ଓଡ଼ିଶାଲାଇଭ୍ ବ୍ୟୁରୋ

ନରେନ୍ଦ୍ର ଦାମୋଦର ଦାସ ମୋଦୀ ଭାରତର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ଜୀବନ ଅନେକ ସଂଘର୍ଷ ଦେଇ ଗତି କରିଥିଲା। ପିଲାଟି ଦିନରୁ ସେ ଜୀବନକୁ ବୁଝିଛନ୍ତି ଏବଂ ସାହସିକତାର ସହ ସବୁ ପରିସ୍ଥିତିକୁ ସାମ୍ନା କରିଛନ୍ତି। ମୋଦୀଙ୍କ ସହ ଜଡ଼ିତ ଏମିତି ଅନେକ କଥା ଅଛି ଯାହାକୁ ଅଧିକାଂଶ ଲୋକ ଜାଣିନାହାନ୍ତି। ତେବେ ଆସନ୍ତୁ ଜାଣିବା ମୋଦୀଙ୍କ ବିଷୟରେ ସେଭଳି କିଛି କଥା।

ବାଲ ଗଙ୍ଗାଧରଙ୍କ ପରି ଜନ୍ମ କୁଣ୍ଡଳୀ

ନରେନ୍ଦ୍ର ମୋଦୀଙ୍କ ଜନ୍ମ ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ସକାଳ ୧୧ଟାରେ ହୋଇଥିଲା। ମୋଦୀଙ୍କ ଜନ୍ମ କୁଣ୍ଡଳୀ ଦେଖୁଥିବା ଜ୍ୟୋତିଷଙ୍କ କହିବା ଅନୁସାରେ ତାଙ୍କ କୁଣ୍ଡଳୀରେ ରାହୁ ଅନ୍ତର୍ଦଶା ଯୋଗ ଥିଲା। ଏହି ଯୋଗରେ ବ୍ୟକ୍ତି ରାଜନୀତିରେ ଶ୍ରେଷ୍ଠତ୍ଵ ହାସଲ କରିଥାଏ।

ମୋଦୀଙ୍କ ଜନ୍ମ କୁଣ୍ଡଳୀ ସ୍ଵାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଲକଙ୍କ କୁଣ୍ଡଳୀ ସହିତ ସମାନ। ଖାଲି ସେତିକି ନୁହେଁ ମୋଦୀଙ୍କ କୁଣ୍ଡଳୀ ଓଟ୍ଟୋ ବୋନ ବିସମାର୍କଙ୍କ କୁଣ୍ଡଳୀ ସହ ମଧ୍ୟ ସମାନ, ଯିଏକି ୧୯୧୦ରେ ଜର୍ମାନୀକୁ ଏକ ସୁପରପାଓ୍ଵାର ଦେଶରେ ପରିଣତ କରିଦେଇଥିଲେ। ଏହାକୁ ସଂଯୋଗ କିମ୍ବା ଗ୍ରହ ନକ୍ଷତ୍ରଙ୍କ କରିସ୍ମା ବୋଲି କୁହାଯାଇପାରେ।

ନାଟକ କରି ସ୍କୁଲ ପାଚେରୀ ନିର୍ମାଣ କରିଥିଲେ

ମୋଦୀ ୧୦ମରେ ପଢ଼ିଲା ବେଳେ ତାଙ୍କ ସ୍କୁଲର ରୌପ୍ୟ ଜୟନ୍ତୀ ପାଳନ ହେବାର ଥିଲା। କିନ୍ତୁ ଟଙ୍କା ଅଭାବରୁ ସ୍କୁଲ ଚାରିପାଖରେ ପାଚେରୀ ନିର୍ମାଣ ହୋଇପାରିନଥିଲା। ମୋଦୀ ଭାବିଲେ ଛାତ୍ରମାନଙ୍କର ମଧ୍ୟ ସ୍କୁଲ ପ୍ରତି କିଛି କର୍ତ୍ତବ୍ୟ ଅଛି। ତେଣୁ ସେ ନିଜ ସାଙ୍ଗମାନଙ୍କ ସହ ମିଶି ନାଟକ ମଞ୍ଚସ୍ଥ କଲେ। ସେଥିରୁ ଯାହା ଅର୍ଥ ମିଳିଲା ତାହାକୁ ସେ ସ୍କୁଲ ପାଚେରୀ ନିର୍ମାଣ କରିବାକୁ ଦେଇଥିଲେ।

