କମଳାକାନ୍ତ ପତି

ବିମୁଦ୍ରୀକରଣ, ଜିଏସଟି ଭଳି କୃଷି ବିଲ୍‌କୁ ଆଇନ୍‌ରେ ପରିଣତ କରିବାର ପ୍ରୟାସ ମୋଦୀ ସରକାରର ଅନ୍ୟତମ ଭୁଲ ପଦକ୍ଷେପ କି? ସାଧାରଣରେ ଏଭଳି ପ୍ରଶ୍ନ ଉଠିଲାଣି।

ଶାସକ ମେଣ୍ଟରେ ବି ସହମତି ନାହିଁ

୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ନେତୃତ୍ଵ ନେଇ ଦଳକୁ ସଫଳତାର ମାର୍ଗ ଦେଖାଇଥିଲେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେତେବେଳେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିବା ରାଜନାଥ ସିଂହ ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିଥିଲେ। ଦେଶରେ ମୋଦୀ ଲହର ସୃଷ୍ଟି ହେଲା। ପ୍ରଧାନମନ୍ତ୍ରୀ ଭାବେ କ୍ଷମତାସୀନ ହେଲେ ‘ଚାଏ ବାଲା’ ବୋଲି କୁହାଯାଉଥିବା ମୋଦୀ।

ଦାୟିତ୍ଵ ଗ୍ରହଣ ପରେ ତାଙ୍କର ପ୍ରଥମ ପଦକ୍ଷେପ ଥିଲା “ସ୍ଵଚ୍ଛ ଭାରତ’’ ଅଭିଯାନ। ଏହାକୁ ବିରୋଧୀ ରାଜନୈତିକ ମହଲରେ ଯେତେବେଳେ ପ୍ରହସନର ଆଖ୍ୟା ଦିଆଗଲା ସେତେବେଳେ ମୋଦୀ କହିଥିଲେ “ମୁଁ ଏକ କ୍ଷୁଦ୍ର ଲୋକ, ଛୋଟ ଛୋଟ କାର୍ଯ୍ୟ କରିବା ମୋର ପସନ୍ଦ।”

ମୋଦୀଙ୍କର ସେହି ବିନମ୍ରତା ୨୦୧୬ରେ ବିମୁଦ୍ରୀକରଣ ବେଳକୁ ନଥିଲା। ପ୍ରଚଳିତ ଦୁଇଟି ବଡ଼ ଅଙ୍କର ନୋଟ୍ ବାତିଲ୍ ଯେ ଏକ ବଡ଼ ଭୁଲ ପଦକ୍ଷେପ ଥିଲା ତାହା ପରବର୍ତ୍ତୀ ସମୟରେ ସାଧାରଣ ଲୋକଙ୍କ କଷ୍ଟ ପ୍ରମାଣିତ କରିଛି।

୨୦୧୭ରେ ମୋଦୀ ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା ଦ୍ରବ୍ୟ ଏବଂ ସେବା କର (ଜିଏସଟି) ପ୍ରଚଳନ କରି ସେହି କଷ୍ଟକୁ ଦ୍ଵିଗୁଣିତ କରିଛନ୍ତି। ଏହା କେବଳ ରାଜନୈତିକ ମହଲ ନୁହେଁ ଅର୍ଥନୀତି ବିଷାରଦମାନେ ମଧ୍ୟ ସ୍ଵୀକାର କରୁଛନ୍ତି।

କରୋନା ଅତିମାରୀ ସମୟରେ ବିବାଦୀୟ କୃଷି ବିଲ୍ ପାର୍ଲାମେଣ୍ଟରେ ଅନୁମୋଦନ କଥାକୁ ନେଇ ମୋଦୀ ଆଉ ଏକ ବଡ଼ ଭୁଲ କଲେ ବୋଲି ସମାଲୋଚନା ତୀବ୍ର ହେଉଛି। ବଡ଼ କଥା ହେଉଛି ଏହି ବିଲ୍‌କୁ ନେଇ ଶାସକମେଣ୍ଟରେ ମଧ୍ୟ ସହମତି ନଥିବାର ପ୍ରମାଣ ମିଳିଛି।ମନ୍ତ୍ରୀ ଇସ୍ତଫା ଦେଇଥିଲେ, ଦଳ ବି ମେଣ୍ଟରୁ ଓହରିଗଲା

କୃଷି ବିଲ୍ କୃଷକର ଦୁଃଖକୁ ଆହୁରି ବଢ଼ାଇଦେବ। ୨୦୨୨ ସୁଦ୍ଧା କୃଷକର ଆୟ ଦୁଇଗୁଣିତ ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ପ୍ରତିବଦ୍ଧତା ଦେଖାଉଛନ୍ତି ତାହା କସ୍ମିନକାଳେ ପୂରଣ ହେବ ନାହିଁ। ବରଂ ଏହି ବିଲ୍ କୃଷକମାନଙ୍କୁ ପୁଞ୍ଜିପତି, ଶିଳ୍ପୋଦ୍ୟୋଗୀଙ୍କ ହାତର କଣ୍ଢେଇ ସଜାଇ ଦେବ। ସରକାର ଦେଶର ଅନ୍ନଦାତାଙ୍କୁ ଭିକ୍ଷୁକ କରିଦେବାର ଚେଷ୍ଟା କରୁଛନ୍ତି – ଏଭଳି ଅଭିଯୋଗ ରାଜନୈତିକ ମହଲଠାରୁ କୃଷକ ସମାଜ ପର୍ଯ୍ୟନ୍ତ ଉଠୁଛି।

