ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ମୁଖ୍ୟମନ୍ତ୍ରୀ ଭାବେ ୬ ଥର ଶପଥ ନେଇଥିବା ଜେଡିୟୁ ନେତା ନୀତୀଶ କୁମାର ନିଜ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଥରେ ବି ବିଧାୟକ ହୋଇନାହାନ୍ତି। ବିହାର ବିଧାନସଭା ନିର୍ବାଚନ ବେଳେ ତାଙ୍କ ରାଜନୈତିକ ଜୀବନର ଉଠାଣିଗଡ଼ାଣିକୁ ନେଇ ଏହି ରିପୋର୍ଟ।

ପ୍ରଥମ ଦୁଇଟି ନିର୍ବାଚନ ହାରିଥିଲେ ନୀତୀଶ କୁମାର

୧୯୭୭ ବିଧାନସଭା ନିର୍ବାଚନ ସମୟର କଥା। ବିହାରର ନାଳନ୍ଦା ଜିଲା ଅଧୀନ ହରନୌତ ନିର୍ବାଚନମଣ୍ଡଳୀରୁ ଜଣେ ୨୬ ବର୍ଷୀୟ ଯୁବକ ଜନତା ଦଳ ଟିକେଟରେ ପ୍ରଥମଥର ପାଇଁ ନିର୍ବାଚନ ଲଢୁଥିଲେ। ସେହି ନିର୍ବାଚନରେ ଜନତା ଦଳ ୨୧୪ଟି ସିଟ୍ ଜିତିଥିବା ବେଳେ ୯୭ଟି ପରାସ୍ତ ହୋଇଥିଲା। ସେଥର ହରନୌତ ଆସନରୁ ହାରିଥିବା ସେହି ୨୬ ବର୍ଷର ଯୁବନେତା ଜଣକ ଥିଲେ ନୀତୀଶ କୁମାର, ଯିଏ ପରେ କେନ୍ଦ୍ରମନ୍ତ୍ରୀ ଓ ବିହାରର ମୁଖ୍ୟମନ୍ତ୍ରୀ ହେଲେ।

ନୀତୀଶଙ୍କ ପ୍ରଥମ ନିର୍ବାଚନରେ ଯିଏ ତାଙ୍କୁ ହରାଇଥିଲେ ସେ ହେଲେ ଭୋଲା ପ୍ରସାଦ ସିଂହ। ପ୍ରଥମ ପରାଜୟକୁ ଭୁଲି ନୀତୀଶ ପୁଣିଥରେ ୧୯୮୦ରେ ସେହି ଆସନରୁ ପ୍ରାର୍ଥୀ ହେଲେ। କିନ୍ତୁ ସେଥର ଜେଡିଏସ୍ (ଜନତା ଦଳ ସେକ୍ୟୁଲାର) ଟିକେଟରେ ସେ ନିର୍ବାଚନ ଲଢୁଥିଲେ। ସେହି ନିର୍ବାଚନରେ ମଧ୍ୟ ନୀତୀଶଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଲା। ସ୍ୱାଧୀନ ପ୍ରାର୍ଥୀ ଅରୁଣ କୁମାର ସିଂହଙ୍କଠାରୁ ସେ ହାରିଗଲେ। ଅରୁଣଙ୍କୁ ଭୋଲା ପ୍ରସାଦ ସିଂହଙ୍କ ସମର୍ଥନ ରହିଥିଲା।

ରାଜନୀତି ଛାଡ଼ିବାକୁ ମନସ୍ଥ କରିଥିଲେ

ଏହି ଦୁଇଟି ପରାଜୟ ପରେ ନୀତୀଶ ଏପରି ଭାବେ ନିରାଶ ହୋଇଗଲେ ଯେ, ରାଜନୀତି ଛାଡ଼ିବାକୁ ମନସ୍ଥ କରିଥିଲେ। ଏହାର ଆଉ ଗୋଟିଏ କାରଣ ମଧ୍ୟ ଥିଲା। ସେ ବିଶ୍ୱବିଦ୍ୟାଳୟ ଛାଡ଼ିବାର ୭ ବର୍ଷରୁ ଅଧିକ ସମୟ ହୋଇସାରିଥିଲା। ବିବାହକୁ ମଧ୍ୟ ଅନେକ ବର୍ଷ ବିତିଯାଇଥିଲା। କିନ୍ତୁ ଘରକୁ ତାଙ୍କର ଆର୍ଥିକ ଯୋଗଦାନ କିଛି ନ ଥିଲା।  ତେଣୁ ରାଜନୀତି ଛାଡ଼ି ସରକାରୀ ଠିକାଦାରୀ କରିବା ପାଇଁ ଭାବିଥିଲେ ନୀତୀଶ।

ତୃତୀୟ ଥର ନିର୍ବାଚନ ଜିତ ବିଧାୟକ ହେଲେ

ସବୁ ନିରାଶାକୁ ପଛରେ ପକାଇ ପୁଣିଥରେ ଦୃଢ଼ ହେଲେ ନୀତୀଶ। ସେହି ଆସନରୁ ତୃତୀୟ ଥର ପାଇଁ ୧୯୮୫ରେ ନିର୍ବାଚନ ଲଢ଼ିଲେ। ଏଥର ତାଙ୍କ ପାଖରେ ଲୋକ ଦଳର ଟିକେଟ୍ ଥିଲା। ଏହି ନିର୍ବାଚନରେ ୨୧ ହଜାରରୁ ଅଧିକ ଭୋଟ୍‌ରେ ତାଙ୍କୁ ବିଜୟ ସ୍ୱାଦ ମିଳିଲା। କଂଗ୍ରେସର ବ୍ରିଜନନ୍ଦନ ପ୍ରସାଦ ସିଂଙ୍କୁ ହରାଇଥିଲେ ନୀତୀଶ। ୧୯୯୫ରେ ଶେଷଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିଥିଲେ ନୀତୀଶ। ପରେ ସେ ଏହି ଆସନରୁ ଇସ୍ତଫା ଦେଇ ୧୯୯୬ରେ ଲୋକସଭା ନିର୍ବାଚନ ଲଢ଼ିଲେ।