ନିଜ ଜୋତା ପଲିସ୍ ପାଇଁ ପାଖରେ ଟଙ୍କା ନଥିଲା

ପିଲା ଦିନେ ନରେନ୍ଦ୍ର ମୋଦୀଙ୍କ ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିଲା। ଏପରିକି ତାଙ୍କ ପାଖେ ଜୋତା କିଣିବାକୁ ବି ପଇସା ନଥିଲା। ତାଙ୍କ ମାମୁ ତାଙ୍କୁ ହଳେ ଧଳା ଜୋତା କିଣି ଦେଇଥିଲେ। କିନ୍ତୁ ଜୋତା ମଇଳା ହେଲେ ତାକୁ ପଲିସ୍ କରିବା ପାଇଁ ପଇସା ନଥିଲା। ତେଣୁ ମୋଦୀ ଏକ ବଢ଼ିଆ ଉପାୟ ବାହାର କରିଥିଲେ। ଶିକ୍ଷକ ପଢ଼େଇ ସାରିବା ପରେ ଯେଉଁ ଖଣ୍ଡ ଚକ୍ ଖଡ଼ି ଫିଙ୍ଗି ଦେଉଥିଲେ ମୋଦୀ ତାହାକୁ ଗୋଟାଇ ଆଣୁଥିଲେ। ସେହି ଚକ୍‌ ଖଣ୍ଡକୁ ଚୁରି ସେହି ପାଉଡର୍‌ରେ ଅଳ୍ପ ପାଣି ମିଶାଇ ତାକୁ ଜୋତା ଉପରେ ଲଗାଉଥିଲେ। ଫଳରେ ଧଳା ଜୋତାଟି ପୂରା ନୂଆ ଦିଶୁଥିଲା।ଖେଚୁଡ଼ି ସବୁଠୁ ପ୍ରିୟ

ମୋଦୀ ଖେଚୁଡ଼ି ଖାଇବାକୁ ବହୁତ ଭଲପାନ୍ତି। ଏହାଛଡ଼ା ଭାଖରୀ ଖାଇବାକୁ ମଧ୍ୟ ସେ ପସନ୍ଦ କରନ୍ତି। କିନ୍ତୁ ଏହି ଦୁଇ ଆଇଟମ୍ ଗୁଜରାଟୀ ଷ୍ଟାଇଲରେ ହୋଇଥିବା ଦରକାର। ନରେନ୍ଦ୍ର ମୋଦୀ ନିଜେ ମଧ୍ୟ ବହୁତ ଭଲ ରୋଷେଇ କରନ୍ତି।

ବାପାଙ୍କ ସହ ଚା’ ବିକୁଥିଲେ

ନରେନ୍ଦ୍ର ମୋଦୀ ୫ ଭାଇ ଭଉଣୀଙ୍କ ଭିତରୁ ତୃତୀୟ। ଘରର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନଥିବାରୁ ସେ ନିଜ ପିତାଙ୍କ ସହ ଗୁଜରାଟର ବଡ଼ନଗର ରେଲଓ୍ଵେ ଷ୍ଟେସନରେ ଚା’ ବିକ୍ରି କରୁଥିଲେ। ସ୍କୁଲ ଛୁଟି ହେବା ପରେ ମୋଦୀ ବାପାଙ୍କ ଦୋକାନରେ ଚା ବିକ୍ରି କରୁଥିଲେ। ଟ୍ରେନ୍ ବଗିରେ ମଧ୍ୟ ସେ ବୁଲି ବୁଲି ଚା ବିକ୍ରି କରୁଥିଲେ।ଶାହାନାଇ ବାଦକଙ୍କୁ ଚିଡ଼ାଉଥିଲେ

