ଓଡ଼ିଶାଲାଇଭ୍ ବ୍ୟୁରୋ

ମାଣ୍ଡିଆରୁ ପ୍ରସ୍ତୁତ ହୋଇପାରିବ ଭଳିକି ଭଳି ସୁଆଦିଆ ଆଧୁନିକ ଖାଦ୍ୟ। ସେଥିମଧ୍ୟରେ ରହିଛି ମାଣ୍ଡିଆ କେକ୍‌, ମାଣ୍ଡିଆ ଲଡୁ, ହାଲୱା, ଖିରି, ଉପମା, ଖେଚୁଡି ଏବଂ ପକଡ଼ି। ମାଣ୍ଡିଆରୁ ଏହି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକର ବନ୍ଧପାଲିସ୍ଥିତ ଆରଆରସିଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଶିଖା ଯାଇଛି।ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ସହଯୋଗୀ ସଂସ୍ଥା ‘ସେବକ’ ପକ୍ଷରୁ ଟାଙ୍ଗରପାଲି ବ୍ଲକର ବନ୍ଧପାଲିସ୍ଥିତ ଆରଆରସିଠାରେ ଦୁଇ ଦିନିଆ କର୍ମଶାଳା ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କୁ ରାଜଲକ୍ଷ୍ମୀ ଦାସ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ଶିଖାଇଥିଲେ।

ମାଣ୍ଡିଆ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ଏଥିରେ ପ୍ରଚୁର ପରିମାଣର ପୋଷଣ ତତ୍ତ୍ୱ ଭରି ରହିଥିବାରୁ ସୁନ୍ଦରଗଡ଼ ଜିଲ୍ଲାର ୮ଟି ବ୍ଲକରେ ଏହି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ଟାଙ୍ଗରପାଲି ବ୍ଲକରେ ଏହି ଚାଷ ନୂଆ କରି ଆରମ୍ଭ ହୋଇଛି। ମାଣ୍ଡିଆରେ ଥିବା ପୁଷ୍ଟିକର ଗୁଣ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ କର୍ମଶାଳାମାନ ଆୟୋଜନ କରାଯାଉଛି।ଜୀବିକା ନିର୍ବାହ କରିବା ପାଇଁ ମାଣ୍ଡିଆ ପ୍ରମୁଖ ମାଧ୍ୟମ ପାଲଟିଥିବାରୁ ଏଥିରୁ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏଥିରେ ସାମିଲ କରାଯାଉଛି।

ଗତ ବର୍ଷ ଭୁବନେଶ୍ୱରଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ ‘କୃଷି ଓଡ଼ିଶା’ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ‘ମାଣ୍ଡିଆ’କୁ ମାସ୍କଟ କରାଯାଇଥିବା ବେଳେ ମାଣ୍ଡିଆରୁ ତିଆରି ଲଡୁ, ଖିରି, କେକ୍‌, ପିଜା ବର୍ଗର ଆଦି ପସରା ଲୋକଙ୍କୁ ଆକର୍ଷିତ କରିଥିଲା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହାକୁ ତିଆରି କରି ପ୍ରଶଂସା ସାଉଁଟିଥିଲେ।

ଏବେ ମାଣ୍ଡିଆରୁ ଆହୁରି ଭଳିକି ଭଳି ଆଧୁନିକ ଖାଦ୍ୟ କେମିତି ପ୍ରସ୍ତୁତ ହୋଇପାରିବ ସେନେଇ ତାର ପ୍ରଣାଳୀ ଶିଖିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗେଇ ଆସୁଛନ୍ତି।ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଅଧୀନରେ ରାଜ୍ୟରେ ମାଣ୍ଡିଆ ଚାଷ ପାଇଁ ସରକାର ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଆଗରୁ ୪ଟି ବ୍ଲକରେ ମାଣ୍ଡିଆ ଚାଷ ହେଉଥିବା ବେଳେ ଚଳିତ ବର୍ଷ ହେମଗିରି, ଲେଫ୍ରିପଡ଼ା, ଟାଙ୍ଗରପାଲି ଓ ବାଲିଶଙ୍କରା ବ୍ଲକରେ ମାଣ୍ଡିଆ ଚାଷ ଆରମ୍ଭ କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ମାଗଣାରେ ବିହନ, ତାଲିମ ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ନୂଆକରି ଯୋଡ଼ି ହୋଇଥିବା ୪ଟି ବ୍ଲକରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛି।

Comment