ସରକାର ଏହି କଳା ବିଲ୍‌କୁ ଫେରାଇ ନିଅନ୍ତୁ, ରାଷ୍ଟ୍ରପତି ଏଥିରେ ସ୍ଵାକ୍ଷର କରି ଆଇନ୍‌ରେ ପରିଣତ କରିବା ଉଚିତ ନୁହେଁ ବୋଲି ଦାବିରେ ଶୁକ୍ରବାର ସାରାଦେଶରେ ବନ୍ଦ ପାଳନ କରାଯାଇଥିଲା। ଏହା ସତ୍ତ୍ଵେ ମୋଦୀ କହୁଛନ୍ତି ବିରୋଧୀମାନେ କୃଷକ ସମାଜକୁ ଏହି ବିଲ୍ ନେଇ ବିଭ୍ରାନ୍ତ କରୁଛନ୍ତି। ମୋଦୀ କିପରି ଭୁଲିଯାଉଛନ୍ତି ଯେ, କୃଷି ବିଲ୍‌କୁ ନେଇ ଶାସକ ଏନ୍‌ଡିଏରେ ମଧ୍ୟ ମତଭେଦ ରହିଛି।

ସରକାର ନିଜ ସହଯୋଗୀଙ୍କୁ ବିଶ୍ଵାସକୁ ନ ନେଇ ଏହି ବିଲ୍ ପ୍ରସ୍ତୁତ କରିଛନ୍ତି। ଯାହାଫଳରେ ଏନ୍‌ଡିଏର ସହଯୋଗୀ ଦଳ ଏସ୍‌ଏଡି (ଶିରୋମଣି ଅକାଳୀ ଦଳ) ନେତ୍ରୀ ହର୍‌ସିମରତ କୌର କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଓହରିଗଲେ।

ଶନିବାର ମେଣ୍ଟରୁ ଓହରିଗଲା ଏସ୍‌ଏଡି। ବିଜେପି ନେତୃତ୍ଵାଧୀନ ଏନ୍‌ଡିଏର ପୁରୁଣା ସହଯୋଗୀ ଏସ୍‌ଏଡି ମେଣ୍ଟରୁ ଓହରିଯିବା ଘଟଣା ମୋଦୀକୁ ଏକ ଧକ୍କା ବୋଲି କୁହାଯାଉଛି। ମେଣ୍ଟ ଛାଡ଼ିବା ସମ୍ପର୍କରେ ଶନିବାର ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ଘୋଷଣା କରିଛନ୍ତି।ସଂଖ୍ୟାର ଔଦ୍ଧତ୍ୟରୁ ମେଣ୍ଟ ଧର୍ମକୁ ଆଖିଠାର

୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ଯେତିକି ଆସନ ଜିତିଛି (୩୦୩) ତାହା ଲୋକସଭାରେ ସଂଖ୍ୟା ଗରିଷ୍ଠତାଠାରୁ ଯଥେଷ୍ଟ ଅଧିକ। ସୁତରାଂ କୌଣସି ମେଣ୍ଟ ସହଯୋଗୀଙ୍କ ବିନା ଦଳ ଏକାକୀ ସରକାରକୁ ସ୍ଥିର ରଖିବାରେ ସମର୍ଥ। ପ୍ରଶ୍ନ ଉଠୁଛି ଏହି ସଂଖ୍ୟାର ଔଦ୍ଧତ୍ୟ ଦେଖାଉଛି କି ବିଜେପି।

କୃଷି ବିଲ୍ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ବିଧେୟକ ଆଣିବା ପୂର୍ବରୁ ମେଣ୍ଟଭୁକ୍ତ ସହଯୋଗୀ ଦଳଗୁଡ଼ିକର ସହମତିର ଆବଶ୍ୟକତା ନଥିଲା କି। ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ଲାଭ କରିଥିଲେ ମଧ୍ୟ ସେ ମେଣ୍ଟ ଧର୍ମ ତ୍ୟାଗ କରିବେ ନାହିଁ ବୋଲି ମୋଦୀ ସାଧାରଣ ନିର୍ବାଚନ ଫଳ ପ୍ରକାଶ ପରେ ସ୍ପଷ୍ଟ ଭାଷାରେ ଜଣାଇ ଦେଇଥିଲେ। ମନ୍ତ୍ରିମଣ୍ଡଳରେ ମେଣ୍ଟ ସହଯୋଗୀମାନଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି। କିନ୍ତୁ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିରେ ସେମାନଙ୍କୁ ବିଶ୍ଵାସକୁ ନ ନେବା କ’ଣ ମେଣ୍ଟ ଧର୍ମ ବୋଲି ପ୍ରଶ୍ନ ଉଠିବା ଆରମ୍ଭ କଲାଣି।

ବିଜେପିର ଏଭଳି ଅଣଦେଖା ନୀତି ଓ ଏକଚାଟିଆ ନିଷ୍ପତ୍ତି ଯୋଗୁଁ ପୂର୍ବରୁ ତେଲୁଗୁ ଦେଶମ୍ ପାର୍ଟି (ଟିଡିପି) ଏବଂ ଶିବସେନା ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ମେଣ୍ଟ ତ୍ୟାଗ କରିସାରିଛନ୍ତି।

ବିରୋଧର ସ୍ଵର ଉଠିଛି କାହିଁକି?