ମୋଦୀ ପିଲା ଦିନେ ଶାହାନାଇ ବାଦକଙ୍କ ସାମ୍ନାରେ ତେନ୍ତୁଳି ଦେଖାଇ ସେମାନଙ୍କୁ ଚିଡ଼ାଉଥିଲେ। ଏହାଦ୍ଵାରା ବାଦକମାନଙ୍କ ପାଟିରେ ପାଣି ଆସି ଯାଉଥିଲା ଓ ସେମାନେ ଶାହନାଇ ବଜାଇ ପାରୁନଥିଲେ। ପରେ ଶାହାନାଇ ବାଦକମାନେ ମୋଦୀଙ୍କ ପଛରେ ଗୋଡ଼ାଉଥିଲେ। ପିଲାଦିନେ ମୋଦୀ ଦୁଷ୍ଟାମି ସହିତ ପାଠ ପଢ଼ା ଉପରେ ମଧ୍ୟ ଧ୍ୟାନ ଦେଉଥିଲେ।

୧୩ ବର୍ଷରେ ବିବାହ

ମୋଦୀଙ୍କ ପିତାମାତା ନିଜ ଘାଞ୍ଚି ସମୁଦାୟର ପରମ୍ପରା ଅନୁସାରେ ମାତ୍ର ୧୩ ବର୍ଷ ବୟସରେ ମୋଦୀଙ୍କୁ ଯଶୋଦାବେନ୍‌ଙ୍କ ସହ ବିଭା କରାଇଦେଇଥିଲେ। ଏହାପରେ ଯଶୋଦାବେନ୍ ଓ ମୋଦୀ କିଛି ଦିନ ଯାଏଁ ଏକାଠି ରହିଥିଲେ। କିନ୍ତୁ ପରେ ସେମାନେ ପରସ୍ପର ପାଇଁ ଅଚିହ୍ନା ହୋଇଯାଇଥିଲେ।୧୭ ବର୍ଷରୁ ବାନପ୍ରସ୍ଥ ଜୀବନ

ମାତ୍ର ୧୭ ବର୍ଷ ବୟସରେ ମୋଦୀ ଗୃହସ୍ଥ ଜୀବନ ପରିତ୍ୟାଗ କରି ବାନପ୍ରସ୍ଥ ଜୀବନ ବିତାଇବା ପାଇଁ ଘର ଛାଡ଼ି ଚାଲିଯାଇଥିଲେ। ପ୍ରଥମେ ସେ ରାଜକୋଟରେ ରାମକୃଷ୍ଣ ମିଶନ ଆଶ୍ରମ ଗଲେ। ଏହାପରେ କଲିକତାର ବେଲୁର ମଠ, ଗୋହାଟୀ, ଅଲ୍‌ମୋଡ଼ାରେ ସ୍ଵାମୀ ବିବେକାନନ୍ଦଙ୍କ ଆଶ୍ରମରେ ରହିଥିଲେ।

ଦୁଇ ବର୍ଷ ପରେ ପୁଣି ସେ ନିଜ ଜନ୍ମସ୍ଥାନ ବଡ଼ନଗର ଫେରି ଆସିଥିଲେ। କିଛି ଦିନ ଘରେ ରହିବା ପରେ ସେ ଅହମଦାବାଦ ଚାଲିଗଲେ। ସେଠାରେ ସେ ନିଜ ଦାଦାଙ୍କ ଚା ଦୋକାନରେ କାମ କଲେ। ସେଇଠି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଦସ୍ୟ ଇନାମଦାରଙ୍କ ସହ ମୋଦୀଙ୍କ ଭେଟ ହୋଇଥିଲା। ଏହାପରେ ସେ ସଂଘ ସହିତ ଯୋଡ଼ି ହୋଇଥିଲେ ଏବଂ ୧୯୭୦ରେ ଏହାର ପ୍ରଚାରକ ହୋଇଯାଇଥିଲେ।

Comment