ଓଡ଼ିଶାଲାଇଭ୍ ବ୍ୟୁରାେ

ବ୍ୟାଟେରିଚାଳିତ ଯାନରେ ଏଣିକି ଅଳିଆ ଉଠାଇବ ବିଏମସି। ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ଏଣିକି ଅଳିଆ ଆବର୍ଜନା ଉଠିବା ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ସମସ୍ତ ଅଞ୍ଚଳ ପରିଷ୍କାର ଦେଖାଯିବା ଉଦ୍ଦେଶ୍ୟ ନେଇ ବିଏମସି ପକ୍ଷରୁ କର୍ମଚାରୀଙ୍କ ଦ୍ୱାରା ଅଳିଆ ଆବର୍ଜନା ସଂଗ୍ରହ କାମ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏବେ ବ୍ୟାଟେରୀ ଚାଳିତ ଯାନ ଘର ଘର ବୁଲି ଅଳିଆ ସଂଗ୍ରହ କରିବ। ଏହି ନୂଆ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ଏହାକୁ ସଫଳ କରିବା ପାଇଁ ଘର ଭିତରେ ଥିବା ଅଳିଆକୁ ଓଦା ଏବଂ ଶୁଖିଲା ଦୁଇ ଭାଗରେ ବିଭକ୍ତ କରିବା ପାଇଁ ନିବେଦନ କରିଛି ବିଏମସି। ଯେଉଁ ଗାଡ଼ି ଘର ସାମ୍ନାକୁ ଆସିବ ସେଥିରେ ଦୁଇଟି ବଖରା ରହିବ। ଗୋଟିଏ ଓଦା ବର୍ଜ୍ୟବସ୍ତୁ ଓ ଅନ୍ୟଟି ଶୁଖିଲା ଅଳିଆ ପାଇଁ। ନୀଳ ରଙ୍ଗର ବଖରାରେ ଶୁଖିଲା ବର୍ଜ୍ୟବସ୍ତୁ ରହିବ ଏବଂ ସବୁଜ ବାକ୍ସରେ ଓଦା ଅଳିଆ।

ବିଏମସି ସାନିଟାରୀ ବିଶେଷଜ୍ଞ ଶୁଭାଶିଷ ମହାନ୍ତିଙ୍କ କହିବା ଅନୁଯାୟୀ, ଏହି ବ୍ୟାଟେରିଚାଳିତ ଯାନ ସହର ଭିତରେ ଦିନ ସାରା ବୁଲିବ। ତେବେ ପ୍ରତ୍ୟେକ ବାସିନ୍ଦା ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ ଘର ଭିତରେ ଦୁଇଟି ଅଲଗା ଅଲଗା ଡ଼ବାରେ ରଖିବେ, ଯାହା ଫଳରେ କି ଗାଡ଼ିରେ ସେସବୁକୁ ସହଜରେ ଢଳା ଯାଇପାରିବ। ଏହି ନୂଆ ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ବିଏମସି ପକ୍ଷରୁ ଅନେକ ଦିନ ଧରି ଉଦ୍ୟମ ହୋଇ ଆସିଥିଲା। ଏଥିପାଇଁ ଏବେ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ୩୧ ନମ୍ବର ୱାର୍ଡ଼ରେ ପ୍ରଥମେ ଏହି ନୂଆ ପଦ୍ଧତି ଆରମ୍ଭ କରାଯାଇଛି।

Comment