ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆଗାମୀ ଦଶ ଦିନ ମଧ୍ୟରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ଲାଗ ଲାଗ ଦୁଇଟି ଲଘୁଚାପ ଯୋଗୁଁ ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ଅନବରତ ବୃଷ୍ଟିପାତ ହେବାକୁ ଯାଉଛି। ଅକ୍ଟୋବର ୨୫ ସୁଦ୍ଧା ଏହି ଦୁଇଟି ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ୧୨ ତାରିଖରେ ମ୍ୟାନମାର ଆଡୁ ମଧ୍ୟ  ବଙ୍ଗୋପସାଗର କୂଳରେ ଏକ ଲଘୁଚାପ ସୃଷ୍ଟି ହେବ। ୧୩ ତାରିଖରେ ଏହା ଅବପାତର ରୂପ ନେବ। ୧୫ ତାରିଖ ବେଳକୁ ଏହା ଡିପ୍ରେସନରେ ପରିଣତ ହେବ ଓ ୧୬ ତାରିଖରେ ଡିପ ଡିପ୍ରେସନରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି। ତା ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଅକ୍ଟୋବର ୧୮ ତାରିଖରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ଲ୍ୟାଣ୍ଡଫଲ କରିବ।

ଡ଼କ୍ଟର ପଶୁପାଳକଙ୍କ କହିବା ଅନୁଯାୟୀ ୨୧ ତାରିଖ ବେଳକୁ ସେଇ ମ୍ୟାନମାର ଉପକୂଳରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହି ଦୁଇଟି ଲଘୁଚାପର ପ୍ରଭାବରେ ଅକ୍ଟୋବର ୧୭ରୁ ୧୯ ଏବଂ ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ହେବାର ଆଶଙ୍କା ରହିଛି।

Comment