ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ସମାଜସେବୀ ତଥା ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା।

ଦୀର୍ଘ ୧ ମାସ ଧରି ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଅଶୋକ କୁମାର ମହାପାତ୍ର ୧୯୫୯ ମସିହାରେ ସାରୁଅ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ କିଛି ଦିନ ପାଇଁ ସେନାବାହିନୀରେ ଯୋଗ ଦେଇଥିଲେ। ସେଠାରେ ଅଳ୍ପ କିଛିଦିନ କାର୍ଯ୍ୟ କରିବା ପରେ ଫେରି ଆସି କଟକର ଭକ୍ତ ମଧୁ ବିଦ୍ୟାପୀଠରେ ଇଂରାଜୀ ବିଷୟରେ ଶିକ୍ଷାଦାନ କରିଥିଲେ। ଏହାକୁ ଛାଡ଼ି ଶେଷରେ ମଧୁସୂଦନ ଆଇନ ମହାବିଦ୍ୟାଳୟ ଏଲଏଏବି ଏବଂ ଏଲଏଲ୍‌ଏମ୍‌ରେ ଶିକ୍ଷା ଶେଷ କରିଥିଲେ।

ପରେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନରେ ପିଏଚ୍‌ଡି କରିଥିଲେ। ହାଇକୋର୍ଟର ଆଇନଜୀବୀ ନରେନ୍ ମୁଖାର୍ଜୀଙ୍କ ନିକଟରେ ସେ ଆଇନ ଅଭ୍ୟାସ କରିଥିଲେ। ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି ସେ ସୁନାମ ଅର୍ଜନ କରିଥିଲେ। ୨୦୧୫-୧୬ ଦୁଇ ବର୍ଷ ଲାଗି ହାଇକୋର୍ଟ ବାର୍ ଆସୋସିଏସନ୍‌ର ସେ ସଭାପତି ରହିଥିଲେ।

ତାଙ୍କ ସମୟରେ ଅନେକ କାର୍ଯ୍ୟ ହାତକୁ ନିଆଯାଇଥିଲା। ତାଙ୍କ ସଭାପତିତ୍ୱରେ ହାଇକୋର୍ଟ ବାର୍ ଆସୋସିଏସନ୍  ହାଇକୋର୍ଟ ସର୍କିଟ ବେଞ୍ଚ୍ ପ୍ରତିଷ୍ଠା ହେବାର ଶହେ ବର୍ଷ ପୂର୍ତ୍ତି ପାଳନ କରିଥିଲା। ଏକ ଅନ୍ତର୍ଜାତିକ ଆଲୋଚନାଚକ୍ର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା। ସାରଥି ଘଟଣାକୁ ନେଇ କେନ୍ଦ୍ରାପଡ଼ାର ତତକାଳୀନ ଏସ୍‌ପି ସତୀଶ ଗଜ୍‌ଭୀୟେଙ୍କ ଇସ୍ତଫାକୁ ନେଇ ବାର୍ ବଡ ଆନ୍ଦୋଳନ କରିଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନକୁ ନେଇ ସମଗ୍ର ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍‌ର ଆଇନଜୀବୀଙ୍କୁ ଏକାଠି କରି ବନ୍ଦ ଡାକରା ଦିଆଯାଇଥିଲା । ତାଙ୍କ ସମୟରେ ହାଇକୋର୍ଟର ସମ୍ମିଳନୀ କକ୍ଷ ଉଦ‌ଘାଟନ କରାଯାଇଥିଲା।

Comment