଗ କରିବାକୁ ଅନନ୍ୟା ଦାସ ଅନୁରୋଧ କରିଛନ୍ତି।

Comment