କୃଷି ବିଲ୍‌କୁ ବିଜେପି ବାଦ୍ ଅନ୍ୟ ଦଳଗୁଡ଼ିକ (ବିଶେଷକରି ବିରୋଧୀ) ଅଳ୍ପେ ବହୁତେ ବିରୋଧ କରୁଛନ୍ତି କାହିଁକି? ମୂଳ ବିରୋଧର କାରଣ ହେଉଛି ଚୁକ୍ତି ଚାଷ, ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାକୁ ସଙ୍କୁଚିତ କରାଯିବା।

ମୋଦୀ ଦାବି କରୁଛନ୍ତି ଯେ, କୃଷି ବିଲ୍‌ରେ ଥିବା ବ୍ୟବସ୍ଥା ଆଇନରେ ପରିଣତ ହେଲେ କୃଷକମାନଙ୍କ ସକାଶେ ସାରା ଦେଶ ଏକ ବଜାରରେ ପରିଣତ ହେବ। ସେମାନଙ୍କୁ ଉତ୍ପାଦିତ ସମାଗ୍ରୀ ବିକ୍ରି ପାଇଁ ନିଜ ଅଞ୍ଚଳରେ ସୀମିତ ରହିବାକୁ ପଡ଼ିବ ନାହିଁ। ସେମାନେ ଉତ୍ପାଦିତ ସାମଗ୍ରୀର ଉଚିତ୍ ମୂଲ୍ୟ ପାଇବେ। ଦଲାଲରାଜର ପରିସମାପ୍ତି ଘଟିବ।

କୃଷି ବିଲ୍‌ରେ କୃଷକଙ୍କ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ ଉଲ୍ଲେଖ ନ କରି, ଏମ୍‌ଏସ୍‌ପିଠାରୁ କମ୍ ଦରରେ କିଣାଗଲେ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ନରଖି ପ୍ରଧାନମନ୍ତ୍ରୀ ଏଭଳି ଦାବି କରିବା ହାସ୍ୟାସ୍ପଦ ମନେହେଉଛି।ବଦଳିଗଲା କିପରି ମୋଦୀଙ୍କ ସ୍ଵର

ବଡ଼ କଥା ହେଉଛି ଆଜି ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଏମ୍‌ଏସ୍‌ପି ଉଠାଇ ଦେବାର ଚକ୍ରାନ୍ତ କରୁଥିବା ବେଳେ ୨୦୧୧ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀ କୃଷିଜାତ ସାମଗ୍ରୀ ଏମ୍‌ଏସ୍‌ପି ନିଶ୍ଚିତ କରିବା ପାଇଁ କେନ୍ଦ୍ର ନିକଟରେ ଦାବି କରିଥିଲେ।

ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ‘ଓ୍ଵାର୍କିଂ ଗ୍ରୁପ୍’ ଗଠନ କରିଥିଲେ ମୂଳତଃ ମୂଲ୍ୟବୃଦ୍ଧିକୁ ରୋକିବା ସକାଶେ ଏକ ଫର୍ମୁଲା ବାହାର କରିବାକୁ। ସେହି ଓ୍ଵାର୍କିଂ ଗ୍ରୁପ୍‌ର ଅଧ୍ୟକ୍ଷ ହିସାବରେ ମୋଦୀ କୃଷିଜାତ ସାମଗ୍ରୀର ଏମ୍‌ଏସ୍‌ପି ନିର୍ଦ୍ଧାରଣ ଜରୁରୀ ବୋଲି ଦର୍ଶାଇ ମନମୋହନଙ୍କୁ ରିପୋର୍ଟ ଦେଇଥିଲେ, ଯାହାକି ଏବେ ମଧ୍ୟ ମୋଦୀଙ୍କର ନିଜସ୍ଵ ଓ୍ଵେବସାଇଟରେ ରହିଛି।ସୁତରାଂ ପ୍ରଶ୍ନ ଉଠୁଛି କେବଳ ପଦବୀ ବଦଳିଯାଇଥିବା ବ୍ୟକ୍ତିଜଣକର ଚିନ୍ତା ଧାରା ବିପରୀତ ହୋଇ ଯାଇଛି କିପରି। ମୋଦୀଙ୍କର ଏହି କୃଷି ଓ କୃଷକ ସମ୍ପର୍କିତ ନିଷ୍ପତ୍ତି ଆଉ ଏକ ବଡ଼ ଭୁଲ ନୁହେଁ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ। ମତାମତ ନିଜସ୍ୱ)

Comment