୨୦୦୪ ପରଠାରୁ ଥରେ ବି ନିର୍ବାଚନ ଲଢ଼ିନାହାନ୍ତି

୧୯୮୫ରେ ପ୍ରଥମଥର ବିଧାୟକ ହେବ ପରେ ନୀତୀଶ ୧୯୮୯ରେ ବାଢ଼ ଲୋକସଭା ଆସନରୁ ନିର୍ବାଚନ ଜିତିଲେ। ୧୯୯୧ରେ ମଧ୍ୟ ତାଙ୍କର ଲୋକସଭା ନିର୍ବାଚନରେ ଜିତାପଟ ହେଲା। ସେ ୬ ଥର ଲୋକସଭା ସାଂସଦ ରହିଛନ୍ତି। ୧୯୯୬ରେ ତୃତୀୟଥର, ୧୯୯୮ରେ ଚତୁର୍ଥ, ୧୯୯୯ରେ ପଞ୍ଚମଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ନୀତୀଶ। ୨୦୦୪ରେ ସେ ନିଜର ଶେଷ ଲୋକସଭା ନିର୍ବାଚନ ଲଢ଼ିଥିଲେ। ସେଥର ବାଢ଼ ଓ ନାଳନ୍ଦା ପରି ଦୁଇଟି ଆସନରୁ ସେ ନିର୍ବାଚନ ଲଢୁଥିଲେ। ବାଢ଼ ଆସନରୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିବା ବେଳେ ନାଳନ୍ଦାରେ ତାଙ୍କର ଜିତାପଟ ହୋଇଥିଲା। ଏହା ପରଠାରୁ କୌଣସି ନିର୍ବାଚନ ନିଜେ ଲଢ଼ିନାହାନ୍ତି।

୨୦୦୦ରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ, ୭ ଦିନରେ ଇସ୍ତଫା

୨୦୦୦ ମସିହା ବିଧାନସଭା ନିର୍ବାଚନରେ କୌଣସି ଦଳ କିମ୍ବା ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିଲା ନାହିଁ। ସେତେବେଳେ ନୀତୀଶ ବାଜପାୟୀ ସରକାରରେ କୃଷିମନ୍ତ୍ରୀ ଥିଲେ। ନିର୍ବାଚନ ପରେ ସେ ବିଜେପି ସମର୍ଥନରେ ୩ ମାର୍ଚ୍ଚ ୨୦୦୦ରେ ପ୍ରଥମଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଯଦିଓ ସଂଖ୍ୟାଗରିଷ୍ଠତା ନ ଥିବା କାରଣରୁ ମାତ୍ର ୭ ଦିନ ପରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ଓ ରାବଡି ଦେବୀ ମୁଖ୍ୟମନ୍ତ୍ରୀ ହେଲେ।

ନୀତୀଶ ଯେତେବେଳେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ , ସେତେବେଳେ ନା ସେ ବିଧାନସଭାର ସଦସ୍ୟ ଥିଲେ ନା ବିଧାନ ପରିଷଦର। ନଭେମ୍ବର ୨୦୦୫ରେ ସେ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଲେ। ସେଥର ବିଜେପି-ଜେଡିୟୁ ମେଣ୍ଟ ପାଖରେ ସଂଖ୍ୟାଗରିଷ୍ଠତା ଥିଲା। ଏହା ପରବର୍ଷ ନୀତୀଶ ବିଧାନ ପରିଷଦରେ ପ୍ରଥମଥର ପାଇଁ ସଦସ୍ୟ ହେଲେ।

ବିଧାନ ପରିଷଦର ସଭ୍ୟ ଭାବେ ୬ ଥର ମୁଖ୍ୟମନ୍ତ୍ରୀ ହେଲେଣି ନୀତୀଶ

ନଭେମ୍ବର ୨୦୦୫ରୁ ଏଯାବତ୍ ନୀତୀଶ କୁମାର ଲଗାତର ବିହାରର ମୁଖ୍ୟମନ୍ତ୍ରୀ ରହିଛନ୍ତି। ମଝିରେ କେବଳ ମେ ୨୦୧୪ରୁ ଫେବୃୟାରୀ ୨୦୧୫ ଜୀତୀନରାମ ମାନଝି ମୁଖ୍ୟମନ୍ତ୍ରୀ ରହିଥିଲେ। ୨୦୧୮ରେ ନୀତୀଶ ତୃତୀୟଥର ବିଧାନ ପରିଷଦର ସଭ୍ୟ ହେଲେ। ୨୦୨୪ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ୨୦୧୫ ବିଧାନସଭା ନିର୍ବାଚନ ସମୟରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କାହିଁକି ନିର୍ବାଚନ ଲଢୁନାହାନ୍ତି, ଏହାର ଉତ୍ତରରେ ନୀତୀଶ କହିଥିଲେ, ସେ କୌଣସି ଗୋଟିଏ ଆସନରେ ଦୃଷ୍ଟି କେନ୍ଦ୍ରୀଭୂତ କରି ପୂରା ନିର୍ବାଚନକୁ ହାତଛଡ଼ା କରିବା ପାଇଁ ଚାହାନ୍ତି ନାହିଁ।

Comment